22 JULY 2026

Welcome!

Unlock your personalized experience.
Sign Up

ଧର୍ମାନ୍ତରୀକରଣ ଚକ୍ରବ୍ୟୂହ

Jul 21, 2026 - 15:41
ଧର୍ମାନ୍ତରୀକରଣ ଚକ୍ରବ୍ୟୂହ

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଅନୁସୂଚିତ ଜାତିର ଚିନ୍ତଦା ଆନନ୍ଦ ନାମକ ଜଣେ ବ୍ୟକ୍ତି ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରି ଦଶବର୍ଷରୁ ଊର୍ଦ୍ଧ୍ବକାଳ ଚର୍ଚ୍ଚର ପାଦ୍ରୀ ଭାବେ ରବିବାର ପ୍ରାର୍ଥନା ସଭା ପରିଚାଳନା କରୁଥିଲେ । ୨୦୨୧ ମସିହାରେ ସେ ପୋଲିସରେ ଅଭିଯୋଗ କରିଥିଲେ ଯେ, କିଛି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି, ଜାତିକୁ ନେଇ ଅପମାନଜନକ ଗାଳିଗୁଲଜ ଦେଇ ସପରିବାର ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି । ଏହି ଘଟଣାକୁ ପୋଲିସ ଏଫଆଇଆର୍ ରୁଜୁ କରି ପରବର୍ତ୍ତୀ ସମୟରେ ୧୬ଜଣ ସାକ୍ଷୀଙ୍କ ବୟାନ ସହିତ ଚାର୍ଜସିଟ୍ ଦାଖଲ କରିଥିଲା । ତହସିଲଦାରଙ୍କ ଜାତିଗତ ପ୍ରମାଣ ଆଧାରରେ ପୋଲିସ ରିପୋର୍ଟରେ ଆନନ୍ଦଙ୍କ ସାମାଜିକ ପରିଚୟ ହେଉଛି "ହିନ୍ଦୁ-ମାଡ଼ିଗା' । ଏହି ଏଫ୍ଆଇଆର୍‌ରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଜାତିଗତ ଭେଦଭାବ ଆଧାରରେ ଅପମାନ କରିବା, ଆକ୍ରମଣ କରିବା, ବେଆଇନ ଭାବେ ଅଟକ ରଖିବା, ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଧମକ ଆଦି ଅଭିଯୋଗ ଥିଲା । ମାମଲା ରୁଜୁ ହେବା ପରେ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତରେ ଏହା ପଞ୍ଜିକୃତ ହେଲା । ଅଭିଯୁକ୍ତମାନେ ସ୍ୱତନ୍ତ୍ର ଅଦାଲତରେ ବିଚାରର ସମ୍ମୁଖୀନ ହେବା ପରିବର୍ତ୍ତେ, ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ, ଅମରାବତୀରେ Code of Criminal Procedure, ୧୯୭୩ ଧାରା ୪୮୨ ଆଧାରରେ ଏକ କ୍ରିମିନାଲ ପିଟିସନ ଦାଖଲ କଲେ । ଯଦି କୌଣସି କାର୍ଯ୍ୟଧାରା ନ୍ୟାୟ ପ୍ରକ୍ରିୟାର ଅପବ୍ୟବହାର କରେ କିମ୍ବା ଏଫଆଇଆର୍‌ରେ ଅପରାଧ ଘଟିଥିବାର ସୂଚନା ନଥାଏ, ଧାରା-୪୮୨ ଆଧାରରେ ହାଇକୋର୍ଟ ନ୍ୟାୟିକ କାର୍ଯ୍ୟବିଧିକୁ ରଦ୍ଦ କରିପାରିବେ । ଅଭିଯୁକ୍ତମାନଙ୍କର ଯୁକ୍ତି ଥିଲା- ଚିନ୍ତଦା ଆନନ୍ଦ ଖ୍ରୀଷ୍ଟିୟାନ ପାଦ୍ରୀ ହୋଇଥିବାରୁ ସେ ଅନୁସୂଚିତ ଜାତିର ମାନ୍ୟତା ହରାଇଛନ୍ତି । ତେଣୁ ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ନିବାରଣ) ଆଇନର ସୁବିଧା ପାଇବାକୁ ହକ୍‌ଦାର ନୁହଁନ୍ତି । ତେଣୁ ଏହି ଆଇନ ଆଧାରରେ ରୁଜୁ ହୋଇଥିବା ମାମଲା ରଦ୍ଦ କରାଯାଉ । ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତମାନଙ୍କର ଯୁକ୍ତି ଗ୍ରହଣ କରି ୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ଏଫଆଇଆର୍, ଚାର୍ଜସିଟ୍ ଏବଂ ସ୍ୱତନ୍ତ୍ର ଅଦାଲତରେ ଚାଲିଥିବା ସମସ୍ତ ନ୍ୟାୟିକ ପ୍ରକ୍ରିୟା ରଦ୍ଦ ହେଲା ବୋଲି ରାୟ ଦେଲେ ।

