FIFA World Cup 2026: ୨୪ ବର୍ଷ ପରେ ସେମିରେ ସାମ୍ନାସାମ୍ନି ହେବ ଇଂଲଣ୍ଡ- ଆର୍ଜେଣ୍ଟିନା, ବ୍ରିଟିସ୍ ବାହିନୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ ମେସି
ଆଟଲାଣ୍ଟା,୧୫/୦୭: ଚଳିତ ବିଶ୍ୱକପରେ ଆଜି ଦ୍ୱିତୀୟ ସମି ଫାଇନାଲ୍ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଆଟଲାଣ୍ଟା ଷ୍ଟାଡ଼ିୟମ୍ରେ ଇଂଲଣ୍ଡକୁ ସାମ୍ନା କରିବ । ଦୀର୍ଘ ୨୪ ବର୍ଷ ପରେ ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଲିଓନେଲ ମେସି ମଧ୍ୟ ପ୍ରଥମ କରି ଇଂଲଣ୍ଡ ବିପକ୍ଷରେ କୌଣସି ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ । ତେଣୁ ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ଉତ୍ସାହ ଶିଖର ଛୁଇଁଛି ।
ଦଳଗତ ପ୍ରଦର୍ଶନ ଓ ଟେକ୍ନିକ୍ରେ ଇଂଲଣ୍ଡ ବେଶ୍ ଶକ୍ତିଶାଳୀ ରହିଛି । ମାତ୍ର ଇଂଲଣ୍ଡ ଠାରୁ ଆର୍ଜେଣ୍ଟିନା ସମ୍ପୂର୍ଣ୍ଣ ଭିନ୍ନ କୌଶଳରେ ଖେଳୁଛି । ସମସ୍ତ ଦଳ ୱିଙ୍ଗ୍ରୁ ଆକ୍ରମଣ କରୁଥିବାବେଳେ ଆର୍ଜେଣ୍ଟିନା କେବଳ ସେଣ୍ଟରରୁ ଆକ୍ରମଣ କରି ଗୋଲ୍ ସ୍କୋର କରୁଛି । ଆଧୁନିକ ଯୁଗର ଫୁଟବଲ୍ ଖେଳରେ ସେଣ୍ଟରରୁ ଆକ୍ରମଣ କରି ଗୋଲ୍ କରିବା ଏକ ପ୍ରକାର ଅସମ୍ଭବ । ହେଲେ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତି ମ୍ୟାଚରେ ବିପକ୍ଷ ମିଡ ଫିଲ୍ଡ ଓ ଡିଫେନ୍ସ ଲାଇନକୁ ଭ୍ରମିତ କରି ସେଣ୍ଟରରୁ ଆଟାକ୍ କରିବାରେ ସଫଳ ହେଉଛି ।
ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୩ଟି ମ୍ୟାଚ ଜିତିଥିବାବେଳେ ଆର୍ଜେଣ୍ଟିନା ୨ଟି ମ୍ୟାଚରେ ବିଜୟୀ ହୋଇଛି । ଫୁଟବଲ ପ୍ରେମୀ ଏପର୍ଯ୍ୟନ୍ତ ୧୯୮୬ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚକୁ ଭୁଲି ପାରିନାହାନ୍ତି । ମେକ୍ସିକୋର ଆଜଟେକା ଷ୍ଟାଡ଼ିୟମ୍ରେ ଡିଏଗୋ ମାରାଡୋନାଙ୍କ ହ୍ୟାଣ୍ଡ ଅଫ ଗଡ ଓ ଗୋଲ୍ ଅଫ ସେଞ୍ଚୁରୀ ଫୁଟବଲ୍ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏଥର ମଧ୍ୟ ଉତ୍ତର ଆମେରିକାରେ ଉଭୟ ଦଳ ସାମ୍ନାସାମ୍ନି ହେବେ ।
ଅଧିକ ପଢ଼ନ୍ତୁ :- MS Dhoni: ଏଜବାଷ୍ଟନରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଦେଖିଲେ ଧୋନି, କାନରେ ପିନ୍ଧିଥିଲେ ଅଜବ ମେସିନ୍
୧୯୬୬ ବିଶ୍ୱକପ୍ ବିଜୟ ପରଠୁ ଇଂଲଣ୍ଡ ଦୀର୍ଘ ୬୦ ବର୍ଷ ଧରି ଆଉ ଏକ ଟାଇଟଲ ଅପେକ୍ଷାରେ ରହିଛି । ଏଥର ସୁଯୋଗ ହାତଛଡ଼ା କରିବ ନାହିଁ । ହ୍ୟାରୀ କେନ, ଜ୍ୟୁଡ ବେଲିଂହାମ, ବୁକାୟୋ ସାକା, ଆନ୍ଥୋନି ଗର୍ଡନ, ଡେକଲାନ ରାଇସ ପ୍ରମୁଖ ଚମତ୍କାର ଫର୍ମରେ ରହିଛନ୍ତି । ଆର୍ଜେଣ୍ଟିନା ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ ରହିଛି । ଲିଓନେଲ ମେସିଙ୍କ ଉପରେ ଦଳ ନିର୍ଭରଶୀଳ ରହିଥିଲେ ହେଁ ସଠିକ୍ ସମୟରେ ଜୁଲିଆନ ଆଲଭାରେଜ ଫର୍ମକୁ ଫେରି ଦଳକୁ ଆଶ୍ୱସ୍ତ କରିଛନ୍ତି।
ଆଜି ମେସି ଓ ଇଂଲଣ୍ଡର ମିଡ୍ ଫିଲ୍ଡରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ମେସିଙ୍କ ନିକଟକୁ ଆସୁଥିବା ପାସ୍କୁ ରାଇସ ଓ ବେଲିଂହାମ୍ ଅଟକାଇ ପାରିଲେ ଇଂଲଣ୍ଡର ବିଜୟ ସହଜ ହୋଇ ପାରିବ । ଆର୍ଜେଣ୍ଟିନା ପାଇଁ ଇଂଲଣ୍ଡର ୱିଙ୍ଗର ବଡ଼ ସମସ୍ୟା ହୋଇ ପାରନ୍ତି । ସାକା, ଗର୍ଡନଙ୍କ ଦ୍ରୁତ ଗତି ଆର୍ଜେଣ୍ଟିନାର ଡିଫେନ୍ସକୁ ସହଜରେ ଭାଙ୍ଗିବାର କ୍ଷମତା ରଖିଛି । ଏଥିପ୍ରତି ଆର୍ଜେଣ୍ଟିନାକୁ ସତର୍କ ରହିବାକୁ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।