Welcome!

Unlock your personalized experience.
Sign Up

New leader of Hamas: ଖଲିଲ ଅଲ୍ ହୟା ହମାସର ନୂତନ ମୁଖ୍ୟ ନିଯୁକ୍ତ,ୟାହ୍ୟା ସିନୱାରଙ୍କ ନେଲେ ସ୍ଥାନ

Jul 20, 2026 - 19:32
New leader of Hamas: ଖଲିଲ ଅଲ୍ ହୟା ହମାସର ନୂତନ ମୁଖ୍ୟ ନିଯୁକ୍ତ,ୟାହ୍ୟା ସିନୱାରଙ୍କ ନେଲେ ସ୍ଥାନ

ନୂଆଦିଲ୍ଲୀ,୨୦।୭: ଆତଙ୍କବାଦୀ ସଂଗଠନ ହମାସକୁ ମିଳିଲା ନୂଆ ନେତା । ଖଲିଲ ଅଲ-ହୟା ହମାସର ନୂତନ ମୁଖ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ହମାସର ଅନ୍ତରୀଣ ନିର୍ବାଚନରେ ପୂର୍ବତନ ରାଜନୈତିକ ନେତା ଖାଲିଦ ମାଶାଲଙ୍କୁ ହରାଇଛନ୍ତି। ଖଲିଲ ଅଲ-ହୟା ପୂର୍ବତନ ନେତା ୟାହ୍ୟା ସିନୱାରଙ୍କ ସ୍ଥାନ ନେବେ, ଯାହାଙ୍କୁ ଅକ୍ଟୋବର ୨୦୨୪ ରେ ଇସ୍ରାଏଲୀ ସେନା ଦ୍ୱାରା ହତ୍ୟା କରାଯାଇଥିଲା। ହମାସ ଦୀର୍ଘ ସମୟ ଧରି ନେତୃତ୍ୱହୀନ ରହିଛି। କାରଣ ଇସ୍ରାଏଲ ସମସ୍ତ ହମାସ ନେତାଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଛି।

ସେପଟେ ଆତଙ୍କୀ ସଂଗଠନ ହମାସ ଘୋଷଣା କରିଛି ଯେ, ଖଲିଲ ଅଲ୍ ହୟାଙ୍କୁ ହମାସ ମୁଖ୍ୟ ଭାବରେ ଚୟନ କରାଯାଇଛି। ଅଲ୍ ହୟା ପୂର୍ବରୁ ଗାଜାରେ ହମାସର ପଲିଟିକାଲ ବ୍ୟୁରୋର ମୁଖ୍ୟ ଥିଲେ। ଖଲିଲ ଅଲ୍ ହୟା ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଅସ୍ତ୍ରବିରତି ଓ ବନ୍ଧକଙ୍କ ମୁକ୍ତି ଉପରେ ହୋଇଥିବା ଆଲୋଚନା ବେଳେ ଆତଙ୍କୀ ସଂଗଠନର ମୁଖ୍ୟ ବାର୍ତ୍ତାକାର ଥିଲେ। ଏହି ଯୁଦ୍ଧ ୭ ଅକ୍ଟୋବର ୨୦୨୩ ରେ ହମାସ ଆକ୍ରମଣ ଓ ନରସଂହାର ପରେ ଆରମ୍ଭ ହୋଇଥିଲା। ହମାସ ନେତା ସିନଓ୍ବାର ଓ ଇସ୍ମାଇଲ ହାନିଆଙ୍କ ହତ୍ୟା ପରେ ଗତ ଦୁଇ ବର୍ଷ ହେବ ଏହି ସଂଗଠନର ଦାୟିତ୍ବ ୫ ସଦସ୍ୟ ବିଶିଷ୍ଠ ଏକ ଲିଡରସିପ୍ କାଉନସିଲ୍ ହାତରେ ଥିଲା, ଯେଉଁଥିରେ ଅଲ୍-ହୟା ମଧ୍ୟ ଥିଲେ।