ହାଇକୋର୍ଟଙ୍କ ରାୟରେ କ୍ଷୁବ୍ଧ ହୋଇ ଚିନ୍ତଦା ଆନନ୍ଦ ସୁପ୍ରିମକୋର୍ଟରେ ଅପିଲ କଲେ । ତାଙ୍କ ପକ୍ଷର ଯୁକ୍ତି ଥିଲା- ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା କାରଣରୁ ଆବେଦନକାରୀ ଏସ୍‌ସି /ଏସଟି (ଅତ୍ୟାଚାର ନିବାରଣ) ଆଇନର ସୁବିଧା ପାଇବାକୁ ଅଯୋଗ୍ୟ ବୋଲି ହାଇକୋର୍ଟ ଯେଉଁ ମତ ପ୍ରକାଶ କରିଛନ୍ତି ତାହା ଗୁରୁତର ଆଇନଗତ ତ୍ରୁଟି । ଜାତି ହେଉଛି ଜନ୍ମଗତ ପରିଚୟ, ଧର୍ମଗତ ପରିଚୟ ନୁହେଁ । ତେଣୁ ଧର୍ମ ପରିବର୍ତ୍ତନ କଲେ କୌଣସି ବ୍ୟକ୍ତିଙ୍କ ଜାତିଗତ ସାମାଜିକ ପରିଚୟ ଏବଂ ସେହି ଜାତି ସହିତ ଜଡ଼ିତ ଐତିହାସିକ ଓ ସାମାଜିକ ବୈଷମ୍ୟ ଲୋପ ପାଏନାହିଁ । ଏହି ଯୁକ୍ତିର ସମର୍ଥନରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସରକାରୀ ଆଦେଶ G.O. Ms. No. 341 dt. 30th August ୧୯୭୭ ଉପସ୍ଥାପନା କରାଗଲା । ଏଥିରେ ଉଲ୍ଲେଖ ଅଛି- କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କଲେ ଅନୁସୂଚିତ ଜାତି ଆଧାରରେ ପାଉଥିବା ସୁବିଧା ସୁଯୋଗରୁ ବଞ୍ଚିତ ହେବେନାହିଁ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଥିଲା- ଧର୍ମ ପରିବର୍ତ୍ତନ ପରେ ସେହି ବ୍ୟକ୍ତି ଆଉ ଅନୁସୂଚିତ ଜାତିର ସଦସ୍ୟ ହୋଇ ରହିଲେନାହିଁ । ତେଣୁ ଏସ୍‌ସି /ଏସ୍‌ଟି ଆଇନର ସୁରକ୍ଷା ପାଇପାରିବେ ନାହିଁ । ସରକାରୀ ନିର୍ଦ୍ଦେଶନାମା ସହିତ ଏହାର କୌଣସି ସଂପର୍କ ନାହିଁ । ୨୦୨୬ ମସିହା ମାର୍ଚ୍ଚ ୨୪ ତାରିଖରେ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ର ଏବଂ ନ୍ୟାୟମୂର୍ତ୍ତି ମନମୋହନଙ୍କ ଖଣ୍ଡପୀଠ ରାୟ ଦେଇଥିଲେ- ଚିନ୍ତଦା ଆନନ୍ଦ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ସେ ଆଇନଗତ ଭାବେ ଅନୁସୂଚିତ ଜାତିର ମାନ୍ୟତା ଦାବି କରିପାରିବେ ନାହିଁ । ତେଣୁ ଏସ୍‌ସି / ଏସ୍‌ଟି (ଅତ୍ୟାଚାର ନିବାରଣ) ଆଇନ ବ୍ୟବସ୍ଥା ତାଙ୍କ ପ୍ରତି ଲାଗୁ ହେବନାହିଁ । ପ୍ରକାରାନ୍ତରେ ହାଇକୋର୍ଟ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ ଜଣାଇଥିଲେ ।

