01 AUGUST 2026

Welcome!

Unlock your personalized experience.
Sign Up

Black Diamond Library:ବ୍ଲାକ ଡାଇମଣ୍ଡ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଲାଣି, ଖତ ଖାଉଛି ୨୪ କମ୍ପ୍ୟୁଟର, ଜିଲ୍ଲା ପ୍ରଶାସନ ବେଫିକର

Aug 01, 2026 - 13:42
Black Diamond Library:ବ୍ଲାକ ଡାଇମଣ୍ଡ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଲାଣି, ଖତ ଖାଉଛି ୨୪ କମ୍ପ୍ୟୁଟର, ଜିଲ୍ଲା ପ୍ରଶାସନ ବେଫିକର

ଅନୁଗୁଳ ୦୧/୦୮: ପାଠକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା । କେବଳ ପାଠ୍ୟ ପୁସ୍ତକ ଉପଲବ୍ଧ ହେବନି, ୱାଇଫାଇ ସେବା ସାଙ୍ଗକୁ କମ୍ପ୍ୟୁଟରରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ବ୍ଲାକ୍‌ ଡାଇମଣ୍ଡରେ ପରିଚାଳିତ ବିଶ୍ୱସ୍ତରୀୟ ପାଠାଗାରକୁ  ନେଇ ଏମିତି ରଙ୍ଗୀନ୍‌ ସ୍ୱପ୍ନ ଦେଖାଇଥିଲା ଜିଲ୍ଲା  ପ୍ରଶାସନ । ମାତ୍ର ଉଦ୍‌ବେଗର ବିଷୟ, ବ୍ଲାକ ଡାଇମଣ୍ଡ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଲାଣି ।  ହେଲେ ଏଯାବତ୍‌ ଇ-ଲାଇବ୍ରେରୀ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ସେପଟେ ଇ-ଲାଇବ୍ରେରୀ  ପାଇଁ କିଣାଯାଇଥିବା ୨୪ଟି କମ୍ପ୍ୟୁଟର ପଡ଼ିରହିଛି ।  ଏହାକୁ ଚାଲୁ କରିବାକୁ ଜିଲ୍ଲା ପ୍ରଶାସନର ସତେଯେମିତି ଆନ୍ତିରକତା ନାହିଁ । ବିନା କମ୍ପ୍ୟୁଟର ଓ ୱାଇଫାଇରେ ଇଏ କେମିତିକା ବିଶ୍ୱସ୍ତରୀୟ ଲାଇବ୍ରେରୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

​​​​​​​ଅଧିକ ପଢ଼ନ୍ତୁ :-  Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଜାମିନ୍‌ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ​​​​​​​

ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୩୬ କୋଟି ବିନିମୟରେ ନିର୍ମାଣ ହୋଇଛି ବ୍ଲାକ ଡାଇମଣ୍ଡ ।  କୋଇଲା ଆକୃତିର ଏହି କୋଠାରେ ଲାଇବ୍ରେରୀ ଓ  ମ୍ୟୁଜିୟମ୍‌ ରହିଛି । ବିଶ୍ୱସ୍ତରୀୟ ପାଠାଗାର ବୋଲି ଜିଲ୍ଲା ପ୍ରଶାସନ କେବଳ ଡିଣ୍ଡିମ ପିଟୁଥିବା ବେଳେ  ପ୍ରଶାସନିକ ଉଦାସୀନତା କାରଣରୁ ଇ-ଲାଇବ୍ରେରୀ  ମାଟି କାମୁଡିଛି । ଭିତ୍ତିଭୂମି ଥିବା ସତ୍ତେ୍ୱ ବିଦ୍ୟାର୍ଥୀଙ୍କୁ  ଏହାର ସୁଫଳ ମିଳୁନି ।

ଜିଲ୍ଲା ସଦର ମହକୁମାରେ ସଂସ୍କୃତି  ବିଭାଗର ଏକ ପାଠାଗାର ରହିଛି । ଏହି  ପୁରାତନ ପାଠାଗାର ନିଃଶୁଳ୍କ ଥିବା ବେଳେ  ବ୍ଲାକ ଡାଇମଣ୍ଡକୁ ଦେୟଯୁକ୍ତ କରାଯାଇଛି ।  ପ୍ରତିଦିନ ୨୦ ଟଙ୍କାର ପ୍ରବେଶ ଫି’ ଦେବାକୁ  ହେବ । ଏହାଛଡା ପାଠକ ପାଠିକା ମାସିକ ୧୫୦  ଟଙ୍କାର ଦେୟ ପୈଠ କରି ପାଠାଗାରର ସୁବିଧା  ନେଉଛନ୍ତି । ଏହି ଅତ୍ୟାଧୁନିକ ପାଠାଗାରରେ  ପ୍ରାୟ ୩୦ ହଜାର ପୁସ୍ତକ ରହିଛି । ଭଲ ପୁସ୍ତକ,  ବିଶେଷ କରି ଅଧିକ ଇଂରାଜୀ ପୁସ୍ତକ ଉପଲବ୍ଧ  ଥିବାରୁ ପାଠକ ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର  ଇଣ୍ଟର୍‌ନେଟ୍‌ ଓ କମ୍ପ୍ୟୁଟର ସୁବିଧା ନଥିବାରୁ  ଛାତ୍ରଛାତ୍ରୀ ଅସନ୍ତୋଷ ଝାଡୁଛନ୍ତି । ୨୪ଟି  କମ୍ପ୍ୟୁଟର ଥିବା ସତ୍ତେ୍ୱ କାର୍ଯ୍ୟକ୍ଷମ କରିବାରେ  ଅସୁବିଧା କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି ।

ଅପରପକ୍ଷରେ ପାଣ୍ଠିର ଅଭାବ  ଦର୍ଶାଇ ପୂର୍ବରୁ ଜିଲ୍ଲା ପ୍ରଶାସନ ନିରବ ମୁଦ୍ରାରେ  ବସିଥିଲା । ଏବେ ପ୍ରଶାସନ ଇ-ଲାଇବ୍ରେରୀକୁ  ସମ୍ପୂର୍ଣ୍ଣ ଭାବେ ପାସୋରି ଦେଇଛି । ବ୍ଲାକ୍‌  ଡାଇମଣ୍ଡର ପରିଚାଳନା ଦାୟିତ୍ୱରେ ନିଜାରତ  ବିଭାଗରେ ଥିବା ବେଳେ କତ୍ତୃ ର୍ପକ୍ଷ ବେଫିକର  ହୋଇ ବସିଛନ୍ତି । ଏ ସଂକ୍ରାନ୍ତରେ ଜଣେ ବରିଷ୍ଠ  ପ୍ରଶାସନିକ ଅଧିକାରୀ କହିଛନ୍ତି, ଇ-ଲାଇବ୍ରେରୀ  ତିଆରି କରିଥିବା ମୂଳସଂସ୍ଥା କାମ ସମ୍ପୂର୍ଣ୍ଣ ନକରି  ଚାଲିଯାଇଛି । ଯେଉଁ ଢଙ୍ଗରେ ଇ-ଲାଇବ୍ରେରୀ  ବ୍ୟବସ୍ଥା ହୋଇଛି, ଟେକ୍ନିକାଲ୍‌ କାମ କୌଣସି  ସ୍ଥାନୀୟ ସଂସ୍ଥା କରିବା ସମ୍ଭବ ନୁହଁ । ପାଣ୍ଠିକୁ  ନେଇ କୌଣସି ସମସ୍ୟା ନାହିଁ । ମୂଳସଂସ୍ଥା ସହିତ  ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ  ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।