29 JULY 2026

Welcome!

Unlock your personalized experience.
Sign Up

ବିକାଶ-ପରିବେଶ ସହାବସ୍ଥାନ

Jul 29, 2026 - 12:10
ବିକାଶ-ପରିବେଶ ସହାବସ୍ଥାନ

ସମ୍ପ୍ରତି ବିଶ୍ୱରେ ପ୍ରଚଳିତ ମୁଖ୍ୟଧାରାର ବିକାଶ ମଡେଲଗୁଡ଼ିକ ପ୍ରଧାନତଃ ପାଶ୍ଚାତ୍ୟ ଦର୍ଶନ ଦ୍ୱାରା ବହୁଳ ଭାବରେ ପ୍ରଭାବିତ, ଯାହା ସାମଗ୍ରିକ କିମ୍ବା ସମ୍ପ୍ରଦାୟ-କୈନ୍ଦ୍ରିକ ଦୃଷ୍ଟିକୋଣ ଅପେକ୍ଷା ଭୌତିକ ପ୍ରଗତିକୁ ପ୍ରାଥମିକତା ପ୍ରଦାନ କରନ୍ତି । ବିକାଶକୁ ସାଧାରଣତଃ ଆର୍ଥିକ, ସାମାଜିକ ଏବଂ ପ୍ରଯୁକ୍ତିବିଦ୍ୟାଜନିତ ପରିସ୍ଥିତିରେ ଉତ୍କର୍ଷ ସାଧନର ପ୍ରକ୍ରିୟା ଭାବରେ ବୁଝାଯାଏ । ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଜୀବନଧାରଣ ମାନରେ ଉନ୍ନତି, ନିଯୁକ୍ତି ସୁଯୋଗର ସୃଷ୍ଟି, ଉତ୍ପାଦନ ବୃଦ୍ଧି ଏବଂ ଉନ୍ନତ ଭିତ୍ତିଭୂମି ସ୍ଥାପନ । ତଥାପି, ଏପରି ବିକାଶ ମଡେଲ ଏକ ଗମ୍ଭୀର ଦ୍ୱନ୍ଦ୍ୱ ସୃଷ୍ଟିର କାରଣ ହୋଇଛି । ଏହା ଆର୍ଥିକ ଅଭିବୃଦ୍ଧି ଏବଂ ଭୌତିକ ସମୃଦ୍ଧି ଆଣିବାରେ ସକ୍ଷମ ହୋଇଛି ସତ, କିନ୍ତୁ ଏହା ମଧ୍ୟ ଗୁରୁତର ପରିବେଶଜନିତ ଅବକ୍ଷୟ ଓ ପ୍ରକୃତି ଉପରେ ଚାପବୃଦ୍ଧିର କାରକ ପାଲଟିଛି । ବିକାଶ ଏବଂ ପରିବେଶୀୟ ସ୍ଥିରତା ରକ୍ଷା ମଧ୍ୟରେ ଏହି ଦ୍ୱନ୍ଦ୍ୱ ଆଧୁନିକ ବିଶ୍ୱର ସର୍ବାଧିକ ବଡ଼ ଚ୍ୟାଲେଞ୍ଜ ଭାବରେ ଏବେ ଉଭା ହୋଇଛି ।

