ଦାଦନର ମୃତ୍ୟୁଯାତ୍ରା
ଓଡ଼ିଶାରେ ଦାଦନ ସମସ୍ୟାର କରୁଣ ପରିଣତି ଅନେକ ସମୟରେ ଖବରର ଶିରୋନାମା ପାଲଟିଛି । ସମ୍ପ୍ରତି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳର ବାରଜଣ ଜୁଆଙ୍ଗ ନାବାଳିକା ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇଥିବା ବେଳେ ମୃତ୍ୟୁବରଣ କରିଥିବା ଘଟଣା ସମଗ୍ର ରାଜ୍ୟକୁ ମର୍ମାହତ କରିଛି । ଏହି ଘଟଣା ଦାଦନ ଶ୍ରମିକଙ୍କ ସୁରକ୍ଷା, ଦଲାଲଙ୍କ ଦୌରାତ୍ମ୍ୟ ଏବଂ ଆଦିବାସୀ ଅଞ୍ଚଳର ଦାରିଦ୍ର୍ୟକୁ ପୁଣିଥରେ ସାମ୍ନାକୁ ଆଣିଛି । ଏପରି ଦୁଃଖଦ ଘଟଣା ହୃଦୟରେ ଖୁବ୍ ଭାବାବେଗ ସୃଷ୍ଟିକରେ । ମୁଁ ଏଠି କହିବାକୁ ଚାହେଁ କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ, ଦାଦନ ଶ୍ରମିକଙ୍କ ପଞ୍ଜୀକରଣ, ସୁରକ୍ଷିତ ସ୍ଥାନାନ୍ତରଣ, ନାବାଳକ-ନାବାଳିକାଙ୍କ ସୁରକ୍ଷା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ କର୍ମସଂସ୍ଥାନ ସୃଷ୍ଟି ଅତ୍ୟନ୍ତ ଜରୁରି । ଯେପର୍ଯ୍ୟନ୍ତ ଗରିବ ପରିବାରମାନେ ନିଜ ଅଞ୍ଚଳରେ ସମ୍ମାନଜନକ ଜୀବିକାର ସୁଯୋଗ ପାଇବେ ନାହିଁ, ସେପର୍ଯ୍ୟନ୍ତ ଦାଦନ ସମସ୍ୟାର ଏଭଳି ହୃଦୟବିଦାରକ ଘଟଣା ଘଟିଚାଲିବାର ଆଶଙ୍କା ରହିବ ।
"ଦାଦନ’ ଶବ୍ଦଟି ଓଡ଼ିଶାରେ ଏକ ବହୁପରିଚିତ ଏବଂ ହୃଦୟବିଦାରକ ବାସ୍ତବତାର ପ୍ରତୀକ । ଜୀବନ ଧାରଣ ପାଇଁ ନିଜ ଜନ୍ମମାଟି, ପରିବାର ଏବଂ ସଂସ୍କୃତିକୁ ଛାଡ଼ି ଅନ୍ୟ ରାଜ୍ୟକୁ ଶ୍ରମିକ ଭାବେ ଯିବାକୁ ଦାଦନ କୁହାଯାଏ । ଓଡ଼ିଶା ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ଏକ ରାଜ୍ୟ । କିନ୍ତୁ ଏହି ରାଜ୍ୟ ଦୀର୍ଘଦିନ ଧରି ଏକ ଗୁରୁତର ସାମାଜିକ ଓ ଆର୍ଥିକ ସମସ୍ୟାର ସାମ୍ନା କରୁଛି ଯାହା ଓଡ଼ିଶାର "ଦାଦନ ସମସ୍ୟା’ । ଦାଦନ ଅର୍ଥ ହେଉଛି କାମର ସନ୍ଧାନରେ କିମ୍ବା ଦଲାଲଙ୍କ ପ୍ରଲୋଭନରେ ନିଜ ଗାଁ ଓ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଇ ଅଣପଞ୍ଜିକୃତ ଓ ଅସୁରକ୍ଷିତ ଶ୍ରମିକ ଭାବରେ କାମ କରିବା । ଓଡ଼ିଶାର ଅନେକ ଜିଲ୍ଲା, ବିଶେଷକରି ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସୋନପୁର, କନ୍ଧମାଳ ଓ କୋରାପୁଟ ଭଳି ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ବର୍ଷକୁ ଓଡ଼ିଶାରୁ ପାଖାପାଖି ତେର ଚଉଦ ଲକ୍ଷ ଅଣପଞ୍ଜିକୃତ ଦାଦନ ବାହାର ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି । ସେମାନେ ଭଲ ଆୟ, ସୁଖମୟ ଜୀବନ ଓ ପରିବାରର ଉନ୍ନତିର ସ୍ୱପ୍ନ ନେଇ ଘର ଛାଡ଼ନ୍ତି । କିନ୍ତୁ ସେହି ସ୍ୱପ୍ନ ଅନେକ ସମୟରେ ଦୁର୍ଘଟଣା, ଶୋଷଣ, ଅତ୍ୟାଚାର ଓ ମୃତ୍ୟୁରେ ଶେଷ ହୁଏ ।
ଦାଦନ ପ୍ରଥା ଆଜିର ନୁହେଁ । ବହୁ ବର୍ଷ ଧରି ଏହା ସମାଜରେ ଚାଲିଆସୁଛି । ପୂର୍ବରୁ ଜମିଦାର କିମ୍ବା ଠିକାଦାରମାନେ ଅଗ୍ରିମ ଟଙ୍କା ଦେଇ ଗରିବ ଲୋକଙ୍କୁ କାମ ପାଇଁ ବାନ୍ଧି ରଖୁଥିଲେ । ବର୍ତ୍ତମାନ ମଧ୍ୟ ଦଲାଲମାନେ ଗାଁକୁ ଆସି ଅଧିକ ମଜୁରି, ଭଲ ରହିବା ବ୍ୟବସ୍ଥା ଓ ନିୟମିତ କାମର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ନେଇଯାଆନ୍ତି । ସେଠାରେ ପହଞ୍ଚିବା ପରେ ଅନେକ ଶ୍ରମିକ ସେ ସୁବିଧା ପାଆନ୍ତି ନାହିଁ ବରଂ ଦୁଃସ୍ଥ ଓ ଅମାନବୀୟ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହୁଅନ୍ତି। ଦାଦନ ସମସ୍ୟାର ମୂଳ କାରଣ ହେଉଛି ଦାରିଦ୍ର୍ୟ । ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାରର ସୁଯୋଗ ନଥିବାରୁ ଲୋକମାନେ ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି । କୃଷି ଉପରେ ନିର୍ଭରଶୀଳ ପରିବାରମାନେ ଅନାବୃଷ୍ଟି, ବନ୍ୟା କିମ୍ବା ଫସଲ ନଷ୍ଟହେବା ଯୋଗୁଁ ଆର୍ଥିକ ସଙ୍କଟରେ ପଡ଼ନ୍ତି । ଶିକ୍ଷାର ଅଭାବ, ବେକାରି, ଋଣବୋଝ ଓ ଅଜ୍ଞତା ମଧ୍ୟ ଦାଦନ ପ୍ରଥାକୁ ବଢ଼ାଇଥାଏ । ଦଲାଲମାନେ ଏହି ଦୁର୍ବଳତାର ସୁଯୋଗ ନେଇ ଲୋକମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ନେଇଯାଆନ୍ତି ।
ଦାଦନ ଶ୍ରମିକଙ୍କ ଜୀବନ ଅତ୍ୟନ୍ତ କଷ୍ଟଦାୟକ । ସେମାନେ ଇଟାଭାଟି, ନିର୍ମାଣ ସ୍ଥଳ, କାରଖାନା, ଖଣି ଓ କୃଷିକ୍ଷେତ୍ରରେ ସକାଳରୁ ରାତି ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି । ଅନେକ ସମୟରେ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ, ବିଶ୍ରାମ, ପାନୀୟଜଳ କିମ୍ବା ଚିକିତ୍ସା ସୁବିଧା ମିଳେନାହିଁ । ମଜୁରି ମଧ୍ୟ ସମୟରେ ଦିଆଯାଏ ନାହିଁ । କେତେକ ସ୍ଥାନରେ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ସହିବାକୁ ପଡ଼େ । ସେମାନେ ପରିବାରଠାରୁ ଦୂରେ ରହି ଅସହାୟ ଜୀବନ ବିତାନ୍ତି । ଅନେକ ଶ୍ରମିକ ଘରୁ ଜୀବନ ଗଢ଼ିବା ଆଶାରେ ବାହାରନ୍ତି, କିନ୍ତୁ ଶବ ହୋଇ ଫେରନ୍ତି । ସଡ଼କ ଦୁର୍ଘଟଣା, କାରଖାନାରେ ଦୁର୍ଘଟଣା, ବିଦ୍ୟୁତ୍ ସ୍ପର୍ଶ, ଉଚ୍ଚ ସ୍ଥାନରୁ ପଡ଼ିଯିବା, ଅସୁସ୍ଥତା ଓ ଚିକିତ୍ସା ଅଭାବ ଯୋଗୁଁ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟୁଛି । କେତେକ କ୍ଷେତ୍ରରେ ମୃତ୍ୟୁ ପରେ ମଧ୍ୟ ପରିବାର ନ୍ୟାୟ ପାଇପାରେ ନାହିଁ । କ୍ଷତିପୂରଣ ମିଳେନାହିଁ କିମ୍ବା ମୃତଦେହକୁ ଘରକୁ ଆଣିବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼େ । ଏପରି ଘଟଣା କେବଳ ଗୋଟିଏ ମଣିଷର ମୃତ୍ୟୁ ନୁହେଁ, ଏକ ପରିବାରର ସ୍ୱପ୍ନର ଅନ୍ତ ଅଟେ ।
ଦାଦନର ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼େ । ଯିଏ ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ, ସନ୍ତାନ ଓ ବୃଦ୍ଧ ମାତାପିତା ଅସହାୟ ହୋଇପଡ଼ନ୍ତି । ଅନେକ ପରିବାର ଋଣରେ ବୁଡ଼ି ଯାଆନ୍ତି । ଏହାର ପ୍ରଭାବ ସମାଜ ଉପରେ ମଧ୍ୟ ପଡ଼େ । ଗାଁରେ ଶ୍ରମଶକ୍ତି କମିଯାଏ, ଅର୍ଥନୈତିକ ଉନ୍ନତି ବାଧାପ୍ରାପ୍ତ ହୁଏ ଏବଂ ଦାରିଦ୍ର୍ୟର ଚକ୍ର ଚାଲିଥାଏ । ଦାଦନ ଶ୍ରମିକମାନଙ୍କ ଜୀବନ ଅତ୍ୟନ୍ତ କଷ୍ଟଦାୟକ । ସେମାନଙ୍କୁ ଅନେକ ସମୟରେ ଯଥାର୍ଥ ମଜୁରି ମିଳେନାହିଁ । କାମର ସମୟ ଅଧିକ ହୋଇଥାଏ ଏବଂ ରହିବା, ଖାଇବା ଓ ଚିକିତ୍ସାର ଉପଯୁକ୍ତ ସୁବିଧା ମିଳେନାହିଁ । କେତେକ ସ୍ଥାନରେ ସେମାନେ ଶୋଷଣ, ନିର୍ଯାତନା ଓ ଅମାନବିକ ବ୍ୟବହାରର ଶିକାର ହୁଅନ୍ତି । ଅନେକ ସମୟରେ ଦୁର୍ଘଟଣାରେ ମୃତ୍ୟୁ ହେଲେ ମଧ୍ୟ ପରିବାର ଲୋକେ ଉଚିତ କ୍ଷତିପୂରଣ ପାଇନଥାନ୍ତି । ଏହା ଦାଦନ ସମସ୍ୟାକୁ ଆହୁରି ଗୁରୁତର କରିଥାଏ । ଦାଦନ ପ୍ରଥାର ସବୁଠାରୁ ବଡ଼ ପ୍ରଭାବ ପଡ଼େ ପରିବାର ଓ ଶିଶୁମାନଙ୍କ ଉପରେ । ବାପା-ମାଆ ଦାଦନ ଖଟିବାକୁ ଯାଇଥିବାରୁ ପିଲାମାନଙ୍କ ପଢ଼ାଶୁଣା ବାଧାପ୍ରାପ୍ତ ହୁଏ । ଅନେକ ଶିଶୁ ବିଦ୍ୟାଳୟ ଛାଡ଼ି ଦେଇଥାନ୍ତି କିମ୍ବା ବାପା ମାଆଙ୍କ ସହ କାମ କରିବାକୁ ବାଧ୍ୟ ହୁଅନ୍ତି । ଏହା ଶିଶୁଶ୍ରମ ଓ ଅଶିକ୍ଷାକୁ ବୃଦ୍ଧିକରେ । ପରିବାରରେ ସାମାଜିକ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇଯାଏ ।
