16 JULY 2026

Welcome!

Unlock your personalized experience.
Sign Up

ଶିମିଳିପାଳରେ ବଢ଼ୁଛି ମହାବଳ ବଂଶ: ଚହଲା ଓ ଗୁଡୁଗୁଡିଆ ରେଞ୍ଜକୁ ମାଡ଼ିଗଲେ, କ୍ୟାମେରା ଟ୍ରାପ୍‌ରୁ ୩୫ ମହାବଳ ଚିହ୍ନଟ

Jul 16, 2026 - 10:10
ଶିମିଳିପାଳରେ ବଢ଼ୁଛି ମହାବଳ ବଂଶ: ଚହଲା ଓ ଗୁଡୁଗୁଡିଆ ରେଞ୍ଜକୁ ମାଡ଼ିଗଲେ, କ୍ୟାମେରା ଟ୍ରାପ୍‌ରୁ ୩୫ ମହାବଳ ଚିହ୍ନଟ

ଭୁବନେଶ୍ୱର/ବାରିପଦା ୧୬/୦୭ ମହାବଳ ଗର୍ଜନରେ କମ୍ପୁଛି ଶିମିଳିପାଳର ଘଞ୍ଚ ଜଙ୍ଗଲ । ଜାତୀୟ ଉଦ୍ୟାନରେ କ୍ରମାଗତ ଭାବେ ଜାତୀୟ ପଶୁର ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଶିମିଳିପାଳରେ ମୋଟ ୩୫ଟି ମହାବଳ ଅଛନ୍ତି । ମଧ୍ୟ-ଭାରତୀୟ ଲ୍ୟାଣ୍ଡସ୍କେପ୍‌ରୁ ଆଉ ଏକ ପୁରୁଷ ଓ ଏକ ମାଈ ବାଘ ଆଣିବାକୁ ପ୍ରସ୍ତାବ ରହିଛି । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏହି ସୂଚନା ଦେଇଛନ୍ତି । ଶ୍ରୀ ଝାଙ୍କ କହିବା ମୁତାବକ, ଶିମିଳିପାଳରୁ ବାଘ ବଂଶ ଲୋପ ପାଇଯିବା ଭଳି ଆଶଙ୍କାରେ ପ୍ରାୟତଃ ରୋକ୍ ଲାଗିଛି । କାହିଁକି ନା, ସର୍ବଭାରତୀୟ ବ୍ୟାଘ୍ର ଗଣନା (ଏଆଇଟିଇ) -୨୦୨୨ ରେ  ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ ।

ରାଜ୍ୟସ୍ତରୀୟ ବାଘ ଗଣନା ୨୦୨୪ ତଥ୍ୟ ଅନୁଯାୟୀ, ବାଘ ସଂଖ୍ୟା ୨୭କୁ ବଢ଼ିଥିଲା । ସେଥିରୁ ୧୪ଟି ମାଈ ୧୩ଟି ଅଣ୍ଡିରା ମହାବଳ ଥିଲେ । ଗତବର୍ଷ ଡିସେମ୍ବରରୁ ୬ ମାସ ଧରି ଶିମିଳିପାଳ ଦକ୍ଷିଣ ଓ ଉତ୍ତରରେ ବାଘ ଗଣନା ଚାଲିଥିଲା । କ୍ୟାମେରା ଟ୍ରାପ୍ ପରିସଂଖ୍ୟାନ ଅନୁସାରେ, ଶିମିଳିପାଳରେ ୩୫ଟି ବାଘର ଗତିବିଧିର ଦୃଶ୍ୟ କଏଦ୍ ହୋଇଛି । ସେଥିମଧ୍ୟରୁ ୧୭ଟି ପୁରୁଷ ଓ ୧୮ଟି ମାଈ ବୋଲି ଚିହ୍ନଟ ହୋଇଛି । ୧୯ଟି ମହାବଳ ହେଉଛନ୍ତି ମେଲେନାଷ୍ଟିକ୍ ପ୍ରଜାତିର । ୨୦୨୪ରେ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତର ୪ ଶାବକକୁ ମିଶାଇଲେ, ଶିମିଳିପାଳରେ ଶାବକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଯାହାକି, ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏକ ଶୁଭ ଖବର । ଏସବୁ ତଥ୍ୟ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ(ଡବ୍ଲୁଆଇଆଇ)କୁ ପଠାଇ ଦିଆଯାଇଛି ।

ଅଧିକ ପଢନ୍ତୁ :-  Crime News: ଏସ୍ପି, ଉପଜିଲ୍ଲାପାଳଙ୍କୁ ଜାଲ୍ ପରିଚୟପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ଦୁଇ ନକଲି ଅଧିକାରୀଙ୍କୁ ଉଠାଇନେଲା ପୁଲିସ

ଡବ୍ଲୁଆଇଆଇରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଡ. ବିଭାସ ପାଣ୍ଡବ କହିଛନ୍ତି, ପୂର୍ବରୁ ଦକ୍ଷିଣ ଶିମିଳିପାଳ ବାଘଙ୍କ ବସା ଥିଲା । ସମୟକ୍ରମେ ଉତ୍ତର ଶିମିଳିପାଳ ଆଡ଼େ ମାଡିଗଲେଣି ମହାବଳ । ସେଠାକାର ତଳବନ୍ଧ, ଚହଲା ଓ ଗୁଡୁଗୁଡିଆ ରେଞ୍ଜକୁ ଟେରିଟୋରି ଭାବେ ବାଛିଲେଣି । ଏହି ଜାତୀୟ ଉଦ୍ୟାନରେ ପାଖାପାଖି ହଜାରେ କ୍ୟାମେରା ଟ୍ରାପ୍ ଖଞ୍ଜାଯାଇଛି । ଠିକ ସଂଖ୍ୟା ଜାଣିବାକୁ କ୍ୟାମେରା ଫୁଟେଜ୍ ଓ ଫଟୋର ତର୍ଜମା ଚାଲିଛି । ଗୋଟିଏ ବାଘ ଏକାଧିକ ଥର କ୍ୟାମେରା ଲେନ୍ସରେ କଏଦ୍ ହୋଇଥିଲେ । ତା’ର ଗତିବିଧିର ଅନୁପାତକୁ ଅନୁଧ୍ୟାନ କରିବାକୁ ପଡ଼େ । ସବିଶେଷ ତର୍ଜମା ପରେ ମହାବଳ ସଂଖ୍ୟା ୩୫ ଟପିପାରେ ବୋଲି ଆଶା ରଖିଛୁ । ଆସନ୍ତା ବର୍ଷ ବାଘ ଗଣନା ରିପୋର୍ଟ ପ୍ରକାଶିତ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।