ବର୍ତ୍ତମାନର ବିକାଶ ବ୍ୟବସ୍ଥା ମୁଖ୍ୟତଃ ଦ୍ରୁତ ଶିଳ୍ପାୟନ, ସହରୀକରଣ, ପ୍ରାକୃତିକ ସମ୍ପଦର ବ୍ୟାପକ ବ୍ୟବହାର ଏବଂ ଉନ୍ନତ ଜୀବନଶୈଳୀ ଉପରେ ଆଧାରିତ । ପାଶ୍ଚାତ୍ୟ ମଡେଲରେ ଅନୁପ୍ରାଣିତ ହୋଇ ବିକାଶଶୀଳ ରାଷ୍ଟ୍ରମାନେ ଶିଳ୍ପ ବିସ୍ତାର, ରାସ୍ତାଘାଟ, ନଦୀବନ୍ଧ, କାରଖାନା ଏବଂ ସହରାଞ୍ଚଳ ବସତି ନିର୍ମାଣ କରି ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ପ୍ରୟାସ କରୁଛନ୍ତି । ଏସବୁ କାର୍ଯ୍ୟକଳାପ ମୁଖ୍ୟରୂପେ ଜଙ୍ଗଲ ଧ୍ୱଂସ, ପ୍ରାକୃତିକ ସମ୍ପଦର ହ୍ରାସ, ଜୈବବିବିଧତାର ଅବକ୍ଷୟ ତଥା ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣର କାରଣ ହେଉଛନ୍ତି । ଅତଏବ, ଜୀବନକୁ ଉନ୍ନତ କରିବା ଲକ୍ଷ୍ୟରେ ଉଦ୍ଦିଷ୍ଟ ବିକାଶ ପ୍ରକ୍ରିୟା ହିଁ ମାନବ ଜୀବନଧାରଣ ନିମନ୍ତେ ନିର୍ଭରଶୀଳ ଥିବା ପରିବେଶକୁ ବିପଦମୁଖୀ କରୁଛି । ପ୍ରଚଳିତ ବିକାଶ ସହ ଜଡ଼ିତ ଥିବା ଏପରି ଦ୍ୱନ୍ଦ୍ୱର ସମାଧାନ ପନ୍ଥା ନିରୂପଣ କରିବା ହେଉଛି ଆଜିର ମାନବ ସମାଜ ନିମନ୍ତେ ଏକ ବିଶାଳ ଆହ୍ୱାନ । ବର୍ତ୍ତମାନର ଦୁଇଟି ବିତର୍କିତ ବିକାଶମୂଳକ ପ୍ରକଳ୍ପକୁ ଆଲୋଚନାର ପରିସରକୁ ଆଣିବା ପ୍ରାସଙ୍ଗିକ ମନେହୁଏ । ଓଡ଼ିଶାର ରାୟଗଡ଼ା-କଳାହାଣ୍ଡି ଜିଲ୍ଲା ସୀମାରେ ଅବସ୍ଥିତ ସିଜିମାଳି ପାହାଡ଼ସ୍ଥ ବକ୍ସାଇଟ୍‌ ଖଣିଜ ପ୍ରକଳ୍ପ ଏବେ ଗୁରୁତର ବିବାଦର ସମ୍ମୁଖୀନ ହୋଇଛି । ଏଠାରେ ଆକଳିତ ହୋଇଥିବା ୩୧୧ ନିୟୁତ ଟନ୍‌ ଉଚ୍ଚ-ମାନ ବକ୍ସାଇଟ୍‌ର ଉତ୍ତୋଳନ ନିମନ୍ତେ ଏକ କମ୍ପାନୀକୁ ସରକାର ୫୦ବର୍ଷର ଲିଜ୍‌ ପ୍ରଦାନ କରିଛନ୍ତି । ମାତ୍ର ଜଙ୍ଗଲ ଅଧିକାର ଆଇନ୍‌ ଏବଂ ପେସା ଆଇନ ଉଲ୍ଲଙ୍ଘନରେ ତଥା ଠିକ୍‌ ଗ୍ରାମସଭା ନିଷ୍ପତ୍ତି ନହୋଇ, ଜନଜାତି ଅଧିବାସୀଙ୍କୁ ବଳପୂର୍ବକ ବିସ୍ଥାପିତ କରି କାର୍ଯ୍ୟାରମ୍ଭ ହେଉଥିବାର ଅଭିଯୋଗ ହେଉଛି । ପ୍ରମୁଖ ଜଙ୍ଗଲ ମଞ୍ଜୁରୀ ଏବଂ ପରିବେଶଗତ ସୁପାରିସ ହାସଲ ହେବା ପରେ ଏଠାରେ ସରକାର ଅନୁମୋଦିତ ରାସ୍ତା ନିର୍ମାଣକୁ ନେଇ ହୋଇଥିବା ପ୍ରତିବାଦରେ ପୋଲିସ ଏବଂ ଶହ ଶହ ଗ୍ରାମବାସୀଙ୍କ ମଧ୍ୟରେ ଘୋର ସଂଘର୍ଷ ଏବଂ ହିଂସାର ସୂତ୍ରପାତ ଘଟିଛି ।

