04 AUGUST 2026

Welcome!

Unlock your personalized experience.
Sign Up

K-9 Squad: ରାଉରକେଲା କେ-୯ ସ୍କ୍ୱାଡ୍‌ର ଶକ୍ତି ରବି, ୟୁଗ୍‌ ଓ ସ୍ୟାଣ୍ଡି; ବିଶ୍ୱସ୍ତ ଯେମିତି,  ବିଚକ୍ଷଣ ବି ସେମିତି...

Aug 04, 2026 - 11:15
K-9 Squad: ରାଉରକେଲା କେ-୯ ସ୍କ୍ୱାଡ୍‌ର ଶକ୍ତି ରବି, ୟୁଗ୍‌ ଓ ସ୍ୟାଣ୍ଡି; ବିଶ୍ୱସ୍ତ ଯେମିତି,  ବିଚକ୍ଷଣ ବି ସେମିତି...

ରାଉରକେଲା,୦୪/୦୮(ହିମାଂଶୁ ଗୌଡ଼):  ବିଶ୍ୱସ୍ତ ଯେମିତି,  ବିଚକ୍ଷଣ ବି ସେମିତି । ବୁଦ୍ଧିରେ ବି କମ୍‌ ନୁହନ୍ତି । ଅପନ୍ତରା ଇଲାକାରେ ବିସ୍ଫୋରକ ସନ୍ଧାନ ହେଉ କି ମାଦକ ଦ୍ରବ୍ୟ ଅବା ସଙ୍ଗିନ ଅପରାଧରେ ଘଟଣାସ୍ଥଳରେ ପଇଁତରା ମାରି  ଦୁର୍ବୃତ୍ତଙ୍କୁ ଧରିବା ସବୁଥିରେ ପାରଙ୍ଗମ । ଯେଉଁ  କାମକୁ କରିବାକୁ ପୋଖତ ପ୍ରଶିକ୍ଷିତ ବ୍ୟକ୍ତିଙ୍କ  ଅକଲ ଗୁଡୁମ୍‌ ହୋଇଯାଏ, ତାହାକୁ ବି ଅତି ସହଜରେ କରିପାରନ୍ତି । ନିଜର ଦକ୍ଷତା,  ବିଶ୍ୱସନୀୟତା ଏବଂ  ଅଦମ୍ୟ ସାହସ ପାଇଁ  ରାଉରକେଲା ପୁଲିସ୍‌ର ‘କେ-୯’ (ଡଗ୍‌) ସ୍କ୍ୱାଡ୍‌ର  ଅମୂଲ୍ୟ ସମ୍ପଦ ପାଲଟିଛନ୍ତି ରବି, ୟୁଗ୍‌ ଓ ସ୍ୟାଣ୍ଡି । ରାଉରକେଲା ପୁଲିସ୍‌ ଜିଲ୍ଲାକୁ ଚିହ୍ନିବା ଆରମ୍ଭ  କରିଛି ‘ରବି’ । ବୋମା, ବିସ୍ଫୋରକ ସନ୍ଧାନ ପାଇଁ  ପ୍ରଶିକ୍ଷିତ ‘ରବି’କୁ ମାସେ ହେଲା ଏଠାକୁ  ଅଣାଯାଇଛି । ‘ବେଲ୍‌ଜିଆନ୍‌ ମାଲିନୋଇସ୍‌’  ପ୍ରଜାତିର ଏହି ବିଦେଶୀ କୁକୁରକୁ ମାତ୍ର ୩  ବର୍ଷ । ପୂର୍ବରୁ ବୋମା ସନ୍ଧାନକାରୀ ସ୍କ୍ୱାଡ୍‌ରେ ଥିବା  ‘ସାଗର’କୁ କଟକ ନିଆଯାଇଛି । କଟକରୁ ଉଚ୍ଚ  ପ୍ରଶିକ୍ଷଣ ପରେ ‘ରବି’ ଆସିଛି ରାଉରକେଲା ।  ‘ସାଗର’ର ଘ୍ରାଣଶକ୍ତି ପ୍ରଖର ଥିଲା ।  

​​​​​​​ଅଧିକ ପଢ଼ନ୍ତୁ :-  President Visit: 'ମହାରାଜା ଏକ୍ସପ୍ରେସ୍‌'ରେ ବ୍ରହ୍ମପୁର ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଫଟୋରେ ଦେଖନ୍ତୁ କିପରି ସଜା ହୋଇଛି ଟ୍ରେନ୍‌
​​​​​​​

