‘ଦି ଇମ୍ପାକ୍ଟ ରାଙ୍କିଙ୍ଗ୍-୨୦୨୬': ବିଶ୍ୱର ଶ୍ରେଷ୍ଠ-୨୦୦ରେ ଓଡ଼ିଶାର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ; ଦେଶରେ ପାଇଲା ୪ର୍ଥ ସ୍ଥାନ
ଭୁବନେଶ୍ୱର, ୨୭।୬: ବିଶ୍ୱ ଉଚ୍ଚଶିକ୍ଷା ମାନଚିତ୍ରରେ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍ମେଣ୍ଟ (ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ) । ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ବିଶ୍ୱବିଦ୍ୟାଳୟଟି ସମ୍ମାନଜନକ "ଟାଇମ୍ସ ହାୟର ଏଜୁକେସନ୍ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଙ୍ଗ୍ ୨୦୨୬"ରେ ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ଏହି ବିଶ୍ୱସ୍ତରୀୟ ତାଲିକାରେ ସେଞ୍ଚୁରିଆନ୍ ୧୦୧ରୁ ୨୦୦ ବର୍ଗ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ସମଗ୍ର ଭାରତରେ ଚତୁର୍ଥ ସ୍ଥାନ ହାସଲ କରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଶ୍ରେଷ୍ଠତା ପ୍ରତିପାଦନ କରିଛି ।
ମିଳିତ ଜାତିସଂଘର ଲକ୍ଷ୍ୟ ପୂରଣରେ ଅଗ୍ରଣୀ ଭୂମିକା:
ମିଳିତ ଜାତିସଂଘର ‘ନିରନ୍ତର ବିକାଶ ଲକ୍ଷ୍ୟ’ ହାସଲ ଦିଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଅବଦାନ ଏବଂ ସାମାଜିକ ପ୍ରଭାବକୁ ଆଧାର କରି ପ୍ରତିବର୍ଷ ଏହି ଆନ୍ତର୍ଜାତୀୟ ରାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଇଥାଏ । ସେଞ୍ଚୁରିଆନର ଗୁଣାତ୍ମକ ଶିକ୍ଷା, ପରିବେଶ ସୁରକ୍ଷା ଏବଂ ସାମାଜିକ ପ୍ରତିବଦ୍ଧତା ଯୋଗୁଁ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି । ବିଗତ କିଛି ବର୍ଷ ମଧ୍ୟରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଏହି ପ୍ରଗତି ବେଶ୍ ଉଲ୍ଲେଖନୀୟ ଓ ପ୍ରେରଣାଦାୟୀ ରହିଛି । ବିଶ୍ୱବିଦ୍ୟାଳୟଟି ମାତ୍ର ୩ ବର୍ଷ ମଧ୍ୟରେ ବିଶ୍ୱ ରାଙ୍କିଙ୍ଗରେ ୮୦୦ ସ୍ଥାନର ଏକ ବଡ଼ ଲମ୍ଫ ମାରି ଶ୍ରେଷ୍ଠ ୨୦୦ ମଧ୍ୟରେ ସାମିଲ ହୋଇପାରିଛି । ବିଶେଷ କରି ଶିକ୍ଷାନୁଷ୍ଠାନ ପକ୍ଷରୁ ନିଆଯାଇଥିବା କେତେକ ପ୍ରୟାସ ଏହି ସଫଳତାର ମୁଖ୍ୟ କାରଣ ସାଜିଛି । ଆଧୁନିକ ଜ୍ଞାନକୌଶଳକୁ ନେଇ ନୂତନ ଗବେଷଣା, ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଶିକ୍ଷା ପ୍ରଦାନ, ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ବ୍ୟାପକ ସହଯୋଗ, ଗ୍ରାମାଞ୍ଚଳ ଓ ସମାଜର ନିମ୍ନ ସ୍ତରର ବିକାଶ ପାଇଁ ନିରନ୍ତର କାର୍ଯ୍ୟକ୍ରମ ।
ଏହା ବି ପଢ଼ନ୍ତୁ... Pune Murder Case: "ପରିବାରର ସାମ୍ନା କରିବା ଅପେକ୍ଷା କେତନକୁ ହତ୍ୟା କରିବା ସହଜ ଥିଲା": ପୁଣେ ପୁଲିସ ନିକଟରେ ସିଆ ଗୋୟଲଙ୍କ ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି
ବିଶ୍ୱବିଦ୍ୟାଳୟର ଏହି ଗୌରବମୟ ସଫଳତା ନେଇ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଗଭୀର ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଏହି ସମ୍ମାନ କେବଳ ଜଣଙ୍କର ନୁହେଁ, ବରଂ ଆମ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ନିଷ୍ଠାପର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ ଏବଂ ସମାଜର ପ୍ରତ୍ୟେକ ସହଯୋଗୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗର ପ୍ରତିଫଳନ । ଆଗାମୀ ଦିନରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ସାମାଜିକ ପ୍ରଗତିର ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ।"