ଆଦିବାସୀ ଗୋଷ୍ଠୀ ଏବଂ ନାଗରିକ ସମାଜ ପ୍ରବକ୍ତାମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ବଡ଼ଧରଣର ଖଣି ଖନନ ଏଠାକାର ଘନ ଜଙ୍ଗଲକୁ ନଷ୍ଟ କରିବ, ସ୍ଥାନୀୟ ଜଳ ପ୍ରଣାଳୀ ପ୍ରଦୂଷିତ ହେବ ଏବଂ କୃଷି ଓ ନିତ୍ୟ ବ୍ୟବହାର ନିମନ୍ତେ ସେମାନେ ନିର୍ଭରଶୀଳ ଥିବା ଚିରସ୍ଥାୟୀ ଜଳଉତ୍ସ ଅବକ୍ଷୟିତ ହୋଇ ଶୁଷ୍କ ହୋଇଯିବ । ଏହି ପାହାଡ଼ଗୁଡ଼ିକ ମଧ୍ୟ ସ୍ଥାନୀୟ ଆଦିବାସୀମାନଙ୍କ ଦେବତାଙ୍କର ପବିତ୍ର ବାସସ୍ଥଳୀ ଏବଂ ସେମାନଙ୍କ ସାଂସ୍କୃତିକ ଭିତ୍ତିଭୂମିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚିତ ହୁଏ । ଏପରି ପ୍ରତିକୂଳ ପରିସ୍ଥିତିରେ ତଥାକଥିତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ମାମଲା ବର୍ତ୍ତମାନ ଅଦାଲତରେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଦ୍ୱିତୀୟ ପ୍ରସଙ୍ଗଟି ହେଉଛି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ୮୧,୦୦୦ କୋଟି ଟଙ୍କାର ପ୍ରସ୍ତାବିତ ‘ଗ୍ରେଟ୍‌ ନିକୋବର ଦ୍ୱୀପ ବିକାଶ ପ୍ରକଳ୍ପ'ର କାର୍ଯ୍ୟାନ୍ୱୟନ ନିମନ୍ତେ ଜଙ୍ଗଲ ସଫା ହେବା, ଯାହା ତୀବ୍ର ରାଜନୈତିକ ଏବଂ ପରିବେଶୀୟ ପ୍ରତିରୋଧର ସମ୍ମୁଖୀନ ହେଉଛି । ପର୍ଯ୍ୟାୟକ୍ରମେ ୩୦ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ମହାପ୍ରକଳ୍ପ ଦ୍ୱୀପର ଦକ୍ଷିଣ ପ୍ରାନ୍ତକୁ ଏକ ପ୍ରମୁଖ ସାମୁଦ୍ରିକ, ଅର୍ଥନୈତିକ ଏବଂ ପ୍ରତିରକ୍ଷା (ନୌସେନା) କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଛି ।

