Welcome!

Unlock your personalized experience.
Sign Up

୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Jul 30, 2026 - 23:00
୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ୧୦୦ ବ୍ଲକର ୫୩୯ ଗ୍ରାମ ପଞ୍ଚାୟତ ପ୍ରଭାବିତ
  • ବନ୍ୟା ଯୋଗୁଁ ୧୩୫୩ ଘର କ୍ଷତିଗ୍ରସ୍ତ
  • ୨୪,୮୯୬ ହେକ୍ଟର ଚାଷଜମି ନଷ୍ଟ
  • ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦।୭ : ବନ୍ୟା ଜଳ ଶୁଖିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସମାନ ଦାୟିତ୍ଵ ଏବଂ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ମୁକାବିଲାକୁ ନେଇ ମାରାଥନ୍ ବୈଠକରେ ରାଜସ୍ବ ମନ୍ତ୍ରୀ ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି`

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବନ୍ୟା ଦ୍ଵାରା ବିଶେଷ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ମଧ୍ଯ ଅନେକାଂଶରେ ପ୍ରଭାବିତ ହୋଇ ହୋଇଛି l ପ୍ରାୟ ୧୦୦ଟି ବ୍ଲକର ୫୩୯ଟି ଗ୍ରାମ ପଞ୍ଚାୟତରେ ୧୪୫୮ ଗାଆଁର ୭,୦୫,୨୩୨ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l SRCଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ODRAF, NDRF ଏବଂ ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ତଥା ଜିଲ୍ଲାପ୍ରଶାସନର ସମ୍ମିଳିତ ପ୍ରୟାସ ମାଧ୍ୟମରେ ପ୍ରାୟ ୧,୮୯,୫୯୭ଜଣ ବ୍ୟକ୍ତିଙ୍କୁ ରିଲିଫ୍ କେନ୍ଦ୍ର ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l ପ୍ରାୟ ୧୩୫୩ଟି ଘର ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪,୮୯୬ ହେକ୍ଟର ଚାଷଜମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି l

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ତିନିଦିନ ଅର୍ଥାତ୍ ୭୨ ଘଣ୍ଟା ମଧ୍ୟରେ ବନ୍ୟା ଜଳ ନିଷ୍କାସିତ ହୋଇ ଶୁଖିବା ପରେ ତୁରନ୍ତ ଜିଲ୍ଲାସ୍ତରରେ ବନ୍ଯାଜନିତ କ୍ଷୟକ୍ଷତି ଆକଳନ କରି ବିଭାଗକୁ ରିପୋର୍ଟ୍ ପ୍ରଦାନ କରାଯିବ । SRCଙ୍କ ତତ୍ତ୍ଵାବଧାନରେ ନିୟମାବଳୀ ଅନୁଯାୟୀ ଯଥାଶୀଘ୍ର ଜନସାଧାରଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ l ଚାଷଜମି କ୍ଷତିପୂରଣ ନେଇ କୃଷି ବିଭାଗ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରାଯିବ l

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ୫୨୦ଟି ରିଲିଫ୍ କେନ୍ଦ୍ରରେ ପ୍ରାୟ ୧,୮୨,୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ମଧ୍ଯ ଯୋଗାଇ ଦିଆଯାଉଛି l ସମସ୍ତ ରିଲିଫ୍ କେନ୍ଦ୍ରରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଥିବା ବେଳେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ଶିଶୁଖାଦ୍ୟର ବ୍ୟବସ୍ଥା ସହ ମହିଳା ପୋଲିସ୍ ମଧ୍ଯ ନିୟୋଜିତ ହୋଇଛନ୍ତି l ଗୋଖାଦ୍ୟ ମଧ୍ଯ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଇଛି l

ଇତିମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଉପରମୁଣ୍ଡରେ ବର୍ଷା ମଧ୍ଯ କମିଯାଇଛି l ତେବେ, ମହାନଦୀରେ ନରାଜଠାରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି l ହୀରାକୁଦ ଡ୍ୟାମର ଦୁଇଟି ଗେଟ୍ ଏପର୍ଯ୍ୟନ୍ତ ଖୋଲା ଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି l ଏହି ପରିପ୍ରେକ୍ଷୀରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ଉପରେ ତୀକ୍ଷଣ ନଜର ରଖାଯିବା ସହ ଆବଶ୍ୟକ ପ୍ରସ୍ତୁତି କରାଯାଇଛି l

ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଆଦି ଜିଲ୍ଲାରେ ବୃଷ୍ଟିପାତ ହୋଇଥିବା ବେଳେ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହି ପରିସ୍ଥିତିର ସୁବ୍ୟବସ୍ଥିତ ପରିଚାଳନା କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ହେଲିକପ୍ଟର ଯୋଗେ ମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିଶଦ ସମୀକ୍ଷା ମଧ୍ଯ କରିଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ସ୍ପେଶାଲ୍ ରିଲିଫ୍ କମିଶନର୍ ରାଜେଶ ପ୍ରଭାକର ପାଟିଲ୍ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ଓ ଚାଷ ଜମିରେ ସୌରଶକ୍ତିର ଉତ୍ପାଦନକୁ ପ୍ରୋତ୍ସାହନ : ଶକ୍ତି ବିଭାଗ ଏବଂ ସିଏସଟିଇପି ମଧ୍ୟରେ ଏମଓୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।