ମାନସିକ ବିକୃତି କେତେ ପ୍ରକାର?
ବିଭାଗୀକରଣ ବୈଜ୍ଞାନିକ ଅନୁଧ୍ୟାନର ଏକ ଅବିଚ୍ଛେଦ୍ୟ ଅଂଶ । ରସାୟନ ଶାସ୍ତ୍ରର ବିକାଶ କାଳରେ ମେଣ୍ଡେଲିଫ୍ ମୌଳିକ ବସ୍ତୁସବୁର ଏକ ବିଭାଗୀକରଣ (ପିରିୟଡିକ ଟେବୁଲ୍) ପ୍ରଦାନ କରି ଚମକ ସୃଷ୍ଟି କରିଥିଲେ । ସେହିପରି ଜୀବବିଜ୍ଞାନୀମାନେ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ବିଭାଗୀକରଣ କରି ବିଜ୍ଞାନର ଅଗ୍ରଗତିକୁ ସାକାର ରୂପ ଦେଇଛନ୍ତି । ବିଭାଗୀକରଣ ସଂଜ୍ଞାକୁ ସ୍ପଷ୍ଟ ରୂପରେଖ ଦିଏ । ଜଣେ ବ୍ୟକ୍ତି ଆମ୍ବ ଖାଇଛି କହିବାମାତ୍ରେ ଆମ୍ଭେମାନେ ଦୃଶ୍ୟଟି ଦେଖିନଥିଲେ ମଧ୍ୟ ଫଳଟି କେଉଁ ଶ୍ରେଣୀର ଜାଣିପାରୁଥିଲେ ବ୍ୟକ୍ତିର ଅନୁଭବ ଆକଳନ କରିବା ସହଜ ହୁଏ । ମାନସିକ ସ୍ତରରେ ଛବି ଅଙ୍କନ କରିବା ସମ୍ଭବ ହୁଏ । ମାନସିକ ବିକୃତିର ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ବିଭାଗୀକରଣର ଗୁରୁତ୍ୱ ସ୍ୱୀକାର କରାଯାଇଛି । ଔପଚାରିକ ବିଭାଗୀକରଣର ସୂଚନା ଦେବା ପୂର୍ବର ଗୋଟିଏ ସାଧାରଣ ଧାରଣା ଦିଆଯାଇପାରେ ।
ମୋଟାମୋଟି ଭାବରେ ଦେଖିବାକୁ ଗଲେ ମାନସିକ ବିକୃତି ସାଧାରଣତଃ ଦୁଇ ପ୍ରକାର । ଗୋଟିଏ ହେଉଛି ପରିମାଣାତ୍ମକ ଓ ଅନ୍ୟଟି ହେଉଛି ଗୁଣାତ୍ମକ । ପରିମାଣାତ୍ମକ କହିବାର ତାତ୍ପର୍ଯ୍ୟ ହେଉଛି ଯେ, ଏ ସମସ୍ୟାଟି ସମସ୍ତଙ୍କର ଥାଏ, ମାତ୍ର ବିକୃତିସମ୍ପନ୍ନ ଲୋକଙ୍କଠାରେ ମାତ୍ରାଧିକ ପରିମାଣରେ ଥାଏ । ଏହାକୁ ନ୍ୟୁରୋସିସ୍ ବା ଆଡ଼ପାଗଳାମି କୁହାଯାଏ । ଉଦ୍ବେଗ ବା ଆନ୍ଜାଏଟୀ ସମସ୍ତଙ୍କର ଥାଏ । ଅଳ୍ପ ପରିମାଣର ଉଦ୍ବେଗ ବା ଉତ୍କଣ୍ଠା ଆମକୁ ସହାୟତା ଦିଏ । ଅଳ୍ପ ପରିମାଣର ଉଦ୍ବେଗ ନଥିଲେ ଜଣେ ଛାତ୍ର ବା ଛାତ୍ରୀ ପାଠ୍ୟବିଷୟ ପ୍ରତି ଧ୍ୟାନଶୀଳ ହୋଇପାରିବ ନାହିଁ । କର୍ମସଂସ୍ଥାର ଜଣେ କର୍ମଚାରୀ ପୂରାପୂରି ଉଦ୍ବେଗବିହୀନ ହେଲେ କାର୍ଯ୍ୟରେ ଅବହେଳା କରିପାରନ୍ତି । ଜଣେ ଗୃହିଣୀଙ୍କର ଉଦ୍ବେଗ ନଥିଲେ ସେ ହୁଏତ ଯତ୍ନର ସହିତ ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ । କିନ୍ତୁ ମାତ୍ରାଧିକ ଉଦ୍ବେଗ ନିଶ୍ଚିତଭାବରେ କ୍ଷତିକାରକ । ମାତ୍ରାଧିକ ଉଦ୍ବେଗର ଶରବ୍ୟ ହୋଇ ଛାତ୍ର ବା ଛାତ୍ରୀ ସଂଖ୍ୟାଧିକ ତ୍ରୁଟି ଦର୍ଶାଇବ । ଏହାର