ନିକୋବର ହେଉଛି ବଙ୍ଗୋପସାଗର କୂଳରେ ମୁଖ୍ୟ ଭୂଭାଗରୁ ବିଚ୍ଛିନ୍ନ ପାହାଡ଼-ପର୍ବତ ପୂର୍ଣ୍ଣ, ପ୍ରବାଳ ପ୍ରାଚୀର ଘେରା, ଅତୁଳନୀୟ ସୌନ୍ଦର୍ଯ୍ୟରେ ସମୃଦ୍ଧ, ପ୍ରାକୃତିକ ବୃଷ୍ଟି-ବନାଞ୍ଚଳ ପରିସଂସ୍ଥାରେ ପରିପୂର୍ଣ୍ଣ ତଥା ବିରଳ ଜୈବବିବିଧତା ସମ୍ଭାରର ଏକ ଦ୍ୱୀପାଞ୍ଚଳ । ଏହି ପ୍ରକଳ୍ପରେ ୧୩୦.୭୫ ବର୍ଗ କି.ମି. ଅକ୍ଷୁଣ୍ଣ ଜଙ୍ଗଲାଞ୍ଚଳ (ଦ୍ୱୀପର ପ୍ରାୟ ୧.୮୨%) କୁ ପରିବର୍ତ୍ତିତ କରି ଏକ ଅନ୍ତର୍ଜାତୀୟ ଦ୍ରବ୍ୟ ପରିବହନ ବନ୍ଦର, ବିମାନବନ୍ଦର, ସହରାଞ୍ଚଳ, ଶକ୍ତି-ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ଏବଂ ପ୍ରକୃତି ପର୍ଯ୍ୟଟନ ଭିତ୍ତିଭୂମି ସ୍ଥାପନର ଯୋଜନା ଅନ୍ତର୍ଭୁକ୍ତ ଅଛି । ସରକାରୀ ଆକଳନ ଅନୁଯାୟୀ ଏଥିରେ ୭.୧୧-୯.୬୪ ଲକ୍ଷ ସଂଖ୍ୟାର ବୃକ୍ଷଛେଦନ ହେବ । ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରୁ ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରି ହାସଲ ହେବାପରେ ଏହି ବୃହତ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଆଗକୁ ବଢ଼ୁଥିବାବେଳେ, ଏହାର ପରିବେଶଜନିତ ପ୍ରଭାବ ଏବଂ ଆଦିବାସୀ ଅଧିକାର ସମ୍ପର୍କିତ ଆଇନଗତ ଆହ୍ୱାନ ଯୋଗୁଁ ପ୍ରକଳ୍ପଟି ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଛି । ଅବଶ୍ୟ ସରକାର କହିଛନ୍ତି ଯେ, ଶୋମ୍ପେନ୍‌ ଏବଂ ନିକୋବରିଜ୍‌ ଭଳି ଆଦିବାସୀ ସମ୍ପ୍ରଦାୟକୁ ବିସ୍ଥାପିତ କରାଯିବନାହିଁ ଏବଂ କ୍ଷତିପୂରଣମୂଳକ ବନୀକରଣ ଯୋଜନା (ହରିୟାଣାରେ ୯୭.୩୦ ବର୍ଗ କି.ମି.) ପ୍ରସ୍ତୁତ କରାଯାଇଛି । ପରିବେଶବିତ୍‌ ଏବଂ ଜନଜାତି ଅଧିକାର ଗୋଷ୍ଠୀଗୁଡ଼ିକ ଜଙ୍ଗଲ ନଷ୍ଟ, ଜୈବବିବିଧତାର ଅବକ୍ଷୟ ଏବଂ ସ୍ଥାନୀୟ ଆଦିବାସୀ ପରିଷଦର ସମ୍ମତି ହାସଲରେ ପ୍ରକ୍ରିୟାଗତ ତ୍ରୁଟି ସମ୍ପର୍କରେ ପ୍ରମୁଖ ଚିନ୍ତା ପ୍ରକଟ କରିଛନ୍ତି । ଆଧୁନିକ ଅର୍ଥନୀତି ପ୍ରକ୍ରିୟା ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ, ଯେପରିକି ଖଣିଜ ପଦାର୍ଥ, ଜୀବାଶ୍ମ ଇନ୍ଧନ, ଜଙ୍ଗଲ ଏବଂ ଜଳସମ୍ପଦ ଉପରେ ବହୁଳ ଭାବେ ନିର୍ଭରଶୀଳ । ବର୍ଦ୍ଧିତ ଜନସଂଖ୍ୟାର ଚାହିଦା ପୂରଣ ଉଦ୍ଦେଶ୍ୟରେ, କୃଷି, ଶିଳ୍ପ ଏବଂ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନିମନ୍ତେ ଜଙ୍ଗଲ ସଫା ହେଉଛି । ବୃକ୍ଷଲତାର ଅପସାରଣ କେବଳ ଜୈବବିବିଧତାକୁ ନଷ୍ଟ କରେନାହିଁ, ବରଂ ପୃଥିବୀର ଅଙ୍ଗାରକାମ୍ଳ ଶୋଷଣ କରିବାର କ୍ଷମତାକୁ ହ୍ରାସ କରେ, ଯାହା ଜଳବାୟୁ ପରିବର୍ତ୍ତନରେ ସହାୟକ ହୁଏ ।

