Welcome!

Unlock your personalized experience.
Sign Up

ରାଜନୀତି, କୂଟନୀତି ଓ ଭାରତର ବୈଦେଶିକ ନୀତି

Jul 24, 2026 - 14:05
ରାଜନୀତି, କୂଟନୀତି ଓ ଭାରତର ବୈଦେଶିକ ନୀତି

ଆଜିର ବିଶ୍ୱ ଏକ ପରିବର୍ତ୍ତନର ଦ୍ୱାରଦେଶରେ ଦଣ୍ଡାୟମାନ । ଶୀତଳ ଯୁଦ୍ଧ ପରବର୍ତ୍ତୀ ଏକାଧିକ ବ୍ୟବସ୍ଥା ଦେଶ-ଦେଶ ମଧ୍ୟରେ ଥିବା ସମ୍ପର୍କ କେବଳ ପରସ୍ପରର ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ମଧ୍ୟରେ ସୀମିତ ନୁହେଁ, ବରଂ ପ୍ରତିଟି ଦେଶର ପ୍ରଚଳିତ ବିଦେଶ ନୀତି ଅନ୍ୟ ଦେଶର ସାମାଜିକ, ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ବିସ୍ତାର କରିପାରେ । ଏକପକ୍ଷରେ ଆମେରିକା-ଚୀନ ମଧ୍ୟରେ ମୁଖ୍ୟତଃ ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା, ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ସଂଘର୍ଷ ଏବଂ ଆମେରିକା ଇସ୍ରାଏଲ ସହିତ ଇରାନର ଯୁଦ୍ଧ ପରବର୍ତ୍ତୀ ସାମରିକ ଓ ଆର୍ଥିକ ବିବାଦ ଲାଗିରହିଛି ।

ଅନ୍ୟପକ୍ଷରେ ପଶ୍ଚିମ ଏସିଆରେ ଅସ୍ଥିରତା, ସମଗ୍ର ବିଶ୍ୱରେ ଜଳବାୟୁର ପରିବର୍ତ୍ତନ, ଶକ୍ତି, ସୁରକ୍ଷା ଓ ପ୍ରଯୁକ୍ତିଗତ କୌଶଳ ବିଶ୍ୱ ରାଜନୀତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ରାଜନୀତି, କୂଟନୀତି ଓ ଭାରତର ବିଦେଶ ନୀତି କେବଳ ଯେ ଏକ ଶିକ୍ଷାଗତ ଆଲୋଚନା ତାହା ନୁହେଁ, ବରଂ ଏହା ଭାରତର ଜାତୀୟ ସୁରକ୍ଷା, ଆର୍ଥିକ ପ୍ରଗତି ଓ ବିଶ୍ୱନେତୃତ୍ୱ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ଆନ୍ତର୍ଜାତିକ ରାଜନୀତି ଦେଶ-ଦେଶ ମଧ୍ୟରେ ଥିବା ଶକ୍ତି, ସ୍ୱାର୍ଥ ଓ ଅନ୍ୟ ଦେଶ ଉପରେ ପ୍ରଭାବ ବିସ୍ତାର କରିପାରିବାର କ୍ଷମତା ଉପରେ ପର୍ଯ୍ୟବେସିତ । ପ୍ରତ୍ୟେକ ଦେଶ ନିଜ ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାଏ । ଏହି କାରଣରୁ ଦେଶ-ଦେଶ ମଧ୍ୟରେ ହେଉଥିବା ମିତ୍ରତା ଓ ଶତ୍ରୁତାର ପରିଭାଷା ମଧ୍ୟ ସମୟ ବିଶେଷରେ ପରିବର୍ତ୍ତିତ ହୋଇଥାଏ । ଏହାକୁ ସେହି ଦେଶର "ବୈଦେଶିକ ନୀତି' କୁହାଯାଏ ।

