10 JULY 2026

Welcome!

Unlock your personalized experience.
Sign Up

ବିଜ୍ଞାନର ସାମର୍ଥ୍ୟ ହିଁ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିପାରିବ : ଉପରାଷ୍ଟ୍ରପତି

Jul 09, 2026 - 21:10
ବିଜ୍ଞାନର ସାମର୍ଥ୍ୟ ହିଁ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିପାରିବ : ଉପରାଷ୍ଟ୍ରପତି

ଭୁବନେଶ୍ୱର, ୯ ।୭: ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ । ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ  ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଏହା କହିଛନ୍ତି ।

କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ (Sustainable Development) ପ୍ରତି ନାଇଜର’ର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ। ବୈଜ୍ଞାନିକ ଦକ୍ଷତା ଏବେ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପ୍ରଗତିର ମୂଳଦୁଆ। ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ଜିଜ୍ଞାସାକୁ ସଦାସର୍ବଦା ଜାଗ୍ରତ ରଖିବା ଆବଶ୍ୟକ। ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ସହ ନିଜ ଜ୍ଞାନକୁ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଛାତ୍ରଛାତ୍ରୀମାନଙ୍କୁ ଇ କହିଛନ୍ତି ଯେ, ଆଜି ଆପଣମାନେ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଉନାହାନ୍ତି, ବରଂ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱକୁ ନିଜ କାନ୍ଧକୁ ନେଉଛନ୍ତି। ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଜ୍ଞାନ ମାଧ୍ୟମରେ ହିଁ ସମ୍ଭବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ, ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ହିଁ ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ଆମର ଯୁବ ଗବେଷକ ଓ ସ୍ନାତକମାନେ କେବଳ ଡିଗ୍ରୀ ହାସଲ କରିନାହାନ୍ତି, ବରଂ ଦେଶର ବିକାଶ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଏକ ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି ।

ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ଭବିଷ୍ୟତ ବର୍ତ୍ତମାନ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରୁଛି ଏବଂ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ । ନାଇଜର ହେଉଛି ଦେଶର ଏପରି ଏକ ବିରଳ ପ୍ରତିଷ୍ଠାନ ଯେଉଁଠାକୁ ମାତ୍ର କିଛି ବର୍ଷର ବ୍ୟବଧାନରେରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ଆଜି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଗସ୍ତ କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।

ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଶିକ୍ଷା କ୍ଷେତ୍ରରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନାଇଜର ଭୁବନେଶ୍ୱରରେ ଏହି ହାର ୪୦ ପ୍ରତିଶତ ଛୁଇଁଛି। ଯାହାକି ଏକ ବହୁତ ସକାରାତ୍ମକ ସଙ୍କେତ । ନାଇଜର କ୍ୟାମ୍ପସରେ ଖୁବ୍ ଶୀଘ୍ର ଏକ କ୍ୟାନସର ରେଫରାଲ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ ।

ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଦେଶର ଉପରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଗ୍ରହଣ କରିବା ପ୍ରତ୍ୟେକ ସ୍ନାତକଙ୍କ ପାଇଁ ଏକ ଚିରସ୍ମରଣୀୟ ମୁହୂର୍ତ୍ତ। ଏହା କେବଳ ପ୍ରମାଣପତ୍ର ବାଣ୍ଟିବାର ଦିବସ ନୁହେଁ, ବରଂ ଏକ ଗୌରବମୟ ସେବା ଓ ପରମ୍ପରାକୁ ଆଗାମୀ ପିଢ଼ିର ହାତରେ ସମର୍ପଣ କରିବାର ଏକ ପବିତ୍ର ଅବସର। ଏହି ଉତ୍ସବରେ ପରମାଣୁ ଶକ୍ତି ବିଭାଗର ସଚିବ ଡ. ଅଜିତ କୁମାର ମହାନ୍ତି, ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ଏବଂ ଅନୁଷ୍ଠାନର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।