Coastal Erosion : ସମୁଦ୍ରରେ ଲୀନ ହୋଇଗଲା ପୋଡ଼ମପେଟା ଗାଁ, ଆଖପାଖ ୧୬ ଗାଁକୁ ବଢ଼ୁଛି ବିପଦ

Jul 04, 2026 - 11:06
Coastal Erosion : ସମୁଦ୍ରରେ ଲୀନ ହୋଇଗଲା ପୋଡ଼ମପେଟା ଗାଁ, ଆଖପାଖ ୧୬ ଗାଁକୁ ବଢ଼ୁଛି ବିପଦ
ଛତ୍ରପୁର/ଗଞ୍ଜାମ, ୪/୭ : ଗୋଟିଏ ଗୋଟିଏ କରି ସବୁ ଘରକୁ ଗିଳି ଚାଲିଥିଲା ସମୁଦ୍ର । ଶେଷରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଡ଼ମପେଟାର ଶେଷ ୩ଟି ଘରକୁ ମଧ୍ୟ ସମୁଦ୍ର ଗର୍ଭରେ ନିଶ୍ଚିହ୍ନ। ଶୁକ୍ରବାର ଅଶାନ୍ତ ସମୁଦ୍ର କୂଳ ଲଙ୍ଘି ଏହି ଗାଁକୁ ନିଜ ଗର୍ଭରେ ମିଶାଇ ଦେଇଛି । ସମୁଦ୍ର ଢେଉ ଏବେ ଗାଁରେ ଥିବା ଅବ୍ୟବହୃତ ବାତ୍ୟା ଆଶ୍ରୟସ୍ଥଳ ନିକଟକୁ ଆସିଗଲାଣି। ସମୁଦ୍ର ଉକ୍ତ ଘରକୁ ଗିଳିବା ପରେ ଅପରାହ୍ଣରେ ପ୍ରଶାସନ ଗାଁକୁ ଲମ୍ବିଥିବା ରାସ୍ତାକୁ ସିଲ୍‌ କରି ଦେଇଛି। ରାସ୍ତାକୁ ଖୋଳିଦେବା ସହ ପ୍ରବେଶ ନିଷେଧ ବୋଲି ବ୍ୟାନର୍‌ ଟଙ୍ଗାଇଛି । ଲୋକଙ୍କୁ ଏହି ବିପଦସଙ୍କୁଳ ସ୍ଥାନକୁ ଯିବାକୁ ବାରଣ କରାଯାଇଛି ।  ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି । ସମୁଦ୍ର ଅଶାନ୍ତ ହୋଇ ଅଧିକ ଉଗ୍ର ରୂପ ଧରି କୂଳ ଲଙ୍ଘୁଛି । ବଙ୍ଗୋପସାଗରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡ଼ି ଆସୁଛି । ଶୁକ୍ରବାର ଏହି ଉଚ୍ଚ ଜୁଆର ପ୍ରଭାବରେ ପୁରୁଣା ପୋଡ଼ମପେଟାର ଶେଷ ୩ଟି ଘରକୁ ଗ୍ରାସ କରିଛି । ଖାଲି ଘର ନୁହେଁ, ଶହଶହ ଏକର କାଜୁ, ଝାଉଁ ତୋଟା ସମୁଦ୍ର ଗର୍ଭରେ ବିଲୁପ୍ତ ହେଲାଣି । ସମୁଦ୍ର ଅଶାନ୍ତ ହେବା ଯୋଗୁଁ ଏଠାରେ ବିପଦ ଆଶଙ୍କା ଥିବାରୁ ଉକ୍ତ ପରିତ୍ୟକ୍ତ ଗାଁ ଆଡ଼କୁ ନ ଯିବା ଲାଗି ପ୍ରଶାସନ ନିଷେଧ ଜାରି କରିଛି । ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ହୁମ୍ମା ଫାଣ୍ଡି ଅଧିକାରୀ ବିନାୟକ ଦାସ, ଆର୍‌ଆଇ ସୀତାରାମ ସାହୁ, ଅମିନ ଲାଲକୃଷ୍ଣ ଦାସ ପ୍ରମୁଖ ରାସ୍ତାରେ ଗାତ ଖୋଳିବା ସହ ସିଲ୍‌ କରିଛନ୍ତି ।  