ଆଧିକ୍ୟ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଶୃଙ୍ଖଳା ସୃଷ୍ଟି କରିବ । ଉଦ୍ବେଗ ଫଳରେ ସମନ୍ୱୟଶୀଳତାର ଅଭାବ ମାନସିକ ବିକୃତି ସୃଷ୍ଟିକରିବ । ଏପରିସ୍ଥଳେ ବ୍ୟକ୍ତିକୁ ନ୍ୟୁରୋଟିକ୍ ବା ଆଡ଼ପାଗଳ କୁହାଯାଏ । ଦ୍ୱିତୀୟ ଧରଣର ବିକୃତିଟି ଅଧିକ ଜଟିଳ । ଏଥିରେ ଗୁଣାତ୍ମକ ବିପର୍ଯ୍ୟୟ ଘଟେ । ଏହାର ଅର୍ଥ ହେଉଛି ଯେ, ସମାଜରେ ଜୀବନଧାରଣ କରୁଥିବା ଲୋକମାନେ ଯେପରି ସ୍ୱାଭାବିକ ଭାବରେ ଜୀବନ କାଟନ୍ତି ଏବଂ ସାମାଜିକ ସଂପର୍କ ରକ୍ଷାକରନ୍ତି, ଏମାନଙ୍କର ଏପରି ଦକ୍ଷତା ନଥାଏ । କୌଣସି ଶବ୍ଦ ନଥାଇ ଏମାନେ ହୁଏତ ଶବ୍ଦ ଶୁଣନ୍ତି । ବାସ୍ତବ ଜଗତର କୌଣସି ଦୃଶ୍ୟ ନଥାଇ ଦୃଶ୍ୟ ଦେଖନ୍ତି (ହାଲୁସିନେସନ୍) । ଏହି ବିଭାଗରେ ସଂଖ୍ୟାଧିକ ମାନସିକ ରୋଗ ଥିଲେ ମଧ୍ୟ ଏକ ଜଟିଳ ମାନସିକ ବିକୃତି ହେଉଛି ଶୀଜୋଫ୍ରେନିୟା ବା ଚିତ୍ତଭ୍ରଂଶୀ ବାତୁଳତା । ଏପରି ବାତୁଳତା ଦର୍ଶାଉଥିବା ଲୋକମାନେ ହୁଏତ ଅଯଥାରେ କଳ୍ପନା କରନ୍ତି ଯେ, ଅନ୍ୟମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି, ଏପରିକି ହତ୍ୟା କରିବାର ଯୋଜନା କରୁଛନ୍ତି । ସ୍ଥୂଳତଃ ବାସ୍ତବ ଜଗତକୁ ବିଚାର କରିବା, ମୂଲ୍ୟାୟନ କରିବାର ସାମର୍ଥ୍ୟ ନଥାଏ । ଲକ୍ଷ୍ୟ କରିବାର କଥା ଯେ, ଏପରି ମାନସିକ ବିକୃତି ଏକ ଗୁଣାତ୍ମକ ଭିନ୍ନତା । ମନସ୍ତାତ୍ତ୍ୱିକ ପରିଭାଷାରେ ଏହାକୁ ବାତୁଳତା ବା ସାଇକୋସିସ୍ କୁହାଯାଏ । ଏଥିରେ କବଳିତ ବ୍ୟକ୍ତିକୁ ସାଇକୋଟିକ୍ କୁହାଯାଏ । ବିକୃତିର ମୁଖ୍ୟ ଧାରା ଅନୁଯାୟୀ ଏ ଦୁଇଟି ସ୍ଥୂଳ ବିଭାଗ ହେଲେ ମଧ୍ୟ ବିକୃତିର କାରଣ ଅନୁସନ୍ଧାନ ଓ ଚିକିତ୍ସା ପାଇଁ ସୂକ୍ଷ୍ମସ୍ତରୀୟ ବିଭାଗୀକରଣ ରହିଛି ।
୧୯୩୯ ମସିହାରୁ ଆରମ୍ଭକରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନସିକ ବିକୃତିର ଚିହ୍ନଟ ଓ ବିଭାଗୀକରଣ ପାଇଁ ମାର୍ଗଦର୍ଶକ ପୁସ୍ତକ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକାଧିକବାର ସଂଶୋଧିତ ହୋଇଛି । କିନ୍ତୁ ସମଗ୍ର ବିଶ୍ୱରେ ବହୁଳ ଭାବରେ ଯେଉଁ ମାର୍ଗଦର୍ଶକ ପୁସ୍ତକ ଅନୁସୃତ ହୁଏ, ତାହା ପ୍ରଥମେ ୧୯୫୨ ମସିହାରେ ଆମେରିକାର ମନୋଚିକିତ୍ସକ ପରିଷଦ ପ୍ରସ୍ତୁତ କରିଥିଲେ । ଏହାକୁ ଡି.