Migrant labour : ତାମିଲନାଡୁରୁ ଆସିପାରୁନି ଦାଦନ ପୁଅର ମୃତଦେହ, ଶବ ଫେରାଇ ଆଣିବାକୁ ବାପାର ଆକୁଳ ନିବେଦନ
କେନ୍ଦୁଝର, ୨୨/୦୭ : ୪ଦିନ ହେବ ତାମିଲନାଡୁରେ ପଡିରହିଛି ଗଣେଶ ଜୁଆଙ୍ଗ ମୃତଦେହ । ଗଣେଶଙ୍କ ମୃତଦେହ ଓଡ଼ିଶା ଆଣିବାକୁ ତାମିଲନାଡୁରେ ଥିବା ସହଯୋଗୀଙ୍କୁ ଅଡୁଆ କରିଛି ଭାଷାଗତ ସମସ୍ୟା । ଯେଉଁଥିପାଇଁ ମୃତଦେହ ବ୍ୟବଚ୍ଛେଦ ହୋଇପାରୁନି କି ଓଡ଼ିଶା ଆସିପାରୁନି । ଏସବୁର ଅସୁବିଧା ପାଇଁ ଶ୍ରମ ବିଭାଗର ଅବହେଳା ଅସନ୍ତୋଷର କାରଣ ସାଜିଛି । ଗରିବ ପରିବାର ମୃତଦେହକୁ ଆଣିବା ଅବସ୍ଥାରେ ନଥିବା ବେଳେ ଜିଲ୍ଲା ଏସ୍ପି ନିତିନ କୁଶଲକରଙ୍କ ହସ୍ତକ୍ଷେପ ପରେ ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ କେନ୍ଦୁଝର ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଏପଟେ ମୃତଦେହ ପହଞ୍ଚି ନଥିବାରୁ ଚିନ୍ତାରେ ପରିବାର ଲୋକ ଆଖିରୁ ଲୁହ ଶୁଖୁନାହିଁ।
କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ରେବଣାପଳାସପାଳ ଅଞ୍ଚଳରୁ ଦାଦନ ଖଟିବାକୁ ସୁଦୂର କେରଳ ରାଜ୍ୟକୁ ଯାଉଥିବା ବେଳେ ଅଧା ବାଟରେ ଚାଲି ଯାଇଥିଲା ଗଣେଶ ଜୁଆଙ୍ଗଙ୍କ ଜୀବନ । ଗଣେଶ ଜୁଆଙ୍ଗ ଉକ୍ତ ଗ୍ରାମର ଗୁନେଇ ଜୁଆଙ୍ଗ ଏବଂ ଗୌରା ଜୁଆଙ୍ଗଙ୍କ ସହିତ ଅନ୍ୟ ଗ୍ରାମର କେତେକ ଯୁବକଙ୍କ ସହ ବସ୍ ଯୋଗେ ଯାଉଥିଲେ। ଶନିବାର ତାମିଲନାଡୁର ଚିତ୍ତୋର ଥାନା ଅଞ୍ଚଳରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ପୁଅର ଶବ ଗାଁକୁ ଆଣିବାକୁ ବାପା ଯଦୁ ଜୁଆଙ୍ଗ ସୋମବାର କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ । ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଶବ ଆଣିବାକୁ ସେମାନେ ଅକ୍ଷମ ବୋଲି ଯଦୁ ଜୁଆଙ୍ଗ କହିଥିଲେ । ଅନ୍ୟପକ୍ଷରେ ମୃତଦେହ ନିକଟରେ ଦାଦନ ଖଟିବାକୁ ଯାଉଥିବା ଅନ୍ୟ ଶ୍ରମିକ ରହିଥିଲେ ମଧ୍ୟ ସେମାନେ ସେଠାକାର ଭାଷା ବୁଝିବାକୁ ସମସ୍ୟା ହେଉଥିବା ଯୋଗୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନି । ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରକ୍ଷୀ ଅଧିକ୍ଷକ କେନ୍ଦୁଝରଙ୍କୁ ଚିଠି କରାଯାଇ ମୃତ ଦେହକୁ ତାମିଲନାଡୁରୁ କେନ୍ଦୁଝରକୁ ଆଣିବା ପାଇଁ ନୋ ଅବଜେକସନ ସାର୍ଟିଫିକେଟ ପ୍ରଦାନ ପାଇଁ ଚିଠି କରିଛନ୍ତି । ମାତ୍ର ସେଭଳି କୌଣସି ବ୍ୟବସ୍ଥା ନଥିବା ବେଳେ ଶ୍ରମବିଭାଗ ମୃତଦେହକୁ ବ୍ୟବଚ୍ଛେଦ କରାଇବା ଏବଂ ଆଣିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରୁନଥିବା ମୃତକ ଶ୍ରମିକଙ୍କ ବାପା ଯଦୁ ଜୁଆଙ୍ଗ ଅଭିଯୋଗ କରିଛନ୍ତି ।
ଗଣେଶଙ୍କ ଶବ ବ୍ୟବଚ୍ଛେଦ ନହୋଇ ପେରୁନଦୁରାଇ ସରକାରୀ ମେଡିକାଲ କଲେଜରେ ପଡି ରହିଛି। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେଇ ଦିନ ଠାରୁ ଗଣେଶଙ୍କ ମୃତଦେହ ଏହି ଡାକ୍ତରଖାନାର ଶବ ଗୃହରେ ପଡି ରହିଛି । ଗଣେଶ ପରିବାର ଲୋକଙ୍କ ସ୍ୱୀକାର ପତ୍ର ଏବଂ କେନ୍ଦୁଝର ଶ୍ରମ ବିଭାଗ କାଗଜ ପତ୍ର କାମକୁ ଅନାଇ ବସି ରହିଛି ସେଠାକାର ପୁଲିସ । କିନ୍ତୁ ଏପଟେ କେନ୍ଦୁଝରର ଶ୍ରମ ବିଭାଗ ସାଜିଛି ନିଦା ବିଷ୍ଣୁ । ଦୀର୍ଘ ଚାରି ଦିନ ହେବ କେବଳ କାଗଜପତ୍ରରେ ପୁଲିସ ଏବଂ ପ୍ରଶାସନକୁ ଜଣାଯାଇଥିବା କହି ଏବଂ ଏନ୍ଓସି ମଗାଯାଇଥିବା କହି ହାତ ଟେକି ବସିଛି ଶ୍ରମ ବିଭାଗ । ଏପଟେ କିପରି ଏନ୍ଓସି ଦିଆଯିବ ଏବଂ ସେଥିରେ କ’ଣ ଲେଖାଯିବ ତାହା ପୁଲିସ ବାରମ୍ବାର ଶ୍ରମ ବିଭାଗକୁ ପଚାରୁଥିଲେ ମଧ୍ୟ ଶ୍ରମ ବିଭାଗ କୌଣସି ଉତ୍ତର ଦେଇ ପାରୁନି । ଏପରି ଛକାପଞ୍ଝାରେ ଚାରିଦିନ ବିତି ଯାଇଥିଲେ ବି ଆଜି ଯାଏ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ଏହି ଖବର ଜାଣିବା ପରେ ଜିଲ୍ଲା ଏସ୍ପି ଶ୍ରମବିଭାଗକୁ କଡା ତାଗିଦ କରିଛନ୍ତି । ମୃତଦେହ କିଭଳି ବ୍ୟବଚ୍ଛେଦ ହେବ ଓ ବିମାନ ଯୋଗେ ଓଡ଼ିଶା ପହଞ୍ଚିବ ସେନେଇ ପୁଲିସ ପକ୍ଷରୁ ଯୋଗାଯୋଗ କରାଯାଇଛି । ଏ ସମ୍ପର୍କରେ ଶ୍ରମ ଅଧିକାରୀ ଆକାଶ ବିଶୋୟୀଙ୍କୁ ପଚାରିବାରୁ ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହ ଓଡ଼ିଶା ଆଣିବାର ବ୍ୟବସ୍ଥା କରାଯାଉଛି । ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡିରେ କେନ୍ଦୁଝର ଆଣି ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।
ଆହୁରି ପଢନ୍ତୁ- COVID-19 : ଗଞ୍ଜାମରେ ପୁଣି ଡରାଇଲାଣି କୋଭିଡ୍, ମନେ ପଡୁଛି ଲକ୍ଡାଉନ୍, କ୍ଵାରେଣ୍ଟାଇନ୍ ଓ ସାମାଜିକ ଦୂରତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।