ଅନୁସୂଚିତ ଜାତିକୁ ନେଇ ସୁପ୍ରିମକୋର୍ଟଙ୍କର ଏହି ରାୟ ପରେ ଅନୁସୂଚିତ ଜନଜାତିରେ ବିତର୍କ ଆରମ୍ଭ ହୋଇଯାଇଛି । ଯେଉଁ ଆଦିବାସୀମାନେ ଖ୍ରୀଷ୍ଟିଆନ/ ଇସଲାମ ଧର୍ମ ଗ୍ରହଣ କରିଛନ୍ତି, ସେମାନେ ଅନୁସୂଚିତ ଜନଜାତିଙ୍କ ପ୍ରତି ଉଦ୍ଦିଷ୍ଟ ସୁବିଧା ସୁଯୋଗରୁ ବଞ୍ଚିତ ରହିବେ କି ? ଏହାର ମୂଳକୁ ଆସିବା । ୧୯୬୨ ମସିହାରେ ତତ୍କାଳୀନ ବିହାର ରାଜ୍ୟର ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ଲୋହରଡାଗା ଲୋକସଭା ଆସନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ କାର୍ତ୍ତିକ ଓରାଓଁ, ସ୍ୱତନ୍ତ୍ର ପାର୍ଟି ଡାଭିଡ ମୁନ୍‌ଜିନଙ୍କଠାରୁ ନିର୍ବାଚନରେ ପରାସ୍ତ ହୋଇଥିଲେ । କିନ୍ତୁ କାର୍ତ୍ତିକ ଓରାଓ ପରାଜୟକୁ ସହଜରେ ଗ୍ରହଣ କରିନଥିଲେ । ସେ ପାଟନା ହାଇକୋର୍ଟରେ ମାମଲା ଦାୟର କଲେ ଯେ, ତାଙ୍କର ପ୍ରତିଦ୍ୱନ୍ଦୀ ଡାଭିଡ ମୁନ୍‌ଜିନ୍ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ସେ ଆଉ ଜନଜାତି ସଂପ୍ରଦାୟ ଅନ୍ତର୍ଭୁକ୍ତ ନୁହଁନ୍ତି । ତେଣୁ ତାଙ୍କୁ (କାର୍ତ୍ତିକଙ୍କୁ) ନିର୍ବାଚନରେ ଜୟଯୁକ୍ତ ଘୋଷଣା କରାଯାଉ । କିନ୍ତୁ ହାଇକୋର୍ଟଙ୍କର ଯୁକ୍ତି ଥିଲା- ଓରାଓଁ ଏକ ଜନଜାତି ଓ ଜାତିଗତ ପରିଚୟ, ଧାର୍କିକ ପରିଚୟ ନୁହେଁ ।

ନ୍ୟାୟାଳୟ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ- ଖ୍ରୀଷ୍ଟିଆନ ଓରାଓଁମାନେ ସେମାନଙ୍କର ପାରମ୍ପରିକ ଜାତି ବ୍ୟବସ୍ଥା ବଜାୟ ରଖିଛନ୍ତି, ଆଦିବାସୀ ପ୍ରଥା, ପର୍ବପର୍ବାଣୀ ଓ ରୀତିନୀତି ପାଳନ କରୁଛନ୍ତି । ତେଣୁ ସେମାନେ "ପ୍ରଥମେ ଓରାଓଁ, ପରେ ଖ୍ରୀଷ୍ଟିୟାନ' । ତେଣୁ ଅନୁସୂଚିତ ଜାତିର ପରିଚୟ ନିର୍ଣ୍ଣୟ କରିବାରେ ଧର୍ମ ପ୍ରାସଙ୍ଗିକ ମାନଦଣ୍ଡ ନୁହେଁ । କିନ୍ତୁ ମାମଲା ସେଇଠି ସମାପ୍ତ ହୋଇନଥିଲା । ୧୯୬୭ ମସିହାରେ ଇନ୍ଦିରା ଗାନ୍ଧିଙ୍କ ଶାସନକାଳରେ କାର୍ତ୍ତିକ ଓରାଓଁ ଲୋକସଭାର ସଦସ୍ୟ ଥିବାବେଳେ କେନ୍ଦ୍ର ସରକାର ଲୋକସଭାରେ "ଅନୁସୂଚିତ ଜାତି ଓ ଜନଜାତି ଆଦେଶ (ସଂଶୋଧନ) ବିଲ୍' ଉପସ୍ଥାପନା କଲେ । ଏହାର ଆଭିମୁଖ୍ୟ ଥିଲା- ସାରାଦେଶରେ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ କେଉଁମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ କେଉଁମାନଙ୍କୁ ବାଦ୍ ଦିଆଯିବ, ତାହାର ପୁନଃବିଚାର କରିବା । ୧୯୬୮ ମାର୍ଚ୍ଚ ମାସରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା । ୧୯୬୯ ନଭେମ୍ବର ୧୭ ତାରିଖରେ ପ୍ରକାଶିତ ରିପୋର୍ଟରେ ବିଲ୍‌ରେ ସଂଶୋଧନ ଆଣି ଇସଲାମ ଓ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଆଦିବାସୀମାନଙ୍କୁ ଅନୁସୂଚିତ ଜନଜାତି ଶ୍ରେଣୀରୁ ବାଦ୍ ଦେବାପାଇଁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ମତ ସଂରକ୍ଷିତ ରଖିଥିଲେ । ଶେଷ ପର୍ଯ୍ୟନ୍ତ ସଂସଦ ଏହି ପ୍ରସ୍ତାବକୁ ଅନୁମୋଦନ କରିନଥିଲା, ଫଳରେ ଏହା ଆଇନରେ ପରିଣତ ହୋଇପାରିଲା ନାହିଁ ।

ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ସୁବିଧା ସୁଯୋଗ ଉଲ୍ଲେଖ ରହିଲା । କିନ୍ତୁ କେଉଁ ସଂପ୍ରଦାୟ ଅନୁସୂଚିତ ଜାତି ଓ ଜନଜାତି ଅନ୍ତର୍ଭୁକ୍ତ ହେବେ ତାହାର ତାଲିକା ପ୍ରସ୍ତୁତ କରିବା ପାଇଁ ସମ୍ବିଧାନର ଅନୁଚ୍ଛେଦ ଯଥାକ୍ରମେ ୩୪୧ ଏବଂ ୩୪୨ରେ ରାଷ୍ଟ୍ରପତିଙ୍କୁ କ୍ଷମତା ପ୍ରଦାନ କରାଗଲା । ଏହି କ୍ଷମତା ଆଧାରରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ସଂପର୍କୀୟ ନିର୍ଦ୍ଦେଶନାମା ଜାରି କଲେ । ୧୯୫୦ ମସିହାରେ ଅନୁସୂଚିତ ଜାତିର ମାନ୍ୟତା କେବଳ ହିନ୍ଦୁମାନଙ୍କ ପାଇଁ ସୀମିତ ଥିଲା । କିନ୍ତୁ ସଂସଦରେ ସଂଶୋଧନ ଆଣି ୧୯୫୬ ମସିହାରେ ଶିଖମାନଙ୍କୁ ଏବଂ ୧୯୯୦ ମସିହାରେ ବୌଦ୍ଧମାନଙ୍କୁ ସାମିଲ କରାଗଲା । କିନ୍ତୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶନାମା ଧର୍ମନିରପେକ୍ଷ ଥିଲା । ଏଥିରେ ଧର୍ମ ସଂପର୍କରେ କିଛି ଉଲ୍ଲେଖ ନଥିଲା । ତେଣୁ ଧର୍ମାନ୍ତରୀକରଣ ପରେ ମଧ୍ୟ ଜନଜାତି ପରିଚୟରେ ବ୍ୟତିକ୍ରମ ଆସିଲା ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଅନୁସୂଚିତ ଜାତିବର୍ଗ ଦୀର୍ଘ ଶତାବ୍ଦୀ ଧରି ହିନ୍ଦୁ ଧର୍ମର ବର୍ଣ୍ଣବୈଷମ୍ୟ ଆଧାରରେ ଅସ୍ପୃଶ୍ୟତାର ଶିକାର ହୋଇ ସାମାଜିକ କ୍ଷେତ୍ରରେ ପଛୁଆ ରହିଥିଲେ । କିନ୍ତୁ ଅନୁସୂଚିତ ଜନଜାତିର ପରିଚୟ ଧର୍ମ ଆଧାରରେ ନୁହେଁ, ଜାତିଗତ ଉତ୍ପତ୍ତି, ପାରମ୍ପରିକ ଜୀବନଶୈଳୀ, ସ୍ୱତନ୍ତ୍ର ସଂସ୍କୃତି, ମୁଖ୍ୟଧାରା ସହିତ ସୀମିତ ସଂପର୍କ ଭଳି ବୈଶିଷ୍ଟ୍ୟ ଉପରେ ଆଧାରିତ ।

