Tree Man: ବୃକ୍ଷବନ୍ଧୁ ଦୀନବନ୍ଧୁ ବାର୍ତ୍ତା... 'ଗୋଟିଏ ଗଛ ବଢ଼େଇ ଦିଅ, ପ୍ରଳୟର ଦିନ ଘୁଞ୍ଚାଇ ଦିଅ...’
ଭୁବନେଶ୍ୱର ୦୬/୦୮( ଅମନ ଆୟୁଷ୍ମାନ ଦାସ): ‘ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ ବଢ଼େଇ ଦିଅ, ପ୍ରଳୟର ଦିନ ଘୁଞ୍ଚାଇ ଦିଅ...’ । ଲୁନା ପଛପଟେ ନମ୍ବର ପ୍ଲେଟ୍ର ଉପରକୁ ଗୋଟିଏ ଧଳା ପ୍ଲେଟ୍ରେ ନୀଳ ଅକ୍ଷରରେ ଠିକଣା ସହ କିଛି ଏମିତି ଲେଖାହୋଇଛି ସଚେତନତା ବାର୍ତ୍ତା । ତା’ ତଳକୁ ନମ୍ବର ପ୍ଲେଟ୍କୁୁ ଓଡ଼ିଆରେ ଲେଖା ହୋଇଛି । ଏକ୍ରେ ପରିବେଶପ୍ରେମ, ଦୁଇରେ ଓଡ଼ିଆ ଭାଷାପ୍ରୀତି । ତା’ ସାଙ୍ଗକୁ ସବୁଜ ସଚେତନତାର ମହାନ୍ ବାର୍ତ୍ତା ଦେଉଥିବା ଜଣେ ସାଧାରଣ ମଣିଷ ନିଜକୁ ସଜେଇଥିଲେ ସବୁଜିମା ଭରା ସବୁଜ ରଙ୍ଗରେ । ଗାଡ଼ି ରଙ୍ଗଠୁ ନେଇ ପିନ୍ଧିଥିବା ସାର୍ଟ, ମୁଣ୍ଡରେ ପକାଇଥିବା ଗାମୁଛା, ସବୁର ରଙ୍ଗ ଥିଲା ସବୁଜ । ଆଉ ଗାମୁଛାରେ ଲେଖା ଥିଲା³ ‘ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ ବଢ଼େଇ ଦିଅ, ପ୍ରଳୟର ଦିନ ଘୁଞ୍ଚାଇ ଦିଅ...’ ।
ଗୀତ ଗାଇ ଓଡ଼ିଶା ସାରା ସଚେତନ
‘ପ୍ରମେୟ’ ପକ୍ଷରୁ ଜଟଣୀ ପ୍ରଧାନସାହି ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ । ସେଇଠି ହଠାତ୍ ଦେଖାହୋଇଥିଲେ ସ୍ଥାନୀୟ ବରକୁଦା ଗ୍ରାମର ଏମିତି ଜଣେ ପ୍ରକୃତିପ୍ରେମୀ ତଥା ବୃକ୍ଷବନ୍ଧୁ ଦୀନବନ୍ଧୁ ଓରଫ୍ ଦୀନବନ୍ଧୁ ବେହେରା । କାର୍ଯ୍ୟାଳୟ ଆଗରେ ଗାଡ଼ି ରଖି ସେ ଯେତେବେଳେ ଗଛ ଲଗାଇବା ଲାଗି ସବୁ ଆବଶ୍ୟକୀୟ ସରଞ୍ଜାମ(ତେଣ୍ଟା, କଟର, ଦା, କୋଦାଳ, ଫାଉଡ଼ା) ବ୍ୟାଗ୍ରୁ କାଢ଼ିଲେ, ଦେଖି ଆଶ୍ଚର୍ଯ୍ୟ ହେଲୁ । ଗାଡ଼ି ପଛପଟ ପ୍ଲେଟ୍ରୁ ଯଦିଓ ଠିକଣାକୁ ଠଉରାଇ ନେଇଥିଲୁ, ବାକି ନାଁ... ଓ ଗଛପ୍ରେମ ପଛର କାହାଣୀ ପଚାରି ବୁଝିବାକୁ ଉତ୍କଣ୍ଠା ବଢ଼ିଥିଲା । ଗଛ ଲଗା ଓ ଫଟୋ ଉଠା ଭିତରେ ତାଙ୍କ ସହ ମିଶି ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜାଣିଲା ପରେ ବିଶ୍ୱାସ ହେଲାନି, ଆଜି ବି ଏମିତି ମଣିଷ ଅଛନ୍ତି... । ଯିଏ କେବଳ ଗଛକୁ ନେଇ ବଞ୍ଚନ୍ତି ।
୫୭ ବର୍ଷ ଧରି ଲଗାଇଲେଣି ଗଛ
ଦୀନବନ୍ଧୁଙ୍କ ଦେଖିଲେ ଲାଗିବନି ତାଙ୍କୁ ୬୯ ବର୍ଷ । ଏବେବି ତାଙ୍କ ଭିତରେ ୧୯ ବର୍ଷ ଭେଣ୍ଡାର ବଳ । ୧୯୬୯ ମସିହାରୁ ଦୀର୍ଘ ୫୭ ବର୍ଷ ଧରି ଗଛ ଲଗାଇ ଆସୁଛନ୍ତି । ସାରା ଓଡ଼ିଶା ବୁଲି ବୁଲି ପ୍ରାୟ ଲକ୍ଷେରୁ ଅଧିକର ଗଛ ଲଗାଇ ସାରିଲେଣି ବୋଲି ସେ କୁହନ୍ତି । ତାଙ୍କୁ ଯିଏ ଯାହା ଭାବୁ ସେ କେବଳ ଗଛ ଲଗାଇ ଆସୁଛନ୍ତି । କେଉଁଠି ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି ଜାଣନ୍ତି ସେଠି ପହଞ୍ଚିଯାଆନ୍ତି । କିଏ ଡାକିଥାଉ କି ନଥାଉ, ପଚାରୁ କି ନପଚାରୁ । ସେଥିରେ ତାଙ୍କର ଦୁଃଖ ନାହିଁ । ଘରେ ସ୍ତ୍ରୀ କୁନି ଓ ପୁଅ । ଦୀନବନ୍ଧୁଙ୍କ ପରି ସେମାନେ ବି ଗଛ ପ୍ରେମରେ ବାୟା । ପ୍ରତି ମାସରେ ଥରେ ପୁରୀରୁ ନେଇ କେନ୍ଦ୍ରାପଡ଼ା, କଟକ, ସମ୍ବଲପୁର, ବାରିପଦା ଭଳି ବିଭିନ୍ନ ସହର ଓ ଆଖପାଖ ଗାଁକୁ ଯାଇ ଗଛ ଲଗାଉଛନ୍ତି । ଏହାବାଦ୍ ଭୁବନେଶ୍ୱର ଓ ଆଖପାଖରେ ପ୍ରତିଦିନ ସକାଳେ ଓ ସଞ୍ଜରେ କୌଣସି ନା କୌଣସି ସ୍ଥାନରେ ଲୋକେ ତାଙ୍କୁ ଗଛ ଲଗାଉଥିବାର କିମ୍ବା ତା’ର ଯତ୍ନ ନେଉଥିବାର ଦେଖିବାକୁ ପାଆନ୍ତି । ଆମ୍ବ, ଲିମ୍ବ, ବଉଳ, ଅଁଳା, କରଞ୍ଜ, ତେନ୍ତୁଳି ଭଳି ବିଭିନ୍ନ ଚାରା ନିଜ ହାତରୁ କିଣି ବିଭିନ୍ନ ନଦୀପଠା, ଖାଲି ଜମି, ପାହାଡ଼ ଆଦିରେ ଲଗାନ୍ତି । ଏଥିପାଇଁ ବି ତାଙ୍କୁ କେହି ସହାୟତା ମଧ୍ୟ କରନ୍ତି ନାହିଁ । ତଥାପି ସେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସହ ଏ ସମ୍ପର୍କରେ ଗାଁ ଗାଁ ବୁଲି ଗୀତ ଗାଇ ସଚେତନତା କରିଆସୁଛନ୍ତି । ଯେଉଁଥିପାଇଁ ସେ ବିଭିନ୍ନ ସ୍ଥାନରେ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି । ପୂର୍ବରୁ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ ଏବେ ଗଛପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ । ବର୍ତ୍ତମାନ ପରିବାର ଦାୟିତ୍ୱ ପୁଅକୁ ଦେଇ ଦୀନବନ୍ଧୁ ପରିବେଶ ସୁରକ୍ଷାର ପ୍ରହରୀ ସାଜିଛନ୍ତି ।
ଗଛ ପଛର ପ୍ରେରଣା ମା’
ନିଜର କାହାଣୀ ବଖାଣିଲା ଭିତରେ ଦୀନବନ୍ଧୁ ମା’କୁ ମନେପକାଇ କହିଥିଲେ, ପିଲାଦିନେ ମା’ ସ୍ୱର୍ଗତ ଗେଲି ବେହେରା ଘର ପଛପଟେ ଫଳ ଗଛ ଲଗାଉଥିଲେ । ତାକୁ ଦେଖି ପ୍ରଭାବିତ ହୋଇଥିଲି । ଆଜି ମା’ଙ୍କ ସ୍ମୃତିକୁ ମନେପକାଇ ପୃଥିବୀ ମା’ର ସୁରକ୍ଷା ପାଇଁ ଗଛ ଲଗାଉଛି । ଏସବୁ ଦେଖିବାକୁ ମା’ ନାହିଁ, କିନ୍ତୁ ତା’ର ପ୍ରେରଣାର ଶ୍ରୋତ ଆଜି ଆତ୍ମବିଶ୍ୱାସ ସ୍ୱରୂପ ମତେ ଶକ୍ତି ଯୋଗାଇ ଚାଲିଛି । ଆଜି ଯେଉଁ ଭେଣ୍ଡାର ବଳ କହି ପ୍ରଶଂସା କରୁଛନ୍ତି, ସବୁ ତା’ରି ଆଶୀର୍ବାଦ । ଏ ନିଃଶ୍ୱାସ ଥିବା ଯାଏ, ଆଉ ତ କିଛି କରିବାକୁ ସମ୍ବଳ ନାହିଁ, ସେମିତି ଗଛ ଲଗାଉଥିବେ ବୋଲି ଦୀନବନ୍ଧୁ କହିଛନ୍ତି ।
ଅଧିକ ପଢ଼ନ୍ତୁ :- Odisha Lightning Alert: ଆକାଶରୁ ଖସୁଛି ବଜ୍ର, ୩ ଦିନରେ ବଜ୍ରାଘାତରେ ୧୦ ମୃତ, ଆଲର୍ଟ କରିବାକୁ ପଞ୍ଚାୟତରେ ବାଜିବ ସାଇରନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।