Welcome!

Unlock your personalized experience.
Sign Up

Odisha flood crisis : ଲଗାଣ ବର୍ଷାରେ ଫୁଲୁଛି ନଈ, ସାଳନ୍ଦୀ ନଦୀରେ ଘାଇ, ବୁଡ଼ିଗଲା ଶତାଧିକ ହେକ୍ଟର ଚାଷ ଜମି

Jul 27, 2026 - 12:40
Odisha flood crisis : ଲଗାଣ ବର୍ଷାରେ ଫୁଲୁଛି ନଈ, ସାଳନ୍ଦୀ ନଦୀରେ ଘାଇ, ବୁଡ଼ିଗଲା ଶତାଧିକ ହେକ୍ଟର ଚାଷ ଜମି

ଭୁବନେଶ୍ଵର, ୨୭/୦୭ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ। ବଢୁଛି ଜଳସ୍ତର। ଫଳରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦେଉଳା ନିକଟରେ ସାଳନ୍ଦୀ ନଦୀରେ ଘାଇ ସୃଷ୍ଟି ହୋଇଛି। ହଦଗଡ ଡ୍ୟାମ ପାଣି ଛାଡିବା ପରେ ସାଳନ୍ଦୀ ନଦୀରେ ଘାଇ ସୃଷ୍ଟି ହୋଇଛି। ଏହି କାରଣରୁ କୁବେରା, ବାରୋ, ବିଲଣା ଆଦି ପଞ୍ଚାୟତର ଧାନ ବିଲରେ ପାଣି ଲହଡ଼ି ମାରୁଛି। ଶତାଧିକ ହେକ୍ଟର ଚାଷ ଜମି ପାଣିରେ ବୁଡି ଯାଇଛି। ଲଗାଣ ବର୍ଷା ସାଙ୍ଗକୁ ନଦୀ ଜଳ ବିଲରେ ପଶିବା ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଗତବର୍ଷ ମଧ୍ୟ ସେହି ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏ ସମ୍ପର୍କରେ ଚାଷୀମାନେ ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଘାଇ ପୋତିବାକୁ ଦାବି କରାଯାଇଥିବା ବେଳେ ସଂପୃକ୍ତ ଯନ୍ତ୍ରୀ ଘଟଣାର ଗୁରୁତ୍ଵ ଅନୁଭବ କରି ଖୁବ୍‌ଶୀଘ୍ର ଘାଇ ପୋତିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି।

ସେପଟେ ଗମେଇ ଓ କାଂଶବାଂଶ ନଦୀରେ ବନ୍ୟାଜଳ ଆସିବାରୁ ବାସୁଦେବପୁର ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ପାଣି ଘେରରେ ରହିଛି। ଏବେବି ଚାଷ ଜମିରେ ୪ ରୁ ୫ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଛି।  ଫଳରେ ଧାନ ତଳି ଗୁଡ଼ିକ ପଚି ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଚାଷ ଜମି ଗୁଡିକରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରୁଛି । ବାସୁଦେବପୁର ବ୍ଲକର ବରଣ୍ଡୁଆ ଓ ସୁଦର୍ଶନପୂର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପ୍ରଖର ସୁଅ ପଡିଥିବାରୁ ଯାତାୟାତରେ ବାଧା ସୃଷ୍ଟି କରିଛି। ଏହି ରାସ୍ତା ପାର୍ଶ୍ୱରେ ୪ ରୁ ୫ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବ୍ଲକରେ ବରଣ୍ଡୁଆ, ନରସିଂହପୁର, ସୁଦର୍ଶନପୁର, ସୁଆଁ , ରତାଙ୍ଗରେ ବନ୍ୟାଜଳ ପ୍ରବେଶ କରିବାରୁ ଲକ୍ଷାଧିକ ଟଙ୍କାର ଧାନ ଚାଷ ଉଜୁଡି ଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ କେମିତି ଋଣ ଶୁଝିବେ ସେନେଇ ଚିନ୍ତା ଘାରିଛି । ଦୁଇ ଦୁଇ ଥର ଏହି ବନ୍ୟା ଆସିଥିଲେ ବି କୌଣସି ପ୍ରଶାସନ ଏହି ଜଳବନ୍ଦୀରେ ଥିବା ପରିବାର ପାଖରେ ପହଞ୍ଚିନଥିବା କହିଛନ୍ତି ପ୍ରଭାବିତ ପରିବାର।

ଆହୁରି ପଢନ୍ତୁ- Food inflation : ବଜାରରେ ଦରଦାମ୍‌ର ଲମ୍ବଡିଆଁ, ଚିନି କିଲୋ ୫୫, ସୋରିଷ ତେଲ ୧୯୦...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।