ସେହିପରି, ଅତ୍ୟଧିକ ଖଣି ଖନନ ପରିସଂସ୍ଥାକୁ କ୍ଷତିଗ୍ରସ୍ତ କରେ ଏବଂ ଭୂମି ଅବକ୍ଷୟରେ ବୃଦ୍ଧି ଘଟାଏ । ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟ ପ୍ରାୟତଃ ସମ୍ପଦ ହ୍ରାସର ଦୀର୍ଘକାଳୀନ ପରିଣାମକୁ ଅଣଦେଖା କରେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଶିଳ୍ପ ପ୍ରଦୂଷଣ, ଯେଉଁଥିରେ କ୍ଷତିକାରକ ଗ୍ୟାସ୍‌, ରାସାୟନିକ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ପରିବେଶକୁ ନିର୍ଗତ ହୋଇଥାଏ । କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ଭଳି ଜୀବାଶ୍ମ ଇନ୍ଧନର ଦହନରେ ସବୁଜ ଗୃହ ଗ୍ୟାସ୍‌, ବିଶେଷତଃ ଅଙ୍ଗାରକାମ୍ଳ ସୃଷ୍ଟିହୁଏ, ଯାହା ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହୁଏ । ଶିଳ୍ପ ନିର୍ଗତ କ୍ଷତିକାରକ ବର୍ଜ୍ୟ ନଦୀ, ହ୍ରଦ ଏବଂ ସମୁଦ୍ରକୁ ପ୍ରଦୂଷିତ କରେ, ଯାହା ଜଳଚର ଜୀବଜନ୍ତୁ ଏବଂ ମାନବ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ । ଅନେକ ବିକାଶଶୀଳ ରାଷ୍ଟ୍ର ପରିବେଶ ନିୟମର ପାଳନ ଅପେକ୍ଷା ଶିଳ୍ପ ଅଭିବୃଦ୍ଧିକୁ ପ୍ରାଥମିକତା ଦିଅନ୍ତି, ଯାହା ଆର୍ଥିକ ଲାଭ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟିକରେ । ବର୍ଦ୍ଧିତ ସହରୀକରଣ ହେଉଛି ବିକାଶ ଦ୍ୱନ୍ଦ୍‌ର ଅନ୍ୟ ଏକ ଦିଗ । ସହରଗୁଡ଼ିକର ଦ୍ରୁତ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ଭିତ୍ତିଭୂମି, ପରିବହନ ରାସ୍ତାଘାଟ ଏବଂ ସାର୍ବଜନୀନ ସୁବିଧା ପ୍ରଦାନ ଲକ୍ଷ୍ୟରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଆବଶ୍ୟକ ହୁଏ । ସହରାଞ୍ଚଳ ପ୍ରସାରଣ ସହିତ ସବୁଜିମାପୂର୍ଣ୍ଣ ସ୍ଥାନ ସଙ୍କୁଚିତ ଏବଂ ପ୍ରାକୃତିକ ବାସସ୍ଥଳୀ ନଷ୍ଟହୁଏ । ଏଠାରେ ବିପୁଳ ପରିମାଣର ଶକ୍ତିର ବ୍ୟବହାର ଏବଂ ପ୍ରଚୁର ପରିମାଣର ବର୍ଜ୍ୟପଦାର୍ଥ ସୃଷ୍ଟିହୁଏ । ବିଶ୍ୱର ଅନେକ ସହରରେ ଟ୍ରାଫିକ୍‌ ଭିଡ଼, ବାୟୁ ପ୍ରଦୂଷଣ ଏବଂ ଅପର୍ଯ୍ୟାପ୍ତ ବର୍ଜ୍ୟ ପରିଚାଳନା ସାଧାରଣ ପରିବେଶୀୟ ସମସ୍ୟାରେ ବୃଦ୍ଧି ଘଟାଏ । ଯଦିଓ ସହରୀକରଣ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରେ, ଏହା ପ୍ରାୟତଃ ପରିବେଶ ଉପରେ ପ୍ରଚଣ୍ଡ ଚାପ ସୃଷ୍ଟିର କାରଣ ପାଲଟେ ।

