Rath Yatra 2026 : ରଥଯାତ୍ରା ସରିବା ପରେ ବି ମିଳିପାରୁନି ରଥ ସ୍ପର୍ଶ, ଟଙ୍କା ଦେଲେ ମିଳୁଛି ଖଣ୍ଡେ ରଥ କନା
ପୁରୀ, ୩୧/୦୭ : ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଅଟକିଛି ୩ ରଥ । ମହାପ୍ରଭୁମାନେ ରଥଯାତ୍ରା ସାରି ବଡ଼ଦେଉଳ ସିଂହାସନରେ ବିଜେ କରିସାରିଛନ୍ତି । ରଥ ଭାଙ୍ଗିବା କାମ ଆରମ୍ଭ ହୋଇଛି । ହେଲେ ଅଦ୍ୟାବଧି ରଥ ଛୁଇଁବାକୁ ଶ୍ରଦ୍ଧାଳୁଙ୍କୁ ମିଳୁନି ସୁଯୋଗ । ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ରଥଗୁଡ଼ିକ ବ୍ୟାରିକେଡ ଭିତରେ ରହିଛି । ରଥକୁ ସାଧାରଣ ଶ୍ରଦ୍ଧାଳୁ ଛୁଇଁ ପାରୁନାହାନ୍ତି । ଯାହାକୁ ନେଇ ଭକ୍ତ ବ୍ୟାକୁଳ । ମହାପ୍ରଭୁଙ୍କ ସ୍ପର୍ଶ ପାଇ ଦେବତା ହୋଇ ଉଠିଥିବା ଏହି ରଥକୁ ଟିକିଏ ଛୁଇଁ ଆନନ୍ଦରେ ବିଭୋର ହୋଇଯିବାକୁ ସାଧାରଣ ଭକ୍ତମାନେ ବ୍ୟାରିକେଡ୍ ପାଖରେ ଉପସ୍ଥିତ ପୁଲିସକୁ ଗୁହାରି କରୁଛନ୍ତି । ହେଲେ ପୁଲିସ ବାବୁମାନେ ଶୁଣୁନାହାନ୍ତି । ଚାଲି ଯିବାକୁ ଶ୍ରଦ୍ଧାଳୁଙ୍କୁ କହୁଛନ୍ତି । ଭକ୍ତ ମନ ଶୁଖାଇ ଚାଲିଯାଉଛି । ଦୂରରୁ ମୁଣ୍ଡିଆ ମାରି ଚାଲି ଯିବା ଛଡ଼ା ତାହା ପାଖରେ ଅନ୍ୟ ଉପାୟ ନାହିଁ ।
ସେପଟେ କିଛି ଶ୍ରଦ୍ଧାଳୁ ନିଜେ ନହେଲା ନାହିଁ ବ୍ୟାରିକେଡ୍ ଉପର ଦେଇ ନିଜ ପିଲାଙ୍କୁ ରଥ ଉପରେ ଥିବା ବ୍ୟକ୍ତିମାନଙ୍କୁ ବଢ଼ାଇ ଦେଉଛନ୍ତି । ପିଲାର ଶୁଭ ମନାସୀ ରଥ ଛୁଆଇଁବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । କିଛି ଟଙ୍କା ଦେଇ ଏତିକି ସୁଯୋଗ ଅନେକ ନେଉଛନ୍ତି । ରଥ ଭାଙ୍ଗିବାରେ ନିୟୋଜିତ ବ୍ୟକ୍ତିମାନଙ୍କଠାରୁ ଅନେକ ଶ୍ରଦ୍ଧାଳୁ ରଥ କନା ଟିକିଏ ଆଣି ବେଶ ଖୁସ୍ । ଅଳ୍ପ କିଛି ଟଙ୍କା ନେଇ ଏହି ବ୍ୟକ୍ତିମାନେ ଶ୍ରଦ୍ଧାଳୁଙ୍କୁ ରଥ କନା ଟିକିଏ ଲେଖାଏଁ ଦେଉଛନ୍ତି ।
ଏନେଇ ଭଦ୍ରକର ଶିବ ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସାଧାରଣ ବ୍ୟକ୍ତି ଛୁଇଁବା ମନା ଯଦି ଠିକ୍ ଅଛି । ହେଲେ ରଥକୁ ଟିକିଏ ଛୁଇଁ ଦେଇ ଦିବ୍ୟତାର ଅନୁଭୂତି ପାଇବାକୁ ପ୍ରଶାସନ କାହିଁକି ଶ୍ରଦ୍ଧାଳୁଙ୍କ ଉପରେ ରୋକ ଲଗାଇଛି । ଏହା ସହି ହେଉନି । କାହା ସଙ୍ଗେ ବିବାଦ କରି ଭକ୍ତ କ’ଣ ପାଇବ, ତେଣୁ ମହାପ୍ରଭୁ ଓ ରଥକୁ ଦୂରରୁ ପ୍ରଣାମ କରି ଚାଲିଯାଉଛି । ରଥଯାତ୍ରାରେ ନହେଲା ନାହିଁ, ରଥଯାତ୍ରା ପରେ ଅତିକମ୍ରେ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁ ପ୍ରଣାମ କରିବାର ଅଧିକାର ପ୍ରଶାସନ ଛଡ଼ାଇ ନନେଉ।
ଆହୁରି ପଢନ୍ତୁ- Flood Crisis: ମୁଣ୍ଡଳୀ ସ୍ଥିତି ପରଖିଲେ ଜଳ ସମ୍ପଦ ସଚିବ, କହିଲେ 'ଆଗକୁ ନାହିଁ ବନ୍ୟା ବିପଦ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।