Crime News: ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ, ଗଳା ଓ ହାତ ଶିରା କାଟି ପିଆଇଲା ବିଷ
ମଞ୍ଚେଶ୍ୱର,୨୮/୦୭: ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ଗଳା ଓ ହାତ ଶିରା କାଟିବା ସହ ବିଷ ଦେଇ ହତ୍ୟା କରିଛି ସ୍ୱାମୀ । ପରେ ନିଜେ ମଧ୍ୟ ବିଷ ପିଇ ଦେଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ସୋମବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଚକେଇସିହାଣୀସ୍ଥିତ ସାହୁ କଲୋନୀରେ ଏଭଳି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ ମନିକା ଜେନା । ଘର ନୟାଗଡ ଜିଲ୍ଲା ବାଉଁଶିଆପଡାରେ । ମଞ୍ଚେଶ୍ୱର ଥାନା ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂଚନା ଅନୁଯାୟୀ, ମନିକା ୭ ବର୍ଷ ପୂର୍ବେ ନୟାଗଡ଼ ରଣପୁର ଅଞ୍ଚଳର ପ୍ରଦୀପ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୬ ବର୍ଷର ପୁଅ ରହିଛି । ପ୍ରଦୀପ ଆଲୁମିନିୟମ ଡୋର ତିଆରି କାମ କରନ୍ତି। ଗତ ୨ ବର୍ଷ ଧରି ପାରିବାରିକ କଳହ କାରଣରୁ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିଲେ । ଗତବର୍ଷ ଦଶହରା ସମୟରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ପ୍ରଦୀପ ମନିକାଙ୍କୁ ପ୍ରବଳ ମାଡ ମାରିଥିଲେ । ଅଲଗା ହେବା ପରଠାରୁ ମନିକା ଆସି ଚକେଇସିହାଣୀ ସାହୁ କଲୋନୀରେ ରହୁଥିବା ତାଙ୍କ ମା,ବାପା ଓ ଭାଇଙ୍କ ପାଖରେ ରହୁଥିଲେ । ଏକମାତ୍ର ପୁଅକୁ ପ୍ରଦୀପ ନେଇ ନିଜ ପାଖରେ ରଖିଥିଲେ । ସୋମବାର ଅପରାହ୍ନରେ ଘରେ ମନିକା ଏକୁଟିଆ ଥିଲେ । କେଉଁଠୁ ଠିକଣା ଯୋଗାଡ଼ କରି ପ୍ରଦୀପ ସେଠାରେ ପହଞ୍ଚି ଯାଇଥିଲେ । ସାଙ୍ଗରେ ଆଣିଥିବା ଏକ ବ୍ଲେଡରେ ମନିକାଙ୍କ ଗଳାକୁ କାଟିଥିଲେ । ପରେ ବାମ ହାତର ଶିରାକୁ କାଟି ଦେଇଥିଲେ। ମନିକାଙ୍କ ହାତରୁ ପ୍ରଚୁର ରକ୍ତସ୍ରାବ ହେଉଥିବାବେଳେ ପ୍ରଦୀପ ସାଙ୍ଗରେ ଆଣିଥିବା ବିଷକୁ ମନିକାଙ୍କୁ ଜୋର ଜବରଦସ୍ତ ପିଆଇ ଦେଇଥିଲେ । ନିଜେ ମଧ୍ୟ ବିଷ ପିଇ ଦେଇଥିଲେ । ତା’ ପରେ ଘର କବାଟ ବାହାରପଟରୁ ବନ୍ଦ କରି ତାଲା ପକାଇ ସେଠାରୁ ପଳାଇଥିଲେ ।
ଅଧିକ ପଢ଼ନ୍ତୁ :- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
ମନିକାଙ୍କ ମା’ ସନ୍ଧ୍ୟାରେ ଡ୍ୟୁଟି ସାରି ଆସି ଦେଖନ୍ତି ଘରେ ତାଲା ପଡିଛି । ସନ୍ଦେହ ହେବାରୁ ଘର ତାଲା ଭାଙ୍ଗି ଥିଲେ । ଝିଅର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଟ ଉପରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଅନ୍ୟପଟେ ପ୍ରଦୀପ ଏକ ଅଟୋରେ ବସି ଫେରାର୍ ହୋଇ ଯାଉଥିଲେ । ଖବର ପାଇ ପୁଲିସ ତାଙ୍କୁ ଟ୍ରାକ୍ କରି ଖୋଜାଖୋଜି କରିଥିଲା । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ । ପ୍ରଦୀପ ସାମାନ୍ୟ ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ପୁଲିସ ଆଗରେ ସବୁ ସତ କଥା ବଖାଣିଥିଲେ । ନିଜେ ମଧ୍ୟ ବିଷ ଖାଇ ଦେଇଥିବା ପୁଲିସ ଆଗରେ କହିଥିଲେ । ପୁଲିସ ସଙ୍ଗେ ସଙ୍ଗେ ପ୍ରଦୀପଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୁଲିସ କହିଛି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।