ଅଙ୍ଗନୱାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ଅଭିଯୋଗ: ଦଳିତ ପାଚିକାଙ୍କୁ ନିର୍ଯାତନା

Jul 02, 2026 - 17:21
ଅଙ୍ଗନୱାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ଅଭିଯୋଗ: ଦଳିତ ପାଚିକାଙ୍କୁ ନିର୍ଯାତନା

ବରଗଡ଼: ଅଙ୍ଗନୱାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ଅଭିଯୋଗ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦେବାନପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କୁ ତାଙ୍କ ଜାତି ପାଇଁ ନିର୍ଯାତନା ଦିଆଯାଉଥିବା ନେଇ ଏକ ସାଂଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଦଳିତ ସମ୍ପ୍ରଦାୟର ଜଣେ ମହିଳା ଗତ ଦୁଇ ମାସ ଧରି ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ଭାବରେ କାର୍ଯ୍ୟ କରୁଛନ୍ତି । ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗାଁରେ ଏକ ବୈଠକ କରାଯାଇ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ତେବେ କିଛି ଗ୍ରାମବାସୀ ତାଙ୍କ ସହ ଭେଦଭାବ କରୁଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ସେ ପ୍ରସ୍ତୁତ କରୁଥିବା ଖାଦ୍ୟ, ଅଣ୍ଡା ଏବଂ ଛତୁଆ ନ ଖାଇବା ପାଇଁ ଗ୍ରାମବାସୀମାନେ ଅଙ୍ଗନୱାଡ଼ି ଛାତ୍ରଛାତ୍ରୀଙ୍କୁ ଉସକାଉଛନ୍ତି। ଏହାସହ ପିଲାମାନଙ୍କୁ କେନ୍ଦ୍ରକୁ ନ ପଠାଇବା ପାଇଁ ଅଭିଭାବକମାନଙ୍କୁ ମଧ୍ୟ ପ୍ରବର୍ତ୍ତାଯାଉଛି। ଏପରିକି ଚାକିରିରୁ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପକାଯାଉଥିବା ସେ ପ୍ରକାଶ କରିଛନ୍ତି।

ମହିଳାଙ୍କ ବାପା ଅବଧୂତ ଜଗତ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଝିଅକୁ ଚାକିରିରୁ ବାହାର କରିବା ପାଇଁ ତାଙ୍କୁ ନିର୍ଯାତନା ଦିଆଯିବା ସହ ଚାପ ପ୍ରୟୋଗ କରାଯାଉଛି। ପରିସ୍ଥିତି ଏପରି ଉଗ୍ର ରୂପ ନେଇଥିଲା ଯେ, ବୁଧବାର ଦିନ କିଛି ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଫଳରେ ଗର୍ଭବତୀ ମହିଳା, ପ୍ରସୂତୀ ଏବଂ ଛୋଟ ପିଲାମାନେ ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସେବାରୁ ବଞ୍ଚିତ ହୋଇଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଝାରବନ୍ଧ ସିଡିପିଓ (CDPO) କହିଛନ୍ତି ଯେ ଅଙ୍ଗନୱାଡ଼ି କର୍ମୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ମିଳିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।