ପୂର୍ବେ ଗୋଟିଏ ଦେଶର ସାମରିକ ଶକ୍ତିକୁ ଆନ୍ତର୍ଜାତିକ ପ୍ରଭାବର ପ୍ରମୁଖ ପରିମାପକ ଭାବରେ ଦେଖାଯାଉଥିଲା । ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ରୁଷ ପରି ବିଶ୍ୱର ଦୁଇ ପ୍ରମୁଖ ଶକ୍ତିଶାଳୀ ଦେଶ ସମଗ୍ର ବିଶ୍ୱରେ ସେମାନଙ୍କ ପ୍ରଭାବ ବିସ୍ତାର କରିଥିଲେ । ଅନେକ ବର୍ଷ ଧରି ପରମାଣୁ ଶକ୍ତିସମ୍ପନ୍ନ ଉଭୟ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା । ପରବର୍ତ୍ତୀ ସମୟରେ ସୋଭିଏତ ରୁଷ ବିଭାଜିତ ହେବାପରେ ଶୀତଳ ଯୁଦ୍ଧର ଅବସାନ ହେଲା । କିନ୍ତୁ କେବଳ ସାମରିକ କ୍ଷେତ୍ରରେ ନୁହେଁ, ବିଜ୍ଞାନ ଓ କୌଶଳଗତ ପ୍ରଯୁକ୍ତିବିଦ୍ୟାରେ ରୁଷ ନିଜର ଦକ୍ଷତା ବୃଦ୍ଧି କଲା ।

ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପରି କେତେକ ଶକ୍ତିଶାଳୀ ଦେଶକୁ ନେଇ "ନାଟୋ’ ସଂଗଠନ ପ୍ରସ୍ତୁତ କଲା । ଏହି ଦେଶଗୁଡିକ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ରହିଲା ଯେ "ନାଟୋ’ ଦେଶଗୁଡିକ ମଧ୍ୟରୁ ଯେକୌଣସି ଦେଶକୁ ଆକ୍ରମଣ ହେଲେ ତାହାକୁ "ନାଟୋ’ ସଂଗଠନ ନିଜ ଉପରେ ଆକ୍ରମଣ ମନେକରି ପ୍ରତିହତ କରିବ ।

ସମୟକ୍ରମେ ପରମାଣୁ ଶକ୍ତିସମ୍ପନ୍ନ ଆମେରିକା, ରୁଷିଆ, ଚୀନ, ଫ୍ରାନ୍ସ ଓ ବ୍ରିଟେନ ପରି ଶକ୍ତିଶାଳୀ ଦେଶଗୁଡିକ ସାଧାରଣ ପରିଷଦରେ ସେମାନଙ୍କ ପ୍ରଭାବ ବିସ୍ତାର କଲେ । ସେମାନଙ୍କ ନିକଟରେ "ଭିଟୋ' ଶକ୍ତି ପ୍ରୟୋଗ କରିବାର ଅଧିକାର ରହିଲା । ସେମାନେ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ରହି ସାମଗ୍ରିକ ଭାବରେ ଆନ୍ତର୍ଜାତିକ ରାଜନୀତିର ମୁଖ୍ୟ କର୍ଣ୍ଣଧାର ହେଲେ । ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର କାର୍ଯ୍ୟକାରିତା ଓ ନିୟାମାବଳୀ ବାସ୍ତବିକ ଭାବରେ ଦେଖିବାକୁ ଗଲେ ଆମେରିକା ହାତରେ ରହିଲା ।

"ଅପରେସନ ସିନ୍ଦୂର' ସମାପ୍ତି ହେବା ପୂର୍ବରୁ ଆମେରିକାର ଅନୁମୋଦନ କ୍ରମେ ପାକିସ୍ତାନକୁ ଏହିସବୁ ସଂସ୍ଥାମାନଙ୍କ ଜରିଆରେ ଯୁଦ୍ଧର କ୍ଷୟକ୍ଷତି ଭରଣା କରିବା ପାଇଁ ବିପୁଳ ପରିମାଣର ଅର୍ଥ ସାହାଯ୍ୟ ଦିଆଯାଇଥିଲା । ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ଏବଂ ଭାରତବିରୋଧୀ ଜାଣି ସୁଦ୍ଧା ଆଜିପର୍ଯ୍ୟନ୍ତ ଏହା ଆମେରିକାର ଏକ ବନ୍ଧୁ ରାଷ୍ଟ୍ର ହୋଇ ରହିଛି ।

