୩୦୦ ତାରକା ହୋଟେଲକୁ ଚୂନ ଲଗାଇଥିଲେ ୬୯ ବର୍ଷୀୟ ବୃଦ୍ଧ, ଏବେ ଜେଲ୍ ରୁଟି ଖାଇବ ଠକ ବିଙ୍ଗସନ୍ ଜନ୍
ଭୁବନେଶ୍ୱର,୧୦/୦୭: ଜେଲ୍ରୁ ମୁକୁଳିବା ପରେ ସିଧା ତାରକା ହୋଟେଲକୁ ଯାଉଥିଲା । ଜାଲ ପରିଚୟପତ୍ର ଦେଖାଇ ଭିଆଇପିଙ୍କ ଭଳି ମାସ ମାସ ଧରି ରହୁଥିଲା । ମାଗଣା ଖାଇବା ସହ ଚାକଚକ୍ୟ ଭରା ରହଣି ପରେ ଉଭାନ୍ ହୋଇଯାଉଥିଲା । ବିଭିନ୍ନ ରାଜ୍ୟରେ ୩୦୦ ତାରକା ହୋଟେଲକୁ ଏଭଳି ଚୂନ ଲଗାଇଥିବା ଜଣେ ବୃଦ୍ଧ ଠକ ଭୁବନେଶ୍ୱରରୁ ଧରାପଡ଼ିଛି ।
ଠକ ଜଣକ ହେଲେ ୬୯ ବର୍ଷୀୟ ବିଙ୍ଗସନ୍ ଜନ୍ । ଘର ତାମିଲନାଡୁରେ । କିଛି ଦିନ ତଳେ ସେ ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳର ଏକ ତାରକା ହୋଟେଲରେ ରହିବାକୁ ଯୋଜନା କରିଥିଲା । ରାୟପୁର ପୁଲିସ ତାକୁ ଭୁବନେଶ୍ୱର ବିମାନବନ୍ଦରରୁଉଠାଇ ନେଇଛି । ଗତ ମାସରେ ଜନ୍ ଛତିଶଗଡ଼ ରାୟପୁରର ନାମୀ ତାରକା ହୋଟେଲ ‘ହାୟତ’ରେ ରହିଥିଲା । କିଛି ଦିନ ରହଣି ପରେ ୬୩,୭୫୫ ଟଙ୍କାର ବକେୟା ବିଲ୍ ଭରିନଥିଲା । ହୋଟେଲରୁ ଦେଢ଼ ଲକ୍ଷ ଟଙ୍କାର ଏକ ଦାମୀ ଲାପଟପ୍ ନେଇ ଓଡ଼ିଶା ଚାଲି ଆସିଥିଲା ।
ଅଧିକ ପଢ଼ନ୍ତୁ :- କାଠଯୋଡ଼ିରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବାକୁ ପୁଲିସର ତନାଘନା, ଆଗକୁ ହୋଇପାରେ DNA ଟେଷ୍ଟ
ବିଂଶ ଶତାବ୍ଦୀର ଚର୍ଚ୍ଚିତ ସିରିଆଲ୍ କିଲର ଚାର୍ଲସ୍ ଶୋଭରାଜକୁ ଆଦର୍ଶ ମାନିଥିଲା ଜନ୍ । ଚାଲିଚଳଣ ସାଙ୍ଗକୁ ଠାଣି ପୂରା ସମ୍ଭ୍ରାନ୍ତ ଶ୍ରେଣୀ ଲୋକଙ୍କ ଭଳି । ଇଂରାଜୀ ଭାଷାରେ ମାର୍ଜିତ କଥାବାର୍ତ୍ତା ସହ ହାବଭାବକୁ ଦେଖିଲେ, ଯେ କେହି ବି ଧୋକ୍କା ଖାଇଯିବ । ତାରକା ହୋଟେଲ କର୍ମଚାରୀ ଜନ୍ଙ୍କ ଜାଲରେ ଫସିଯାଉଥିଲେ । ଜନ୍ ଅବିବାହିତ । ସେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ିଛି । ୧୯୮୦ ମସିହାରେ ଦିଲ୍ଲୀରେ ବେଶ୍ କିଛି ଦିନ ଟୁରିଷ୍ଟ ଗାଇଡ୍ ଥିଲା । ସେତେବେଳେ ଅତିଥିମାନଙ୍କୁ ଯେଉଁ ହୋଟେଲରେ ରଖୁଥିଲା, ସେଠାରେ ମଧ୍ୟ ମାଗଣାରେ ରହୁଥିଲା । ୧୯୯୦ ମସିହାରୁ ତାରକା ହୋଟେଲକୁ ଚୂନ ଲଗାଇବା ଆରମ୍ଭ କଲା । ପରେ ହୋଟେଲରେ ମାଗଣା ରହଣି ଅଭ୍ୟାସରେ ପରିଣତ ହେଲା ।
ଅଧିକାଂଶ ସମୟରେ ଜନ୍ ନିଜକୁ ଟୁରିଷ୍ଟ ଗାଇଡ୍ ବୋଲି ଦର୍ଶାଉଥିଲା । ନଚେତ୍ ଇଂରାଜୀ ଶିକ୍ଷକ କିମ୍ବା ଯୋଗ ଗୁରୁ ବୋଲି ପରିଚୟ ଦେଉଥିଲା । କଥାବାର୍ତ୍ତା ଛଳରେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ସହଜରେ ମିଶି ଯାଉଥିଲା । ପରେ ହୋଟେଲରେ ରହଣି ବାବଦକୁ ଅଗ୍ରୀମ ଦେୟକୁ ଏଡ଼ାଇ ଯାଉଥିଲା । କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ୧୦ଟି ରାଜ୍ୟରେ ନାମୀ ଦାମୀ ହୋଟେଲ କର୍ତ୍ତୃପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇଛି ସେ ।
ରାୟପୁର ପୁଲିସ ଦ୍ୱାରା ଗିରଫ ପୂର୍ବରୁ ଅନେକ ରାଜ୍ୟର ପୁଲିସ ତାକୁ ଜେଲ ପଠାଇ ସାରିଛି । ୧୯୯୬ ମସିହାରେ ଜନ୍ ପ୍ରଥମ ଥର ପାଇଁ କୌଣସି ମାମଲାରେ ତିହାର ଜେଲ୍ରେ ରହିଥିଲା । ଜନ୍ ପ୍ରାୟ ୧୫ ବର୍ଷ ଧରି ଦେଶର ବିଭିନ୍ନ ଜେଲରେ ରହିଛି । ଜେଲ୍ ଚାରି କାନ୍ଥରୁ ମୁକୁଳିବା ପରେ ସିଧା ପାଞ୍ଚ ତାରକା ହୋଟେଲରେ ଭିଆଇପିଙ୍କ ଭଳି ରହୁଥିଲା । ୨୦୨୨ ମସିହାରେ କେରଳର ଥିରୁଅନନ୍ତପୁରମ୍ର ଏକ ତାରକା ହୋଟେଲକୁ ଚୂନ ଲଗାଇବାରୁ କୋଲାମ୍ ରେଳବାଇ ଥାନା ପୁଲିସ ତାକୁ ବାନ୍ଧିଥିଲା । ଗତମାସରେ ରାୟପୁରର ତାରକା ହୋଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ପୁଲିସ ତା’ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ଭୁବନେଶ୍ୱରରୁ ବାନ୍ଧିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।