China macaque demand : ବେଜିଂରେ ହଠାତ୍ କାହିଁକି ମହଙ୍ଗା ହେଲେ ମାଙ୍କଡ଼ ? ଚାଲିଛି କୋଟି କୋଟି ଟଙ୍କାର ବ୍ୟବସାୟ
ନୂଆଦିଲ୍ଲୀ - ଯଦି କେହି କହେ ଯେ, ଆଜିକାଲି ଚୀନରେ ମାଙ୍କଡ଼ ମାନେ କୋଟି କୋଟି ଟଙ୍କାର ବ୍ୟବସାୟର ଏକ ପ୍ରମୁଖ ଅଂଶ ପାଲଟି ଯାଇଛନ୍ତି, ବୋଧହୁଏ ଏହାକୁ ବିଶ୍ୱାସ କରିବା କଷ୍ଟକର ହେବ। କିନ୍ତୁ ବାସ୍ତବତା ଏହା ହିଁ ଅଟେ। ଚୀନରେ ଲ୍ୟାବରେ ବ୍ୟବହାର କରାଯାଉ ଥିବା 'ମକାକ' ପ୍ରଜାତିର ମାଙ୍କଡ଼ମାନଙ୍କର ଚାହିଦା ଏତେ ଦ୍ରୁତ ଗତିରେ ବଢ଼ି ଯାଇଛି ଯେ, ସେମାନଙ୍କର ମୂଲ୍ୟ କୋଭିଡ୍ ସମୟର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କେତେକ କ୍ଷେତ୍ରରେ ଏକ ସୁସ୍ଥ ଏବଂ ଗବେଷଣା ପାଇଁ ପ୍ରସ୍ତୁତ ମାଙ୍କଡ଼ର ମୂଲ୍ୟ ୨ ଲକ୍ଷ ୟୁଆନ୍ (ପ୍ରାୟ ୨୪ ରୁ ୩୦ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଥିବା କୁହାଯାଉଛି।
ଏହାର ସବୁଠାରୁ ବଡ଼ କାରଣ ହେଉଛି ଚୀନର ଦ୍ରୁତ ଗତିରେ ବଢ଼ୁଥିବା ଔଷଧ ଏବଂ ବାୟୋଟେକ୍ ଇଣ୍ଡଷ୍ଟ୍ରି । ପ୍ରକୃତରେ, ଚୀନ ଏବେ କେବଳ ସାରା ବିଶ୍ୱର ଏକ ଫ୍ଯାକ୍ଟ୍ରି ହୋଇ ରହି ନାହିଁ, ବରଂ ନୂଆ ନୂଆ ଔଷଧ ଏବଂ ବାୟୋଲୋଜିକାଲ୍ ମେଡିସିନ୍ ବିକଶିତ କରିବାର ବିଶ୍ୱସ୍ତରୀୟ ଦୌଡ଼ରେ ଆମେରିକାକୁ କଡ଼ା ଚ୍ୟାଲେଞ୍ଜ ଦେଉଛି। ଏହି କାରଣରୁ ରିସର୍ଚ୍ଚ ଲ୍ୟାବର ବ୍ୟବହାର ହେଉଥିବା ମାଙ୍କଡ଼ ମାନଙ୍କର ଚାହିଦା ହଠାତ୍ ବଢ଼ି ଯାଇଛି। ସର୍ବପ୍ରଥମେ ଆପଣଙ୍କୁ ଏହା ଜାଣିବା ଉଚିତ୍ ଯେ, ଏହି ସବୁ ମାଙ୍କଡଙ୍କ ଠାରେ ଏମିକି କଣ ଅଛି, ଯାହାକି ଏମାନଙ୍କର ମାର୍କେଟରେ ଏତ ଚାହିଦା ବଢି ଯାଇଛି। କୌଣସି ବି ନୂଆ ଔଷଧକୁ ବଜାରକୁ ଆଣିବା ପୂର୍ବରୁ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥାଏ। ପ୍ରଥମେ ଲ୍ୟାବର୍ ପରୀକ୍ଷଣ ହୁଏ, ତା’ପରେ ପଶୁମାନଙ୍କ ଉପରେ 'ପ୍ରି-କ୍ଲିନିକାଲ୍ ଟ୍ରାୟଲ୍' ଏବଂ ଶେଷରେ ମଣିଷମାନଙ୍କ ଉପରେ 'କ୍ଲିନିକାଲ୍ ଟ୍ରାୟଲ୍' ଆରମ୍ଭ ହୁଏ। ଗବେଷଣାରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା 'ରିସସ୍' ଏବଂ 'ସିନୋମୋଲଗସ୍' ମକାକ ମାଙ୍କଡ଼ମାନଙ୍କର ଡିଏନଏ ଏବଂ ଶରୀରର ଜୈବିକ ପ୍ରତିକ୍ରିୟା ମଣିଷମାନଙ୍କ ସହ ପ୍ରାୟ ସମାନ। ତେଣୁ କ୍ୟାନ୍ସର, ମେଦବହୁଳତା, ମଧୁମେହ (ଡାଇବେଟିସ୍), ନିଉରୋଲୋଜିକାଲ୍ ଏବଂ ଇମ୍ୟୁନ ସିଷ୍ଟମ ସହ ଜଡ଼ିତ ନୂଆ ଔଷଧଗୁଡ଼ିକର ସୁରକ୍ଷା ତଥା ପ୍ରଭାବର ଆକଳନ କରିବା ପାଇଁ ଏମାନଙ୍କୁ ବ୍ୟବହାର କରାଯାଏ।
ହେଲେ ପ୍ରତ୍ୟେକ ନୂଆ ଔଷଧ ପାଇଁ ମାଙ୍କଡ଼ମାନେ ଆବଶ୍ୟକ ହୋଉ ନଥାନ୍ତି । ଅନେକ ଔଷଧର ପରୀକ୍ଷଣ କେବଳ ମୂଷା କିମ୍ବା ଅନ୍ୟ ପଶୁମାନଙ୍କ ଉପରେ ମଧ୍ୟ କରାଯାଏ। କିନ୍ତୁ ଜଟିଳ ବାୟୋଲୋଜିକାଲ୍ ଔଷଧ ଏବଂ ଆଣ୍ଟିବଡି ଆଧାରିତ ଚିକିତ୍ସା ପାଇଁ ଏହି ପ୍ରାଇମେଟ୍ସ (ମାଙ୍କଡ଼ ପ୍ରଜାତି)ଙ୍କ ଆବଶ୍ୟକତା ଏବେ ମଧ୍ୟ ରହିଛି।
ଚୀନରେ କାହିଁକି ବଢ଼ିଲା ଔଷଧ ଗବେଷଣା ?
ଗତ କିଛି ବର୍ଷ ମଧ୍ୟରେ ଚୀନ ବାୟୋଟେକ୍ ସେକ୍ଟରରେ ବହୁତ ବଡ଼ ପରିମାଣର ନିବେଶ କରିଛି, ଯାହାର ପ୍ରଭାବ ଏବେ ସ୍ପଷ୍ଟ ଦେଖାଯାଉଛି। ୨୦୨୫ ମସିହାରେ ଚୀନରେ ୫,୨୧୫ଟି କ୍ଲିନିକାଲ୍ ଡ୍ରଗ୍ ଟ୍ରାୟଲ୍ ହୋଇ ଥିଲା। ଏଥି ମଧ୍ୟରୁ ପ୍ରାୟ ୫୭.୫ ପ୍ରତିଶତ ଟ୍ରାୟଲ୍ ସମ୍ପୂର୍ଣ୍ଣ ନୂଆ ଔଷଧ ସହିତ ଜଡ଼ିତ ଥିଲା। ଏହି ସଂଖ୍ୟା ୨୦୨୦ ତୁଳନାରେ ପ୍ରାୟ ଦୁଇଗୁଣ। ଏଥିରୁ ଜଣାପଡ଼ୁଛି ଯେ ଚୀନରେ ନୂଆ ଔଷଧ ଉପରେ ଗବେଷଣା କେତେ ଦ୍ରୁତ ଗତିରେ ବଢ଼ୁଛି। କେବଳ ସେତିକି ନୁହେଁ, ବିଶ୍ୱର ବଡ଼ ବଡ଼ ଫାର୍ମା କମ୍ପାନୀଗୁଡ଼ିକ ମଧ୍ୟ ଚୀନର ବାୟୋଟେକ୍ କମ୍ପାନୀଗୁଡ଼ିକ ସହିତ ଲାଇସେନ୍ସିଂ ଏବଂ ରିସର୍ଚ୍ଚ ଡିଲ୍ କରୁଛନ୍ତି। ଚୀନ ଏବେ କ୍ୟାନ୍ସର, ମେଦବହୁଳତା ଏବଂ ଅଟୋଇମ୍ୟୁନ ରୋଗର ଔଷଧ ବିକଶିତ କରୁଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇ ସାରିଛି।
କାହିଁକି ଆକାଶଛୁଆଁ ହେଲା ମାଙ୍କଡ଼ଙ୍କ ଦାମ ?
