ରାଜ୍ୟରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ନିବେଶ ହେବ ୪୫୭୩ କୋଟି ଟଙ୍କା
ଭୁବନେଶ୍ବର, ୨୧।୭ : ‘ସମୃଦ୍ଧ ଓଡ଼ିଶା–୨୦୩୬’ ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ରାଜ୍ୟରେ ୧୧ଟି ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ନିବେଶ ହେବ ୪,୫୭୩.୮୭ କୋଟି । ୨୨ ହଜାର ୮୭୩ ନିଯୁକ୍ତି ସୁଯୋଗ ହେବ ସୃଷ୍ଟି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ଅନୁମୋଦନ ମିଳିଛି।
ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଆଇଟି ଓ ଆଇଟିଇଏସ୍, ଗ୍ରୀନ୍ ଏନର୍ଜି, ବ୍ୟାଟେରୀ ଓ ଏନର୍ଜି ଷ୍ଟୋରେଜ୍, କେମିକାଲ୍, ବସ୍ତ୍ର ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡାଉନ୍ଷ୍ଟ୍ରିମ୍, ଔଷଧ ଓ ମେଡିକାଲ୍ ଡିଭାଇସ୍, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ର ରହିଛି। ଏହା ରାଜ୍ୟର ସନ୍ତୁଳିତ ଶିଳ୍ପ ବିକାଶ ଓ ନୂତନ ବିନିଯୋଗ ଆକର୍ଷଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଆଇଟି ଓ ଆଇଟିଇଏସ୍ କ୍ଷେତ୍ରରେ
ଏଚ୍ସିଏଲ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ୭୩୦ କୋଟି ଟଙ୍କା ବିନିଯୋଗରେ ଏକ ଗ୍ଲୋବାଲ୍ ଡେଭେଲପମେଣ୍ଟ ସେଣ୍ଟର ସ୍ଥାପନ କରିବ। ଏହା ମାଧ୍ୟମରେ ୬,୦୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଓଡ଼ିଶାର ବିକାଶଶୀଳ ଆଇଟି ପରିବେଶକୁ ଆହୁରି ସୁଦୃଢ଼ କରିବ।
ଗ୍ରୀନ୍ ଏନର୍ଜି ଓ ଏନର୍ଜି ଷ୍ଟୋରେଜ୍ କ୍ଷେତ୍ରରେ
ACME Cleantech Solutions Pvt. Ltd. ଗଞ୍ଜାମରେ ୭୭୮ କୋଟି ଟଙ୍କା ବିନିଯୋଗରେ ଆଲ୍କାଲାଇନ୍ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ ।ଏହା ୪୮୦ ନିଯୁକ୍ତି ସୃଷ୍ଟି ହେବ। ସେହିପରି GGB Battery India Pvt. Ltd. କଟକରେ ୨୦୨.୫୦ କୋଟି ବିନିଯୋଗରେ ଜିଙ୍କ ଆନୋଡ୍ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏଥିରେ ୨୫୪ ନିଯୁକ୍ତି ସୃଷ୍ଟି ହେବ।
Envirocare Infrasolution Pvt. Ltd. ଅନୁଗୋଳରେ ୩୫୧ କୋଟି ବିନିଯୋଗରେ ୧୦୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପ ଦ୍ବାରା ୬୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ବସ୍ତ୍ର ଓ ପୋଷାକ କ୍ଷେତ୍ରରେ
ପୁରୀ ଓ ବଲାଙ୍ଗୀରରେ ୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। SAPL Industries, SPL Industries, Richa Global Exports ଓ Astha Cotspin ମିଶି ମୋଟ ୧୦,୩୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ।
ସେହିପରି ରାସାୟନିକ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍, ଔଷଧ, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏକାଧିକ ବଡ଼ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ରାଜ୍ୟରେ ଶିଳ୍ପ ବିକାଶ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ଭିତ୍ତିଭୂମିର ଉନ୍ନତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଆହୁରି ପଢନ୍ତୁ : ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର, ୫୮ ଲକ୍ଷରୁ ଅଧିକ ଲୋକଙ୍କୁ ଯିବ ନୋଟିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।