୨୦୨୫ ମେ’ରେ ଓଡ଼ିଶା-ଝାଡ଼ଖଣ୍ଡ  ସୀମାରେ ମାଓବାଦୀ ଠୁଳ କରିଥିବା  ବିପୁଳ ପରିମାଣର ବିସ୍ଫୋରକ ଠାବ କରିବାରେ ସେ ସହାୟତା  କରିଥିଲା । ‘ରବି’ ନିକଟରେ  ‘ସାଗର’ର ଅନେକ ଗୁଣ ମେଳ  ଖାଉଛି । ଡେମୋ ପ୍ରଶିକ୍ଷଣ ବେଳେ ଲୁଚାଇ  ରଖାଯାଇଥିବା ବିସ୍ଫୋରକୁ ଠାବ କରିପାରିଛି । ଶାରୀରିକ ଗଠନ ଦୃଷ୍ଟିରୁ ଶକ୍ତିଶାଳୀ,  ଉଚ୍ଚ ଶ୍ରବଣ ଶକ୍ତି ଏବଂ ସୁରକ୍ଷାତ୍ମକ  ପ୍ରବୃତ୍ତି ଏହାକୁ ସ୍ୱତନ୍ତ୍ର କରିଛି । ଏହି କାରଣରୁ ନିକଟରେ ଶେଷ  ହୋଇଥିବା ମହାପ୍ରଭୁଙ୍କ ରଥଯାତ୍ରାରେ ପୁରୀରେ ମୁତୟନ ହୋଇଥିଲା ‘ରବି’ । ସୋମବାର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ  ମୁର୍ମୁଙ୍କ କଟକ କାର୍ଯ୍ୟକ୍ରମରେ ମଧ୍ୟ ତାକୁ  ସୁରକ୍ଷାରେ ନିୟୋଜିତ କରାଯାଇଛି । ମାତ୍ର  ମାସେ ମଧ୍ୟରେ ନିଜର ଦକ୍ଷତାର ପ୍ରମାଣ  ଦେଇଛି ‘ରବି’ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ  ମାଓବାଦୀ ଗଡ଼ ଭୁଶୁଡ଼ିବାରେ ଲାଗିଛି । ତଥାପି ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌  ଏବଂ ଅନ୍ୟାନ୍ୟ ବିସ୍ଫୋରକ ଏବେ ବଡ଼ ବିପଦ  ସାଜିଛି । ଆଗାମୀ ଦିନରେ ହେବାକୁ ଥିବା  ଅଭିଯାନରେ ‘ରବି’କୁ ଏଥିରେ ସାମିଲ କରିବାକୁ ଯୋଜନା କରୁଛନ୍ତି ବିଭାଗୀୟ ଅଧିକାରୀ ।    

କେ-୯ ସ୍କ୍ୱାଡ୍‌ର ଅନ୍ୟତମ ସଦସ୍ୟ ‘ୟୁଗ୍‌’ । ମାତ୍ର  ଦୁଇବର୍ଷର ‘ବେଲ୍‌ଜିଆନ୍‌ ମାଲିନୋଇସ୍‌’ ପ୍ରଜାତିର  ଏହି କୁକୁର ମାସେ ହେଲା ରାଉରକେଲା ୟୁନିଟ୍‌କୁ  ଆସିଛି । ତାକୁ ମାଦକ ଦ୍ରବ୍ୟ ସନ୍ଧାନରେ ନିୟୋଜିତ  କରାଯାଉଛି । ‘ୟୁଗ୍‌’ ଗ୍ୱାଲିୟର ବିଏସ୍‌ଏଫ୍‌ ଏବଂ  ଚଣ୍ଡୀଗଡ଼ ସିଆଇଏସ୍‌ଏଫ୍‌ରୁ ପ୍ରଶିକ୍ଷଣ ନେଇଛି ।  ଏଥିପୂର୍ବରୁ ଏହି କାମ କରୁଥିଲା ‘ରେଶ୍ମି’ ।  ୨୦୨୨ରେ ସମ୍ୱଲପୁର-ବନାରସ ଟ୍ରେନ୍‌ ଓ  ରାଉରକେଲା ରେଳଷ୍ଟେସନରୁ ବିପୁଳ ମାଦକ  ଦ୍ରବ୍ୟ ଠାବ କରି ପ୍ରଶଂସା ସାଉଁଟିଥିଲା ‘ରେଶ୍ମି’ ।ହେଲେ ଏହାର କିଛି ଦିନ ପରେ ତାର ମୃତ୍ୟୁ ହୋଇଯାଇଥିଲା । ‘ରେଶ୍ମି’ର ଅଭାବ ପୂରଣ  କରିବାକୁ ‘ୟୁଗ୍‌’କୁ ନିଯୁକ୍ତ କରାଯାଇଛି । ସେ ମଧ୍ୟ ନିରାଶ କରିନାହିଁ ।  ମାତ୍ର  ମାସେ ମଧ୍ୟରେ ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରୁ ବ୍ରାଉନ୍‌ସୁଗର ଏବଂ ଗଞ୍ଜେଇ ଠାବ କରି  ଦକ୍ଷତାର ପରିଚୟ ଦେଇଛି । ରାଉରକେଲାକୁ  ନିଶାମୁକ୍ତ କରିବାରେ ‘ୟୁଗ୍‌’ ପ୍ରଭାବୀ ସାବ୍ୟସ୍ତ  ହେବ ବୋଲି ପୁଲିସ୍‌ ଅଧିକାରୀ ଆଶାବ୍ୟକ୍ତ  କରିଛନ୍ତି ।  ରାଉରକେଲା ପୁଲିସ୍‌ର କେ-୯ ସ୍ୱାଡ୍‌ର ସବୁଠାରୁ  ପୁରୁଣା ସଦସ୍ୟ ‘ସ୍ୟାଣ୍ଡି’ । ଲାବ୍ରାଡର ପ୍ରଜାତିର  ଏହି କୁକୁର କଟକରୁ ପ୍ରଶିକ୍ଷିତ । ପ୍ରଶିକ୍ଷଣ ପରଠୁ  ଦୀର୍ଘ ୪ ବର୍ଷ ହେଲା ସେ ରାଉରକେଲା ୟୁନିଟ୍‌ରେ  ‘ଟ୍ରାକର’ ଭାବେ ନିୟୋଜିତ ହୋଇଛି । ଏବେ  ତା’ବୟସ ପ୍ରାୟ ୮ବର୍ଷ । ଚୋରି, ଡକାୟତି ଭଳି  ମାମଲାରେ ଅଭିଯୁକ୍ତଙ୍କୁ ଟ୍ରାକ୍‌ କରିବାରେ କାମ  କରୁଛି ‘ସ୍ୟାଣ୍ଡି’ । ଶତାଧିକ ମାମଲାରେ ଫେରାର୍‌  ଅଭିଯୁକ୍ତକୁ ଧରିବାରେ ସଫଳ ମଧ୍ୟ ହୋଇଛି ।  