ପରମାଣୁ ଶକ୍ତିସମ୍ପନ୍ନ ପାକିସ୍ତାନକୁ କୂଟନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ଇସ୍ରାଏଲ ଆମେରିକାର ଇରାନ ଉପରେ ଅତର୍କିତ ଆକ୍ରମଣ ଓ ସଂଘର୍ଷ ଏବଂ ପରବର୍ତ୍ତୀ ସମୟରେ ପାକିସ୍ତାନର ମଧ୍ୟସ୍ଥିରେ ଯୁଦ୍ଧବିରତି ଓ ଯୁଦ୍ଧ ପରିସମାପ୍ତି ଫଳରେ ବିଶ୍ୱ ଦରବାରରେ ପାକିସ୍ତାନର ଲୋକପ୍ରିୟତା ବଢ଼ିଛି ।

ବର୍ତ୍ତମାନର ବିଶ୍ୱ ବ୍ୟବସ୍ଥାରେ କୌଣସି ଏକ ଦେଶ ଏକାକୀ ନିଜର ସୁରକ୍ଷା ସହିତ ଅର୍ଥନୀତି ଓ କୂଟନୀତିକ ସ୍ୱାର୍ଥକୁ ସୁରକ୍ଷିତ ରଖିପାରିବ ନାହିଁ । ଏହି ପରିପ୍ରେକ୍ଷୀ ରେ ସାଂଘାଇ ସହଯୋଗ ସଂଗଠନ (SCO: Sanghai Cooperation Organisation) ୟୁରେସିଆ ଅଞ୍ଚଳର ଏକ ପ୍ରଭାବଶାଳୀ ମଞ୍ଚ ଭାବରେ ଦଣ୍ଡାୟମାନ । ଏହି ସଂଗଠନରେ ଚୀନ, ଭାରତ, ରୁଷ, ପାକିସ୍ତାନ, ଇରାନ ସମେତ ମଧ୍ୟଏସିଆର ଦେଶଗୁଡିକ ରହିଛନ୍ତି । ସେହିପରି ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସମେତ ଇଜିପ୍ଟ, ଇଥିଓପିଆ, ଇଣ୍ଡାନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ରାଷ୍ଟ୍ର ପରି ଦେଶଗୁଡ଼ିକୁ ନେଇ ବ୍ରିକ୍ସ (BRICS) ସଂଗଠନ ଗଠିତ । ଏହି ସଂଗଠନଗୁଡ଼ିକ ମୁଖ୍ୟତଃ ଆଲୋଚନା, ସହଯୋଗ ଓ ଆଞ୍ଚଳିକ ସ୍ଥିରତାର ମଞ୍ଚ । ଏହା ଭାରତର ଅର୍ଥନୈତିକ, ପ୍ରଯୁକ୍ତିଗତ ଓ ବୈଶ୍ୱିକ ପ୍ରଭାବ ବୃଦ୍ଧିରେ ସହାୟକ ହୁଏ । ଯଦିଓ ଏହି ସଂଗଠନଗୁଡ଼ିକ "ନାଟୋ' ଦେଶ ପରି ଏକ ସାମରିକ ମେଣ୍ଟ ନୁହେଁ, ତଥାପି ବିଶ୍ୱ ରାଜନୀତିରେ ଏହି ସଂଗଠନଗୁଡ଼ିକର ଗୁରୁତ୍ୱ କ୍ରମଶଃ ବୃଦ୍ଧିପାଉଛି ।

ଅନ୍ୟ ଦେଶମାନଙ୍କ ସହିତ ଭାରତ କିପରି ସମ୍ପର୍କ ସ୍ଥାପନ କରିବ ଓ ନିଜ ଜାତୀୟ ସ୍ୱାର୍ଥକୁ କିପରି ଭାବରେ ରକ୍ଷାକରିବ ସେଥିପାଇଁ ଆମ ଦେଶ ଗ୍ରହଣ କରିଥିବା ନୀତି ଓ କାର୍ଯ୍ୟପଦ୍ଧତିକୁ "ବୈଦେଶିକ ନୀତି’ କୁହାଯାଏ । ଭାରତର ବୈଦେଶିକ ନୀତିର ଉଦ୍ଦେଶ୍ୟ ଜାତୀୟ ସ୍ୱାଧୀନତା ତଥା ସାର୍ବଭୌମତ୍ୱର ସୁରକ୍ଷା । ବିଦେଶରେ ଥିବା ଭାରତୀୟମାନଙ୍କର ସ୍ୱାର୍ଥ ରକ୍ଷା କରିବା, ଆତଙ୍କବାଦ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଭାରତୀୟ ବିଦେଶ ନୀତିର ମୂଳ ନୀତି ।