ଓଡ଼ିଶା ସରକାର ଦାଦନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳରେ କାମର ସୁଯୋଗ ବଢ଼ାଇବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତକରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସ୍ୱୟଂସହାୟକ ଗୋଷ୍ଠୀ, କୌଶଳ ବିକାଶ ପ୍ରଶିକ୍ଷଣ, କ୍ଷୁଦ୍ର ଶିଳ୍ପ ଓ ସ୍ୱରୋଜଗାର ଯୋଜନା ମାଧ୍ୟମରେ ଲୋକଙ୍କୁ ନିଜ ଅଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି କରାଯାଉଛି । ମାତ୍ର ଏଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସାଧାରଣ ଜନତା ନିଜ ପେଟର ଭୋକ ମେଣ୍ଟାଇବା ପାଇଁ ଦାଦନ ହୋଇଯାଏ । ଏକଥା ସରକାର ଜାଣନ୍ତି, କିନ୍ତୁ ନଜାଣିଲା ପରି ଚୁପ୍ ହୋଇ ବସିଯାଆନ୍ତି । ତଥାପି ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ସରକାରଙ୍କ ସହ ସାଧାରଣ ଲୋକ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜର ସମସ୍ତ ଶ୍ରେଣୀର ସହଯୋଗ ଆବଶ୍ୟକ ।
ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଗ୍ରାମାଞ୍ଚଳରେ ସ୍ଥାୟୀ ରୋଜଗାରର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । କୃଷି, କୁଟୀର ଶିଳ୍ପ, କ୍ଷୁଦ୍ର ଉଦ୍ୟୋଗ ଓ ସ୍ୱରୋଜଗାର ଯୋଜନାକୁ ଅଧିକ ପ୍ରୋତ୍ସାହନ ଦେବା ଦରକାର । ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ, ବୀମା, ସୁରକ୍ଷା, ସ୍ୱାସ୍ଥ୍ୟ ସୁବିଧା ଓ ଆଇନଗତ ସହାୟତା ନିଶ୍ଚିତ କରିବା ଆବଶ୍ୟକ । ଦାଦନ ଦଲାଲମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସହିତ ଶ୍ରମ ଆଇନର ସଠିକ୍ କାର୍ଯ୍ୟକାରିତା ମଧ୍ୟ ଆବଶ୍ୟକ । ଦାଦନ ଭଳି ଘୃଣ୍ୟ ପ୍ରଥାକୁ ଦୂର କରିବା ପାଇଁ ଗ୍ରାମାଞ୍ଚଳରେ ଶିଳ୍ପ ସ୍ଥାପନ, କୃଷିର ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥାର ଉନ୍ନତି, କୌଶଳ ବିକାଶ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ବୃଦ୍ଧି କରିବା ଆବଶ୍ୟକ । ଏହା ସହିତ ଲୋକମାନଙ୍କୁ ଦଲାଲଙ୍କ ପ୍ରଲୋଭନରୁ ସଚେତନ କରିବା ଓ ସେମାନଙ୍କ ଅଧିକାର ସମ୍ପର୍କରେ ଜାଗ୍ରତ କରିବା ଦରକାର । ଶିକ୍ଷାର ପ୍ରସାର ଓ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ଦାଦନ ପ୍ରଥାକୁ ଅନେକାଂଶରେ ରୋକାଯାଇପାରିବ ।