ଡଗ୍‌ ସ୍କ୍ୱାଡ୍‌ ପରିଚାଳନା ଦାୟିତ୍ୱରେ  ଥିବା ଇନ୍ସପେକ୍ଟର ଉମେଶ ବେହେରା  କହିଛନ୍ତି, ରାଉରକେଲା ପୁଲିସ୍‌  ଜିଲ୍ଲା ପାଇଁ ତିନୋଟି ସନ୍ଧାନୀ  କୁକୁର ରହିଛନ୍ତି । ବୋମା ଓ ବିସ୍ଫୋରକ  ସନ୍ଧାନରେ ରବି, ମାଦକ ଦ୍ରବ୍ୟ  ସନ୍ଧାନରେ ‘ୟୁଗ୍‌’ ଏବଂ ଟ୍ରାକର ଭାବେ  ‘ସ୍ୟାଣ୍ଡି’କୁ ବ୍ୟବହାର କରାଯାଉଛି ।  ପୁଲିସ୍‌ ବାରାକ୍‌ରେ ଏମାନଙ୍କ ପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା ରହିଛି । ସେମାନଙ୍କ ଦେଖାଶୁଣା କରିବା ଏବଂ ପ୍ରଶିକ୍ଷଣ ଦେବାକୁ ସ୍ୱତନ୍ତ୍ର ଟ୍ରେନର  ରହିଛନ୍ତି । ସାପ୍ତାହିକ ସାରଣୀ ଅନୁଯାୟୀ ସମସ୍ତଙ୍କ  ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି ।  ଭାତ, ମାଂସ, କ୍ଷୀର, ଅଣ୍ଡା ଏବଂ ଅନ୍ୟାନ୍ୟ  ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ସ୍ୱାସ୍ଥ୍ୟ ପ୍ରତ  ଗୁରୁତ୍ୱ ଦିଆଯାଉଛି । ପୁଲିସ୍‌ ଟିମ୍‌ ପରିବାରର  ଏମାନେ ବିଶ୍ୱସ୍ତ ସଦସ୍ୟ । ବର୍ଷ ବର୍ଷ ଧରି  କୁକୁର ବିଶ୍ୱସ୍ତପ୍ରାଣୀ ଭାବେ ନିଜକୁ ପ୍ରମାଣିତ  କରିଛି । ହେଲେ ଡଗ୍‌ସ୍କ୍ୱାଡ୍‌ ୟୁନିଟ୍‌ରେ ସାମିଲ ହେଲେ ସେମାନଙ୍କୁ ଗୁରୁତ୍ୱ ଆହୁରି ବଢ଼ିଯାଏ । ସେମାନଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼େ । ସନ୍ଧାନୀ  କୁକୁରମାନଙ୍କ ମନୋଭାବ, ବ୍ୟବହାର ପଢ଼ିବା  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ସବୁ କୁକୁରଙ୍କ  ଭଳି ଏମାନେ ମଧ୍ୟ ଭଲପାଇବା ଖୋଜନ୍ତି ।  ଭଲ ପାଇବା ଦେଲେ ଭଲ କାମ କରନ୍ତି  ବୋଲି ଇନ୍ସପେକ୍ଟର ଶ୍ରୀ ବେହେରା କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।