09 JULY 2026

Welcome!

Unlock your personalized experience.
Sign Up

Space Debris: ମୁଣ୍ଡ ଉପରେ ଘୂରୁଛି ଅଦୃଶ୍ୟ ବିପଦ ! ବନ୍ଦ ହୋଇପାରେ GPS-ଇଣ୍ଟରନେଟ୍ ସେବା

Jul 09, 2026 - 15:12
Space Debris: ମୁଣ୍ଡ ଉପରେ ଘୂରୁଛି ଅଦୃଶ୍ୟ ବିପଦ ! ବନ୍ଦ ହୋଇପାରେ GPS-ଇଣ୍ଟରନେଟ୍ ସେବା

ବ୍ୟୁରୋ ୦୯/୦୭ : ଆପଣ ଭାବୁଥିବେ ବିପଦ କେବଳ ପୃଥିବୀରେ ରହିଛି । କିନ୍ତୁ ଜାଣିଛନ୍ତି କି... ଆମ ମୁଣ୍ଡ ଉପରେ, ମହାକାଶରେ ଘୂରୁଛି ହଜାର ହଜାର ଟନ୍‌ର ମାନବ ନିର୍ମିତ ଅଳିଆ। ଏହି ଅଦୃଶ୍ୟ ବିପଦ ଯଦି କୌଣସି ଉପଗ୍ରହକୁ ଧକ୍କା ଦିଏ, ତେବେ ଗୋଟିଏ ମୁହୂର୍ତ୍ତରେ ଠପ୍ ହୋଇପାରେ GPS, ଇଣ୍ଟରନେଟ୍, ମୋବାଇଲ୍ ନେଟୱର୍କ ଓ ପାଣିପାଗ ସେବା। ବୈଜ୍ଞାନିକଙ୍କ ଚେତାବନୀ ପରେ ଏବେ ସାରା ବିଶ୍ୱର ନଜର ଏହି ବଢ଼ୁଥିବା ବିପଦ ଉପରେ।

ପୃଥିବୀର କକ୍ଷପଥରେ ବଢ଼ୁଥିବା ମାନବ ନିର୍ମିତ ମହାକାଶ ଅଳିଆ ବିଶ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅଚଳ ଉପଗ୍ରହ, ପରିତ୍ୟକ୍ତ ରକେଟ୍ ପର୍ଯ୍ୟାୟ ଏବଂ ଭାଙ୍ଗିଯାଇଥିବା ମହାକାଶଯାନର ଅଂଶଗୁଡ଼ିକ ଅତ୍ୟଧିକ ବେଗରେ କକ୍ଷପଥରେ ଘୂରୁଛି । ଫଳରେ ଉପଗ୍ରହ ଧକ୍କା, ଯୋଗାଯୋଗ ବ୍ୟବସ୍ଥାରେ ବାଧା ଏବଂ ପୃଥିବୀକୁ ମହାକାଶ ଅଳିଆ ଖସିପଡ଼ିବାର ବିପଦ ଲଗାତାର ବଢ଼ିଚାଲିଛି।

ଅଧିକ ପଢନ୍ତୁ ;- Newzealand offers India: ପ୍ରଥମ ଦିନରୁ ଟାରିଫ୍ ଫ୍ରି... ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଭାରତକୁ ମିଳିଲା ବଡ଼ ଅଫର

ବୈଜ୍ଞାନିକମାନଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି 'କେସଲର ସିଣ୍ଡ୍ରୋମ୍'। ୧୯୭୮ ମସିହାରେ NASAର ବୈଜ୍ଞାନିକ ଡୋନାଲ୍ଡ କେସଲର ଏହି ତତ୍ତ୍ୱ ଦେଇଥିଲେ। ଏହା ଅନୁଯାୟୀ, କକ୍ଷପଥରେ ଭଗ୍ନାବଶେଷର ସଂଖ୍ୟା ବଢ଼ିଲେ ସେଗୁଡ଼ିକ ପରସ୍ପର ସହ ଧକ୍କା ହୋଇ ଆହୁରି ଅଧିକ ଖଣ୍ଡରେ ପରିଣତ ହେବ। ଏହି ଚେନ୍ ରିଆକ୍ସନ୍ ପୃଥିବୀର କକ୍ଷପଥକୁ ଅଧିକ ବିପଦପୂର୍ଣ୍ଣ କରିପାରେ ଏବଂ ଭବିଷ୍ୟତରେ ନୂଆ ଉପଗ୍ରହ ଉତକ୍ଷପଣରେ ମଧ୍ୟ ସମସ୍ୟା ସୃଷ୍ଟି ହେବ।