୧୯୫୦ ମସିହାରେ ଅନୁସୂଚିତ ଜାତି ନିର୍ଦ୍ଦେଶନାମା ଜାରି ହେବା ପରଠାରୁ ବହୁ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ଏହାକୁ ଧର୍ମନିରପେକ୍ଷ କରିବା ପାଇଁ ଦାବି କରିଆସୁଛନ୍ତି । ଏଥିରେ ପ୍ରମୁଖ ହେଉଛି ୨୦୦୪ ମସିହାରେ Centre for Public Interest Litigation ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା । ଏହା ପରଠାରୁ ଯେତେ ପିଟିସନ ଦାଖଲ ହୋଇଛି ସବୁଗୁଡ଼ିକୁ ଏହା ସହିତ ଯୋଡ଼ି ଦିଆଯାଇଛି । ମୁଖ୍ୟ ଦାବି ହେଉଛି- ଦଳିତ ଖ୍ରୀଷ୍ଟିଆନ ଏବଂ ଦଳିତ ମୁସଲିମଙ୍କୁ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରାଯାଉ । ୧୯୫୫ ମସିହାରେ ଗଠିତ Backward Class Commission ମତ ଦେଇଥିଲେ ‘ଦେଶରେ ଦଳିତ ଖ୍ରୀଷ୍ଟିଆନମାନେ କେବଳ ଅସ୍ପୃଶ୍ୟତା କ୍ଷେତ୍ରରେ ନୁହେଁ, ସାମାଜିକ ବର୍ଗରେ ମଧ୍ୟ ଜାତି ଦ୍ୱାରା ପରିଚାଳିତ' । ୧୯୮୦ ମସିହାରେ ଗଠିତ The High Power Panel on Minorities, Scheduled Castes, Scheduled Tribes and Other Weaker Sections, ଯାହା ଡ. ଗୋପାଳ ସିଂହ କମିଟି ନାମରେ ମଧ୍ୟ ପରିଚିତ³ ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଇସଲାମ ଦଳିତଙ୍କୁ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୧୯୯୦ ମସିହାରେ ସରକାର କେବଳ ବୌଦ୍ଧ ଦଳିତଙ୍କୁ ଏଥିରେ ସାମିଲ କରିଥିଲେ ।

୨୦୨୨ ମସିହାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ "ଦଳିତ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କୁ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ କରାଯିବ କି ନାହିଁ "ଏ ସଂପର୍କରେ ମତ ରଖିବା ପାଇଁ ଅନୁରୋଧ କଲେ । କିନ୍ତୁ ସରକାର ଅଦାଲତରେ ନିଜର ଯୁକ୍ତି ଉପସ୍ଥାପନା କରିବା ପରିବର୍ତ୍ତେ ସ୍ଥିତି ଅନୁଧ୍ୟାନ ନିମନ୍ତେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କେ.ଜି. ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କଲେ ଏବଂ ତାହାର ରିପୋର୍ଟ ଆସିବା ପରେ ଚୂଡ଼ାନ୍ତ ପଦକ୍ଷେପ ନେବାପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଚଳିତ ମାସ ଶେଷ ସୁଦ୍ଧା କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିପାରନ୍ତି । ଦଳିତ ଖ୍ରୀଷ୍ଟିଆନ ଏବଂ ଦଳିତ ମୁସଲମାନ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ ହେଲେ ଧର୍ମାନ୍ତରୀକରଣ ପ୍ରକ୍ରିୟା ପ୍ରୋତ୍ସାହିତ ହେବ ଏବଂ ଦେଶରେ ଧାମି ର୍କ ସନ୍ତୁଳନ ଉପରେ ଏହାର ପ୍ରଭାବ ପଡ଼ିବ, ଏଥିରେ ସନ୍ଦେହ ନାହି ଁ । ବୋଧହୁଏ ସେଇଥିପାଇଁ ଦଳ ନିବି ର୍ଶେଷରେ କୌଣସି ସରକାର ଏହାକୁ ସମର୍ଥନ ଜଣାଇନାହାନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।