ଏହି ପ୍ରଥା ଦୂର କରିବା ପାଇଁ କେବଳ ସରକାରୀ ପଦକ୍ଷେପ ଯଥେଷ୍ଟ ନୁହେଁ । ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ସହଯୋଗ ଆବଶ୍ୟକ । ଗ୍ରାମାଞ୍ଚଳରେ ସଚେତନତା ଶିବିର ଆୟୋଜନ କରି ଲୋକମାନଙ୍କୁ ଦାଦନ ଦଲାଲଙ୍କ ପ୍ରଲୋଭନ ବିଷୟରେ ସତର୍କ କରିବା ଉଚିତ । ଶ୍ରମିକମାନଙ୍କୁ ସେମାନଙ୍କର ଅଧିକାର, ସରକାରୀ ଯୋଜନା ଓ ଆଇନଗତ ସୁରକ୍ଷା ବିଷୟରେ ସୂଚନା ଦେବା ଦରକାର । ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଓ ଶିକ୍ଷାନୁଷ୍ଠାନମାନେ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ।
ପରିଶେଷରେ କୁହାଯାଇପାରେ ଯେ, ଦାଦନ ସମସ୍ୟା ଦେଶର ବିକାଶ ପଥରେ ଏକ ବଡ଼ ବାଧା । ଏହାର ସମାଧାନ ପାଇଁ ସରକାରୀ ଯୋଜନା ସହିତ ଜନସଚେତନତା, ଶିକ୍ଷା, କର୍ମସଂସ୍ଥାନ ଓ ସାମାଜିକ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ପ୍ରତ୍ୟେକ ନାଗରିକଙ୍କୁ ଦାଦନ ପ୍ରଥା ବିରୋଧରେ ସଚେତନ କରାଇ ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ଶୋଷଣମୁକ୍ତ ରାଷ୍ଟ୍ର ଗଠନରେ ସହଯୋଗ କରିବା ଉଚିତ । ତେବେ ହିଁ ଦେଶର ଗରିବ ଶ୍ରମିକମାନେ ନିଜ ମାଟିରେ ସମ୍ମାନର ସହ ଜୀବିକା ନିର୍ବାହ କରିପାରିବେ ଏବଂ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ । ସରକାର, ସମାଜ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ନାଗରିକଙ୍କ ସମ୍ମିଳିତ ପ୍ରୟାସରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ । ପ୍ରତ୍ୟେକ ଶ୍ରମିକଙ୍କୁ ସମ୍ମାନ, ସୁରକ୍ଷା, ନ୍ୟାୟସଙ୍ଗତ ମଜୁରି ଓ ନିଜ ରାଜ୍ୟରେ କର୍ମସଂସ୍ଥାନର ସୁଯୋଗ ମିଳିଲେ ଦାଦନ ମୃତ୍ୟୁଯାତ୍ରାର କରୁଣ ଅଧ୍ୟାୟର ଅନ୍ତ ଘଟିବ । ଏକ ସ୍ୱାବଲମ୍ବୀ, ସମୃଦ୍ଧ ଓ ଶୋଷଣମୁକ୍ତ ରାଷ୍ଟ୍ର ଗଠନ ହିଁ ଏହି ସମସ୍ୟାର ପ୍ରକୃତ ସମାଧାନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।