ରଣନୀତିଗତ ସ୍ୱାଧୀନତା (Strategic autonomy), ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଆନ୍ତର୍ଜାତିକ ଆଇନ ପ୍ରତି ସମ୍ମାନ, ବହୁପକ୍ଷୀୟ ସହଯୋଗ (Multilateralism) ସାମ୍ପ୍ରତିକ ବୈଦେଶିକ ନୀତିର ପ୍ରମୁଖ ଦିଗ । ତେଣୁ ପ୍ରାଥମିକ ଭାବରେ ପଡ଼ୋଶୀ ଦେଶମାନଙ୍କ ସହିତ ସମ୍ପର୍କ ସୁଦୃଢ଼ କରିବା (Neighborhood first policy), ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆରେ ଥିବା ଦେଶଗୁଡିକ ସହିତ ସହଯୋଗ ବୃଦ୍ଧିକରିବା, ଭାରତ ମହାସାଗରରେ ଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରିବା ସହିତ ବିକାଶକୁ ପ୍ରାଧାନ୍ୟ ଦେବା ଆମ ବୈଦେଶିକ ନୀତିର ଅନ୍ୟ ଏକ ଦିଗ ।

ଆନ୍ତର୍ଜାତିକ ରାଜନୀତି ଆମକୁ ବିଶ୍ୱରେ ଘଟୁଥିବା ଭିନ୍ନ ଭିନ୍ନ ଘଟଣା ଓ ସେହି ଘଟଣାରେ ସମ୍ପୃକ୍ତ ଦେଶମାନଙ୍କ ବିଷୟରେ ଜଣାଏ । "କୂଟନୀତି’ ସେହି ସମ୍ପର୍କକୁ ସୁଚାରୁ ରୂପେ ପରିଚାଳନା କରିବାର ଏକ ମାଧ୍ୟମ ଅଟେ । ସଂକ୍ଷେପରେ କହିବାକୁ ଗଲେ, ଭାରତର ବୈଦେଶିକ ନୀତି ହେଉଛି ବିଶ୍ୱ ସମୁଦାୟରେ ଭାରତୀୟ ଜାତୀୟ ସ୍ୱାର୍ଥର ସୁରକ୍ଷା ଓ ବିକାଶକୁ ସୁନିଶ୍ଚିତ କରିବାର ରଣନୀତି । ସମୟ ଓ ପରିସ୍ଥିତି ଅନୁସାରେ ଏବଂ ଦେଶ ମଧ୍ୟରେ ସରକାର ପରିବର୍ତ୍ତନ ହେଲେ ଏହି ବୈଦେଶିକ ନୀତି ପରିବର୍ତ୍ତନ ହୁଏ । ନିଜ ଦେଶ ମଧ୍ୟରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ବୈଦେଶିକ ବାଣିଜ୍ୟକୁ ପ୍ରୋତ୍ସାହନ ସହିତ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି କରିବା ଆବଶ୍ୟକ ।

ଆଜିର ଦିନରେ ଅର୍ଥନୈତିକ କ୍ଷମତା, ପ୍ରଯୁକ୍ତିଗତ ଉନ୍ନତି, ସାଂସ୍କୃତିକ ପ୍ରଭାବ, ଦେଶର ଭୌଗୋଳିକ ସ୍ଥିତି ତଥା ସେହି ଦେଶର କୂଟନୈତିକ ଦକ୍ଷତା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଦେଶ ଏହିସବୁ ବିଷୟରେ ସନ୍ତୁଳନ ରକ୍ଷା କରିପାରିବ, ସେହି ଦେଶ ବିଶ୍ୱ ବ୍ୟବସ୍ଥାରେ ନିଜର ପ୍ରଭାବ ବିସ୍ତାର କରିପାରିବ ।