ଔଷଧ ଗବେଷଣାର ଗତି ଯେତେ ଦ୍ରୁତ ହେଲା, ମାଙ୍କଡ଼ମାନଙ୍କର ସପ୍ଲାଇ ସେହି ଅନୁପାତରେ ବଢ଼ି ପାରିଲା ନାହିଁ। ଏକ ଲ୍ୟାବ୍ରେ ବ୍ୟବହାର ଯୋଗ୍ୟ ମକାକ ମାଙ୍କଡ଼ ପ୍ରସ୍ତୁତ କରିବା ପାଇଁ ପ୍ରାୟ ଚାରି ବର୍ଷ ସମୟ ଲାଗି ଥାଏ। ପ୍ରଥମେ ତାର ଜନ୍ମ, ତା’ପରେ ପାଳନ-ପୋଷଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଂକ୍ରମଣ ମୁକ୍ତ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। ତେଣୁ ହଠାତ୍ ଚାହିଦା ବଢ଼ିଲେ ଯୋଗାଣ ତୁରନ୍ତ ବଢ଼ାଯାଇ ପାରିବ ନାହିଁ। କୋଭିଡ୍ ମହାମାରୀ ସମୟରେ ଚୀନ ଲ୍ୟାବ୍ ମାଙ୍କଡ଼ ରପ୍ତାନି ଉପରେ ଅନେକ କଟକଣା ଲଗାଇ ଥିଲା। ଏହାଦ୍ୱାରା ଘରୋଇ ବଜାରରେ ସେମାନଙ୍କର ଉପଲବ୍ଧତା ଆହୁରି ହ୍ରାସ ପାଇ ଗଲା। ଏବେ ବାୟୋଟେକ୍ ଶିଳ୍ପର ଦ୍ରୁତ ବିକାଶ ଯୋଗୁଁ ଚାହିଦା, ଯୋଗାଣ ତୁଳନାରେ ବହୁତ ଆଗକୁ ଚାଲିଯାଇଛି। ଫଳସ୍ୱରୂପ, ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଶିଳ୍ପ ସହ ଜଡ଼ିତ ଆକଳନ ଅନୁଯାୟୀ, ଚୀନରେ ୨୦୨୫ ରୁ ୨୦୨୭ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୪୯,୦୦୦ ରୁ ୫୨,୦୦୦ ଲ୍ୟାବ୍ ମାଙ୍କଡ଼ ଉପଲବ୍ଧ ହେବାର ଅନୁମାନ ରହିଛି। କିନ୍ତୁ ବାୟୋଟେକ୍ ରିସର୍ଚ୍ଚର ଗତିକୁ ଦେଖିଲେ ଏହି ସଂଖ୍ୟା ଯଥେଷ୍ଟ ନୁହେଁ। ଅନେକ ଗବେଷଣା ପ୍ରତିଷ୍ଠାନକୁ ମାଙ୍କଡ଼ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି।
ଭବିଷ୍ୟତରେ କଣ ମାଙ୍କଡ଼ଙ୍କ ଆବଶ୍ୟକତା କମିବ ?
ସାରା ବିଶ୍ୱରେ ପଶୁମାନଙ୍କ ଉପରେ କରାଯାଉଥିବା ପରୀକ୍ଷଣକୁ କମାଇବା ଦିଗରେ କାର୍ଯ୍ୟ ଚାଲିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଅର୍ଗାନ-ଅନ୍-ଚିପ୍, ଥ୍ରୀ-ଡି ସେଲ୍ କଲ୍ଚର ଏବଂ କମ୍ପ୍ୟୁଟର ମଡେଲ୍ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରାଯାଉଛି, ଯାହାଦ୍ୱାରା ପଶୁମାନଙ୍କ ଉପରେ ନିର୍ଭରଶୀଳତା କମାଯାଇ ପାରିବ। ଏହା ସତ୍ତ୍ୱେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଅନେକ ଜଟିଳ ଔଷଧ, ବିଶେଷ କରି ବାୟୋଲୋଜିକାଲ୍ ଏବଂ ଇମ୍ୟୁନୋଲୋଜି ଆଧାରିତ ଔଷଧ ପାଇଁ ପ୍ରାଇମେଟ୍ସ (ମାଙ୍କଡ଼)ଙ୍କ ବିକଳ୍ପ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ନାହିଁ। ତେଣୁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଲ୍ୟାବ୍ ମାଙ୍କଡ଼ଙ୍କ ଚାହିଦା ଏମିତି ଅଧିକ ରହି ପାରେ।
କହିବାକୁ ଗଲେ, ଚୀନରେ ମାଙ୍କଡ଼ ମାନଙ୍କର ଏହି ବଢ଼ୁଥିବା ମୂଲ୍ୟ କୌଣସି ବନ୍ୟଜନ୍ତୁ ବଜାରର କାହାଣୀ ନୁହେଁ, ବରଂ ଏହା ବିଶ୍ୱର ବଦଳୁଥି ବା ଔଷଧ ଅର୍ଥନୀତିର ଏକ ବଡ଼ ଚିତ୍ର। ଚୀନ ଯେତେ ଦ୍ରୁତ ଗତିରେ ନୂଆ ଔଷଧ ବିକାଶରେ ଆଗକୁ ବଢ଼ୁଛି, ସେତିକି ଦ୍ରୁତ ଗତିରେ ଜୈବିକ ସମ୍ପଦର ଚାହିଦା ମଧ୍ୟ ବଢ଼ୁଛି। ଲ୍ୟାବରେ ବ୍ୟବହାର ହେଉଥିବା ଗୋଟିଏ ମାଙ୍କଡ଼ ଆଜି କେବଳ ଏକ ଜୀବ ନୁହେଁ, ବରଂ ବିଲିୟନ ବିଲିୟନ ଡଲାରର ଫାର୍ମା ଶିଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।
ଆହୁରି ମଧ୍ୟ ପଢନ୍ତୁ - Railway blanket theft : ଏସି କୋଚ୍ର ସଭ୍ୟ ଚୋର, ୪ ବର୍ଷରେ ବୋହିନେଲେ ୧୦୪ କୋଟିର ଚାଦର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।