ଅପରପକ୍ଷରେ କେବଳ ପୋଡ଼ମପେଟା ନୁହେଁ ଆଖପାଖ ଗାଁର କିଛିକିଛି ଘର ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ପାଣି ଭିତରେ ଲୀନ ହେଉଛି । ଏବେ କଣ୍ଟିଆଗଡ଼ ଗାଁ ପ୍ରତି ବିପଦ ଘନେଇବା ଆଶଙ୍କା ଘାରିଛି । ଗ୍ରାମବାସୀ ଆତଙ୍କିତ । ଏଣୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗାଁ ଲୋକଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିବାକୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶୁକ୍ରବାର ମଧ୍ୟାହ୍ନରେ କଣ୍ଟିଆଗଡ଼, ଖଟୁଆକୁଦା ଓ ନୀଳାଦ୍ରିପୁର ଗ୍ରାମବାସୀଙ୍କୁ ଡାକି ବୈଠକ କରିଥିଲେ । ସେମାନଙ୍କ ସମସ୍ୟା ଶୁଣିଥିଲେ । ଏହାର ପ୍ରତିକାର ପାଇଁ ଆଶ୍ୱାସନା ଦେଇଥିଲେ । ଏଠାରେ ବିଧାୟକ ଉପସ୍ଥିତ ଥିଲେ । ତ୍ୱରିତ ସମାଧାନ ନ ହେଲେ କଣ୍ଟିଆଗଡ଼ ସହ ଅନ୍ୟ ଗାଁରେ ସମୁଦ୍ର ପାଣି ପଶିବ ବୋଲି ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ କହିଥିଲେ । ମୁହାଣରେ ବାଲି ଉତ୍ତୋଳନ ସାଙ୍ଗକୁ ୨ ଦିନ ମଧ୍ୟରେ ପ୍ରତିକାର ପଦକ୍ଷେପ ନ ନେଲେ ପୋଡ଼ମପେଟା ଦେଇ କଣ୍ଟିଆଗଡ଼କୁ ପାଣି ପଶିବାର ଆଶଙ୍କା ଥିବା କୁହାଯାଉଛି।  ଛତ୍ରପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ଟିମ୍‌ ଘଟଣାସ୍ଥଳକୁ ଯାଇ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ମୁହାଣ ପୋତି ହୋଇଯିବା ସମସ୍ୟା ସିଆର୍‌ଜେଡ୍‌ (କୋଷ୍ଟାଲ୍‌ ରେଗୁଲେଟୋରୀ ଜୋନ୍‌) ଅଧୀନରେ ଆସୁଛି । ବଙ୍ଗୋପସାଗର-ଋଷିକୁଲ୍ୟା ମୁହାଣ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ ରିଡ୍‌ଲେଙ୍କ ଆତଯାତ ପାଇଁ ପ୍ରସିଦ୍ଧ । ଏଣୁ କୌଣସି କାର୍ଯ୍ୟ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଆବଶ୍ୟକ । ଉପଜିଲ୍ଲାପାଳ, ଯନ୍ତ୍ରୀଙ୍କ ରିପୋର୍ଟ ପରେ କାମ ହେବ । ପୂର୍ବରୁ ଋଷିକୁଲ୍ୟା ନଦୀ ପୋଲ ସିଧା ମୁହାଣ ଥିଲା, ସହଜରେ ସମୁଦ୍ର- ନଦୀ ମଧ୍ୟରେ ଜୁଆର ପାଣି ଯା’ଆସ କରୁଥିଲା ଏବଂ ସ୍ଥଳଭାଗ ବିଶେଷ କ୍ଷୟ ହେଉ ନ ଥିଲା । ଏବେ କିନ୍ତୁ ଋଷିକୁଲ୍ୟା ମୁହାଣର ଦିଗ ପରିବର୍ତ୍ତନ ଘଟି ପୋଡ଼ମପେଟା ନିକଟରେ ନୂଆ ମୁହାଣ ଖୋଲିଥିବାରୁ ସମୁଦ୍ର ପାଣି ଅଧିକ ବେଗ ସହ ସେହି ନିକଟରେ ସ୍ଥଳଭାଗରେ ମାଡ଼ ହେଉଛି । ଏଣୁ ସମୁଦ୍ରକୂଳ କ୍ଷୟ ମଧ୍ୟ ବଢ଼ୁଛି ।  ଆହୁରି ପଢନ୍ତୁ- ଶ୍ରୀଗୁଣ୍ଡିଚା ମନ୍ଦିରରେ ଗୁଳୁଗୁଳି ପାଇଁ ବାତାନୁକୂଳ ବ୍ୟବସ୍ଥା, ଏବର୍ଷ ନୀଳାଦ୍ରି ବିଜେ ପରେ ବର୍ଷସାରା ଖୋଲା ରହିବ