ଏସ୍. ଏମ୍. କୁହାଯାଏ । ଏହା ମନୋବିଜ୍ଞାନୀମାନଙ୍କ ଦ୍ୱାରା ମଧ୍ୟ ପୂର୍ଣ୍ଣ ସମର୍ଥିତ । ବର୍ତ୍ତମାନ ବିଶ୍ୱରେ ମାର୍ଗଦର୍ଶିକା ପୁସ୍ତକ (ଡି. ଏସ୍.ଏମ୍.-୫) ଅନୁସୃତ ହୁଏ, ଏହା ୨୦୧୩ର ସଦ୍ୟତମ ସଂସ୍କରଣ । ପ୍ରଚଳିତ ସଂସ୍କରଣର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ମାନସିକ ବିକୃତିସମୂହକୁ କେତୋଟି ଅକ୍ଷରେ ସ୍ଥାନିତ କରାଯାଇଛି । ବ୍ୟାବହାରିକ ଭାଷାରେ ଏହାକୁ ବୃହତ୍ତର ଶ୍ରେଣୀ କୁହାଯାଇପାରେ । ଏପରି ପାଞ୍ଚଗୋଟି ବୃହତ୍ତର ଶ୍ରେଣୀର ପରିକଳ୍ପନା କରାଯାଇଛି ।
ପ୍ରଥମ ବିଭାଗଟି ସାଧାରଣ ଚିକିତ୍ସା ଓ ଔଷଧ ବିଜ୍ଞାନରେ ଚିହ୍ନିତ ହୋଇଥିବା ସମସ୍ୟା । ଏଗୁଡିକ ହେଉଛି ଶୀଜୋଫ୍ରେନିୟା ଚିତ୍ତଭ୍ରଂଶୀ ବାତୁଳତା, ଉଦ୍ବେଗ, ବିଷାଦ (ଡିପ୍ରେସନ୍) ଓ ନିଶାଜନିତ ବିକୃତି । ଦ୍ୱିତୀୟ ବିଭାଗଟି ଦୈନନ୍ଦିନ ଜୀବନ ଓ ସାଧାରଣ ଚଳଣିରେ ଅସ୍ୱାଭାବିକତା । ସମାଜବିରୋଧୀ ବ୍ୟକ୍ତିତ୍ୱ ସମେତ ଅନ୍ୟସବୁ ବ୍ୟକ୍ତିତ୍ୱସଂପର୍କିତ ବିକୃତି ଏଥିରେ ସ୍ଥାନିତ । ତୃତୀୟ ବିଭାଗଟି ମନସ୍ତାତ୍ତ୍ୱିକ ବିକୃତି ହେଲେ ମଧ୍ୟ ଏହା ମୁଖ୍ୟତଃ ଶରୀରଭିତ୍ତିକ ସମସ୍ୟା । ଚତୁର୍ଥ ବିଭାଗଟି ବିଭିନ୍ନ ଧରଣର ପରିବେଶ ସହିତ ସମ୍ପୃକ୍ତ । ବ୍ୟକ୍ତିର ପରିବାର, କର୍ମକ୍ଷେତ୍ର, ବୃତ୍ତିଗତ ଜୀବନ ଓ ଆର୍ଥିକ ଜୀବନରେ ସୃଷ୍ଟି ହେଉଥିବା ମାନସିକ ସମସ୍ୟା, ପଞ୍ଚମ ବିଭାଗଟି ବ୍ୟକ୍ତିର ସାମଗ୍ରିକ ସମନ୍ୱୟଶୀଳତାର ଅଭାବ । ବିଶ୍ୱରେ ଅନୁସୃତ ହେଉଥିବା ମାର୍ଗଦର୍ଶିକା ପୁସ୍ତକ ଅନୁଯାୟୀ ମାନସିକ ବିକୃତିସମୂହର ବିଭାଗୀକରଣ କରାଯାଇଥିଲେ ମଧ୍ୟ ପ୍ରକୃତ ଚିକିତ୍ସା କ୍ଷେତ୍ରରେ ଜଟିଳତା ପରିଦୃଷ୍ଟ ହୁଏ । କେତେକ ବିକୃତିର ସୀମାରେଖା ସୁନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ନୁହେଁ । ଉଦାହରଣ ସ୍ୱରୂପ, ବିଷାଦଗ୍ରସ୍ତ (ଡିପ୍ରେସନ) ଲୋକମାନଙ୍କର ଉଦ୍ବେଗ (ଆନ୍ଜାଏଟୀ) ଥାଏ ଏବଂ ଉଦ୍ବେଗଗ୍ରସ୍ତ ବ୍ୟକ୍ତିଙ୍କର ବିଷାଦ ରହିଥାଏ । ଏସବୁ ଜଟିଳତା ସତ୍ତେ୍ୱ ମାନସିକ ବିକୃତିର ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ବିଭାଗୀକରଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।