03 AUGUST 2026

Welcome!

Unlock your personalized experience.
Sign Up

Matrimonial Fraud : ବିଧବାଙ୍କୁ ସିନ୍ଦୂର ଦେବାକୁ କହି ଲଗାଇଲେ ୬୦ଲକ୍ଷର ଚୂନ : ମୁଖ୍ୟ ଅଭିଯୁକ୍ତ ଫେରାର୍, ସହଯୋଗୀ ଗିରଫ

Aug 03, 2026 - 09:29
Matrimonial Fraud : ବିଧବାଙ୍କୁ ସିନ୍ଦୂର ଦେବାକୁ କହି ଲଗାଇଲେ ୬୦ଲକ୍ଷର ଚୂନ : ମୁଖ୍ୟ ଅଭିଯୁକ୍ତ ଫେରାର୍, ସହଯୋଗୀ ଗିରଫ

ବ୍ରହ୍ମପୁର,୦୩/୦୮: : ବିଧବାଙ୍କୁ ବିବାହ କରିବ କହି ୬୦ଲକ୍ଷ ନେଲା । ବିବାହ କଲା ନାହିଁ କି ଟଙ୍କା ଫେରାଇଲା ନାହିଁ । ଶେଷରେ ବିଧବା ବଡ଼ ଠକେଇର ଶିକାର ହୋଇଥିବା ଜାଣି ଏତଲା ଦେଲେ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାର ସହଯୋଗୀ କନ୍ଧମାଳ ଚକାପାଦ ଥାନା ପସାର ଗ୍ରାମର ଉତ୍ତମ କୁମାର ସାହୁ ଓରଫ ମିକି (୩୨)କୁ ଗିରଫ କରିଛି ଗଞ୍ଜାମ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ । ଭଞ୍ଜନଗର ଥାନା ଅଞ୍ଚଳର ଉକ୍ତ ବିଧବା ଠକେଇର ଶିକାର ହୋଇଛନ୍ତି । ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ବେହେରା ଓ ତାଙ୍କ ଟିମ୍ ଗତକାଲି ଚକାପାଦ ଥାନା ପସାର ଗ୍ରାମରେ ଚଢ଼ଉ କରି ମିକିକୁ ଗିରଫ କରିବା ପରେ ବହୁ ତଥ୍ୟ ହାସଲ କରିଛନ୍ତି । ତା’ଠାରୁ ଜବତ ହୋଇଛି ଗୋଟିଏ ମୋବାଇଲ୍ ଫୋନ୍, ନଗଦ ୧୦ହଜାର ଟଙ୍କା, ଏଟିଏମ୍ କାର୍ଡ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ବହୁ କାଗଜପତ୍ର । ତେବେ ପୁଲିସ ଜାଣିବାକୁ ପାଇଛି ଚାଞ୍ଚଲ୍ୟକର ତଥ୍ୟ - ଜଣେ ନୁହେଁ, ଅଭିଯୁକ୍ତ ୩୦ରୁ ଊଦ୍ଧ୍ୱର୍ ଯୁବତୀଙ୍କୁ ଫସାଇ କୋଟି କୋଟି ଟଙ୍କା ଚଳୁ କରିଛି।

 

ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଉକ୍ତ ମହିଳା (୩୧) ଦ୍ୱିତୀୟ ବିବାହ କରିବାକୁ ଏକ ମାଟ୍ରିମୋନି ସାଇଟ୍‌ରେ ପଞ୍ଜୀକରଣ କରିଥିଲେ । ସେଥିରେ ଅଭିଯୁକ୍ତଙ୍କ ପ୍ରେଫାଇଲରେ ନାମ ଥିଲା ସାଇକୃପା ଦାସ ଓ ଭୁବନେଶ୍ୱର ବାସିନ୍ଦା । ଅଭିଯୁକ୍ତ ଉପରୋକ୍ତ ଯୁବତୀଙ୍କ ସହ କଥା ହୋଇଥିଲା । ବିଶ୍ୱାସ ଜନ୍ମାଇ ତାଙ୍କ ଫୋନ୍ ନମ୍ବର ନେବା ପରେ ନିୟମିତ କଲ୍ କରୁଥିଲା । ପରବର୍ତ୍ତୀ ସମୟରେ ତାଙ୍କ ବାପା ଅସୁସ୍ଥ ଅଛନ୍ତି ବୋଲି କହିବା ସହ ତାହାର ଭିଡିଓ, ଫଟୋ ଏବଂ ମେଡିକାଲ କାଗଜପତ୍ର ହ୍ୱାଟସ୍ଆପ୍‌ରେ ପଠାଇ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । ମହିଳା ତାଙ୍କ କଥା ବିଶ୍ୱାସ କରି ନିଜର ବ୍ୟାଙ୍କ୍ ଆକାଉଣ୍ଟ ଚଳାଇବା ପାଇଁ ତାଙ୍କୁ ଦେଇଥିଲେ । ନିଜର ସୁନା ଅଳଙ୍କାର ବ୍ୟାଙ୍କ୍‌ରେ ବନ୍ଧକ ରଖିବା ସହ ପରିବାର ଏବଂ ପରିଚିତ ଲୋକଙ୍କ ଠାରୁ କରଜ କରି ସଂପୃକ୍ତ ଯୁବକକୁ ଟଙ୍କା ଦେଇଥିଲେ ।

୨୦୨୪ ଅଗଷ୍ଟରୁ ଏହି ସମୟ ଭିତରେ ସେ ୬୦ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ସାଇକୃପା ଦାସ ବୋଲି ପରିଚୟ ଦେଇଥିବା ଯୁବକର ନାମ ରାକେଶ ରାଜପୁତ ବୋଲି ଜଣାପଡିଛି। ରାକେଶ ରାଜପୁତ ଅସଲି ନାମ ନା ଆଉ କ’ଣ ରହିଛି ସେ ଗିରଫ ହେବା ପରେ ହିଁ ଜଣାପଡିବ । ମୁଖ୍ୟ ଅଭିଯୁକ୍ତର ଲିଙ୍କ୍‌ରେ ଥିବା ସହଯୋଗୀ ମିକିକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଟିମ୍ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :- ବନ୍ୟାର କରାଳ ରୂପ ମଧ୍ୟରେ ଦାୟିତ୍ୱବୋଧ ଓ ମାନବିକତାର ନିଆରା ଦୃଷ୍ଟାନ୍ତ, ବିଲହୁଡ଼ାରେ ଚାଲି ଚାଲି ବିପନ୍ନଙ୍କ ପାଖରେ ରିଲିଫ୍ ପହଞ୍ଚାଇଲେ ବିଡିଓ

ଅଭିଯୋଗକାରୀ ମହିଳା ବିବାହ କରିବାକୁ ବାରମ୍ବାର କହୁଥିଲେ କିନ୍ତୁ ସେ ବିଭିନ୍ନ ବାହାନା କରୁଥିଲେ । ପରେ ମହିଳା ଭୁବନେଶ୍ୱରରେ ଜଣେ ପରିଚିତ ଲୋକଙ୍କ ଘରେ ରହିଥିଲେ । ଭୁବନେଶ୍ୱର ସାଇବର ଥାନାରେ ସେ ଜିରୋ ଏଫ୍ଆଇଆର୍ ଦେଇଥିଲେ । ସେଠାରୁ ଗଞ୍ଜାମ ସାଇବର ଥାନାକୁ ମାମଲା ସ୍ଥାନାନ୍ତର ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ମୋବାଇଲ୍ ଟ୍ରାକିଂ କରିବା ସହ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଅଭିଯୁକ୍ତ ଚିହ୍ନଟ ହୋଇଛି । କନ୍ଧମାଳରୁ ସହଯୋଗୀ ଗିରଫ ହୋଇଛି । ଅଭିଯୁକ୍ତ ଜଣେ ବି-ଟେକ୍ ଛାତ୍ର । ପାଠ ପଢ଼ା ପରେ ସେ ସାଇବର ଠକେଇ କରୁଥିବା ତଦନ୍ତରେ ଜଣାପଡିଛି । ୩୦ରୁ ଅଧିକ ଝିଅକୁ ପ୍ରେମ ଜାଲରେ ଫସାଇ ଏଭଳି କୋଟି କୋଟି ଟଙ୍କା ଠକେଇ ନେଇଥିବା ତଦନ୍ତରେ ଜାଣିବାକୁ ପାଇଛି ପୁଲିସ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।