ଖଲିଲ ଅଲ୍ ହୟା ୭ ଅକ୍ଟୋବର ଆକ୍ରମଣ ବିଷୟରେ କହିଛନ୍ତି, ଏହାର ଉଦେଶ୍ୟ ଜେଲ୍ରେ ବନ୍ଦ ଥିବା ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲୀ ସୈନିକଙ୍କୁ ଧରିବାର ଥିଲା। ଯାହାଫଳରେ କଏଦୀ ଅଦଳ ବଦଳ କରିହେବ। ଖଲିଲ୍ ହୟା ୭ ଅକ୍ଟୋବର ଆକ୍ରମଣକୁ ମହାନ କାର୍ଯ୍ୟ’ ବୋଲି କହିଛନ୍ତି। ସେ କହିଥିଲେ, ହମାସ ନେତୃତ୍ବଙ୍କୁ ଜଣାଥିଲା, ଏହି କାର୍ଯ୍ୟର ପ୍ରତିକ୍ରିୟା ବଡ଼ ହେବ।’ ଅଲ୍ ହୟା ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ହମାସ ଆକ୍ରମଣ ଏଥିପାଇଁ କରାଗଲା, କାରଣ ପୁରା ସମୀକରଣ ବଦଳିଯିବ ଓ ପାଲେଷ୍ଟାଇନ୍ ପ୍ରସଙ୍ଗକୁ ପୁଣି ଥରେ ଅନ୍ତର୍ଜାତୀୟ ଆଲୋଚନାର ପ୍ରମୁଖ ସ୍ଥାନକୁ ଆଣିହେବ। ଅଲ-ହାୟା ଇସଲାମିକ୍ ୟୁନିଭର୍ସିଟି ଅଫ୍ ଗାଜାରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ତା'ପରେ ସେ ଜୋର୍ଡାନ ୟୁନିଭର୍ସିଟିରୁ ହଦିସରେ ଏମ୍ଏ ଏବଂ ପରେ ପିଏଚଡି ମଧ୍ୟ କରିଛନ୍ତି। ୧୯୮୭ ରେ ହମାସ ପ୍ରତିଷ୍ଠା ହେବା ପରଠାରୁ ସେ ହମାସ ସହିତ ଜଡିତ ଅଛନ୍ତି ଏବଂ ୨୦୦୬ ରୁ ଗାଜା ସିଟିରୁ ପାଲେଷ୍ଟାଇନୀ ବିଧାନସଭା ପରିଷଦର ସଦସ୍ୟ ଅଛନ୍ତି।

ଅଲ-ହାୟା ବେଳେବେଳେ ଅସ୍ତ୍ରବିରତି ପାଇଁ କଥା ହୁଅନ୍ତି, କିନ୍ତୁ ତାଙ୍କର ପ୍ରାଥମିକ ଦାବି ହେଉଛି ୧୯୬୭ ପୂର୍ବ ସୀମା ଉପରେ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ପାଲେଷ୍ଟାଇନୀ ରାଷ୍ଟ୍ର ତିଆରି ହେଉ। ଇସ୍ରାଏଲୀ ଆକ୍ରମଣରେ ସେ ତାଙ୍କ ପତ୍ନୀ, ପୁଅ ଏବଂ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସମେତ ଅନେକ ପରିବାର ସଦସ୍ୟଙ୍କୁ ହରାଇଛନ୍ତି। ୨୦୨୫ ରେ,ଅଲ୍ ହାୟା ଦୋହା ଉପରେ ଇସ୍ରାଏଲୀ ଆକ୍ରମଣରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ଆହୁରି ପଢନ୍ତୁ : China's New AI Policy : ଚୀନ୍ ସରକାର ନେଲେ ବଡ଼ ନିଷ୍ପତ୍ତି, ଏବେ ଚାଟବଟ୍ କରିପାରିବନି ଭଲ ପାଇବାର କଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।