ମହାକାଶ ଅଳିଆ ଉପଗ୍ରହ ପାଇଁ ସବୁଠାରୁ ବଡ଼ ବିପଦ । ଏହା ସହ ଧକ୍କା ହେଲେ GPS ନାଭିଗେସନ୍, ଇଣ୍ଟରନେଟ୍, ମୋବାଇଲ୍ ଯୋଗାଯୋଗ, ଟେଲିଭିଜନ ପ୍ରସାରଣ ଓ ଅନ୍ୟାନ୍ୟ ସାଟେଲାଇଟ୍ ନିର୍ଭରଶୀଳ ସେବା ବାଧାପ୍ରାପ୍ତ ହୋଇପାରେ। ପାଣିପାଗ ଉପଗ୍ରହ କ୍ଷତିଗ୍ରସ୍ତ ହେଲେ ଘୂର୍ଣ୍ଣିଝଡ଼ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ପୂର୍ବାନୁମାନ ମଧ୍ୟ ପ୍ରଭାବିତ ହେବ।

ବୈଜ୍ଞାନିକମାନେ ଆହୁରି ସତର୍କ କରିଛନ୍ତି ଯେ ମହାକାଶ ଅଳିଆର କିଛି ଅଂଶ ପୁଣିଥରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରୁଛି। ବିଶେଷକରି ବିମାନ ପଥରେ ଏହା ଖସିପଡ଼ିବାର ଆଶଙ୍କା ବଢ଼ୁଛି । ବିମାନର ଝରକା କିମ୍ବା ଇଞ୍ଜିନରେ ଛୋଟ ଧାତବ ଖଣ୍ଡ ଧକ୍କା ହେଲେ ମଧ୍ୟ ବଡ଼ ବିମାନ ଦୁର୍ଘଟଣା ଘଟିପାରେ। ନିକଟରେ ଅଷ୍ଟ୍ରେଲିଆ ଉପକୂଳରେ ଏକ ବିଶାଳ ରକେଟ୍ ଅଂଶ ଏବଂ କେନିଆରେ ମହାକାଶ ଉପକରଣର ବଡ଼ ଧାତୁ ଖଣ୍ଡ ମିଳିବା ଘଟଣା ଏହି ବିପଦକୁ ଆହୁରି ସ୍ପଷ୍ଟ କରିଛି।

ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ବର୍ତ୍ତମାନ ପୃଥିବୀ ଚାରିପାଖରେ ୧୩ ହଜାର ଟନ୍‌ରୁ ଅଧିକ ମାନବ ନିର୍ମିତ ମହାକାଶ ଅଳିଆ ଘୂରି ବୁଲୁଛି। ୧୦ ସେଣ୍ଟିମିଟରରୁ ବଡ଼ ୩୦ ହଜାରରୁ ଅଧିକ ବସ୍ତୁକୁ ଟ୍ରାକ୍ କରାଯାଉଥିବା ବେଳେ, ୧ ସେଣ୍ଟିମିଟରରୁ ବଡ଼ ପ୍ରାୟ ୧୦ ଲକ୍ଷ କ୍ଷୁଦ୍ର ଖଣ୍ଡ କକ୍ଷପଥରେ ରହିଛି। ଏହି ଛୋଟ ଛୋଟ ଖଣ୍ଡଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇଥିବାରୁ ସେଗୁଡ଼ିକ ଅଧିକ ବିପଦପୂର୍ଣ୍ଣ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ମହାକାଶରେ ବଢ଼ୁଥିବା ଏହି ଅଳିଆ ଆଉ କେବଳ ବୈଜ୍ଞାନିକଙ୍କ ଚିନ୍ତା ନୁହେଁ, ବରଂ ଆମ ଦୈନନ୍ଦିନ ଜୀବନ, ଯୋଗାଯୋଗ ବ୍ୟବସ୍ଥା ଓ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଏକ ବଡ଼ ବିପଦର ସତର୍କ ଘଣ୍ଟି। ସମୟ ଥିବାବେଳେ ପଦକ୍ଷେପ ନିଆନଗଲେ, ଭବିଷ୍ୟତରେ ଆକାଶରେ ଘୂରୁଥିବା ଏହି ଅଦୃଶ୍ୟ ଅଳିଆ ପୃଥିବୀର ଜୀବନକୁ ନଷ୍ଟ କରିଦେବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।