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିକାଶ ମଡେଲର ସର୍ବାଧିକ ଦୃଶ୍ୟମାନ ପରିଣାମକୁ ପ୍ରତିନିଧିତ୍ୱ କରେ । ବିଶ୍ୱ ତାପମାତ୍ରା ବୃଦ୍ଧି, ହିମବାହ ତରଳିବା, ସମୁଦ୍ର ପତ୍ତନରେ ବୃଦ୍ଧି ତଥା ବନ୍ୟା, ମରୁଡ଼ି ଏବଂ ଘୂର୍ଣ୍ଣିବାତ୍ୟା ଭଳି ଚରମ ପାଣିପାଗ ଘଟଣା ବିକାଶ ସମ୍ପର୍କିତ ମାନବୀୟ କାର୍ଯ୍ୟକଳାପର ପରିଣାମ । ବିଡ଼ମ୍ବନାର ବିଷୟ ହେଉଛି, ଜଳବାୟୁ ପରିବର୍ତ୍ତନରେ ସବୁଠାରୁ କମ୍‌ ଅବଦାନ ରଖୁଥିବା ରାଷ୍ଟ୍ର ଏବଂ ସମ୍ପ୍ରଦାୟମାନେ ପ୍ରାୟତଃ ଏହାର ମନ୍ଦ ପ୍ରଭାବରେ ଅଧିକ ପ୍ରପୀଡ଼ିତ ହୁଅନ୍ତି । ଏହା ବୈଶ୍ୱିକ ବିକାଶ ପ୍ରକ୍ରିୟାରେ ନ୍ୟାୟ ଏବଂ ଦାୟିତ୍ୱ ବିଷୟରେ ନୈତିକତାର ପ୍ରଶ୍ନ ଉତ୍‌ଥାପନ କରେ । ଏହି ସମସ୍ୟା ସୃଷ୍ଟିକାରୀ ସାମ୍ପ୍ରତିକ ବିକାଶ ବ୍ୟବସ୍ଥା ଆଗାମୀ ପିଢ଼ି ନିମନ୍ତେ ବିପର୍ଯ୍ୟୟର ମାର୍ଗ ପ୍ରଶସ୍ତ କରୁଛି । ଏହା ମାନବ କଲ୍ୟାଣ ଏବଂ ଆର୍ଥିକ ସମୃଦ୍ଧିକୁ ଉନ୍ନତ କରୁଛି ସତ, କିନ୍ତୁ ପରିବେଶ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ, ଜୈବବିବିଧତାର ହ୍ରାସନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଷମ ସଙ୍କଟ ସୃଷ୍ଟିର ପ୍ରଚ୍ଛଦରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଛି । ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ସ୍ଥାପନ ଏବଂ ଏକ ସମନ୍ୱିତ ଆଭିମୁଖ୍ୟ ପୋଷଣ ହେଉଛି ସମାଧାନର ଶ୍ରେଷ୍ଠ ବିକଳ୍ପ । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେବା ପୂର୍ବରୁ ଗୃହୀତ ହେଉଥିବା ପରିବେଶୀୟ ପ୍ରଭାବ ମୂଲ୍ୟାଙ୍କନ (ଇଆଇଏ) ପ୍ରକ୍ରିୟାରେ ଏହାର ସମ୍ଭାବ୍ୟ ପରିବେଶଗତ, ସାମାଜିକ ଏବଂ ଆର୍ଥିକ ପ୍ରଭାବର ମୂଲ୍ୟାୟନ ହୋଇଥାଏ । ବିକାଶରେ ସ୍ଥାୟିତ୍ୱକୁ ଏକୀକୃତ କରିବା, ପରିବେଶଜନିତ କ୍ଷୟକ୍ଷତିକୁ ରୋକିବା ଏବଂ ସୂଚନାଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ, ସରକାରୀ ବ୍ୟବସ୍ଥା ଏହାକୁ କଠୋରତାର ସହ କାର୍ଯ୍ୟକାରୀ କରିବା ଏକାନ୍ତ ଅପରିହାର୍ଯ୍ୟ । ସହନୀୟ ବିକାଶର ମାର୍ଗ ପରିବେଶ ସୁରକ୍ଷା ପ୍ରସଙ୍ଗକୁ ସମ୍ମାନ ପ୍ରଦର୍ଶନ କରୁଥିବା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ଏକ ବ୍ୟାବହାରିକ ସମାଧାନ ପ୍ରଦାନ କରେ ।

​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।