ସବୁବେଳେ ଯୁଦ୍ଧ କୌଣସି ଏକ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ । ରୁଷ-ୟୁକ୍ରେନ ଯୁଦ୍ଧ ହେଉ କି ଆମେରିକା-ଇସ୍ରାଏଲ ସହିତ ଇରାନର ଯୁଦ୍ଧ ହେଉ, ଜୋର ଯା'ର ମୂଲକ ତା'ର ନୀତିରେ କୌଣସି ଦେଶ ଅନ୍ୟ ଏକ ପ୍ରଭାବଶାଳୀ ଦେଶର ଗୋଡ଼ାଣିଆ ହେବା ସହଜପାଠ୍ୟ ନୁହେଁ । ଇରାନ ଏହି ସନ୍ଦେଶ ଆମେରିକାକୁ ଦେଇସାରିଛି ।

ଆନ୍ତର୍ଜାତିକ ସ୍ତରରେ "କୂଟନୀତି' ଏକ ସମକ୍ଷ ଯୁଦ୍ଧର ବିକଳ୍ପ ଏବଂ ଶାନ୍ତିର ମାଧ୍ୟମ ହୋଇପାରେ । ଏହା ପ୍ରାୟତଃ ବିନା ଯୁଦ୍ଧରେ ଜାତୀୟ ସ୍ୱାର୍ଥ ହାସଲ କରିବାର ଏକ କଳା । ଏହା କେବଳ ଚୁକ୍ତି ସ୍ୱାକ୍ଷର କିମ୍ବା ଜି-୭, କ୍ୱାଟ୍, ବ୍ରିକ୍ସ ପରି ସଂଗଠନର ଉଚ୍ଚସ୍ତରୀୟ ବୈଠକ ମଧ୍ୟରେ ସୀମିତ ନୁହେଁ । ଏହା ହେଉଛି ପରସ୍ପର ପ୍ରତି ବିଶ୍ୱସନୀୟ ହେବାର ଏକ ପ୍ରୟାସ । ଏଥିପାଇଁ ବିଭିନ୍ନ ସଙ୍କଟ ସମୟରେ ପରସ୍ପର ପ୍ରତି ଆସ୍ଥାଭାଜନ ହୋଇ ସହଯୋଗର ବାତାବରଣ ସୃଷ୍ଟି କରିପାରିଲେ କୂଟନୀତି ସଫଳ ହୁଏ ।

ଭାରତ ଗୋଟିଏ ପକ୍ଷରେ ଇସ୍ରାଏଲ ଓ ଆମେରିକା ସହିତ ପ୍ରତିରକ୍ଷା ଓ ପ୍ରଯୁକ୍ତିର ସହଯୋଗ, ରୁଷିଆ ସହିତ ପାରମ୍ପରିକ ଐତିହାସିକ ସମ୍ପର୍କକୁ ବଜାୟ ରଖି ପରମାଣୁ ଉର୍ଜା, ଶକ୍ତି ଓ ମିଳିତ ସାମରିକ ଅଭ୍ୟାସ, ଇରାନ ସହିତ ଉର୍ଜା ଓ ସଂଯୋଗ ପ୍ରକଳ୍ପ ଏବଂ ଚୀନ ସହିତ ଦୀର୍ଘକାଳୀନ ସୀମାବିବାଦ ରହିଥିବା ସତ୍ତେ୍ୱ ବାଣିଜ୍ୟିକ ସମ୍ପର୍କ ହେଉଛି ଭାରତର ବହୁମୁଖୀ କୂଟନୀତିର ପରିଣାମ ।

ବାସ୍ତବରେ ଦେଖିବାକୁ ଗଲେ, ସବୁବେଳେ ଏହି ପ୍ରକାର ସନ୍ତୁଳନ ବଜାୟ ରଖିବା ଏତେଟା ସହଜ ନୁହେଁ । ଏକଥା ମଧ୍ୟ ସତ୍ୟ ଯେ, ବିଶ୍ୱ ରାଜନୀତିର ଦ୍ରୁତ ପରିବର୍ତ୍ତନ ଦ୍ୱାରା ରୁଷିଆ ତଥା ଆମେରିକା ପରି ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଦେଶଗୁଡିକ ମଧ୍ୟ ଭାରତ ପରି ଏକ ସର୍ବବୃହତ ଜନବହୁଳ ଦେଶ ସହିତ ଉତ୍ତମ ବାଣିଜ୍ୟ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ଭାରତର କୋହଳ ବୈଦେଶିକ ନୀତିର ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।