ଜଗନ୍ନାଥଙ୍କୁ ଭକ୍ତର ଚିଠି; ମହାପ୍ରଭୁଙ୍କ ଆଗରେ ଭକ୍ତର ବିନତୀ ପଢ଼ିଲେ ଦଇତାପତି
ଭୁବନେଶ୍ବର,୨୭/୦୭: ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ଚିଠି ଲେଖିଛନ୍ତି ଜଣେ ଭକ୍ତ। ନିଜର ମନର ଭାବନା ଏବଂ ଜୀବନର ଦୁଃଖକୁ ପ୍ରଭୁ ଜଗନ୍ନାଥଙ୍କୁ ଚିଠି ମାଧ୍ୟମରେ ଗୁହାରି କରି ଜଣାଇଛନ୍ତି ଅନୀତା ନାମକ ଜଣେ ଭକ୍ତ। ଆଉ ଏହାକୁ ରଥ ଉପରେ ପଢ଼ିଛନ୍ତି ଜଣେ ଦଇତାପତି।
ଚିଠିଲେ ଲେଖା ଅଛି….
''ପ୍ରଭୁ... ମୁଁ କୋଉଠୁ କେମିତି ଆରମ୍ଭ କରିବି ଜାଣିପାରୁନି। ମୋ ମନର ଭାବନାକୁ ବୁଝିପାରିବ ମୋର ଆଶା ଏବଂ ବିଶ୍ବାସ। ସଂସାରରେ ତୁମକୁ ଛାଡ଼ିଦେଲେ କିଛି ବି ଚଳେନି ପ୍ରଭୁ। ମୋ ଜୀବନରେ ମତେ ଯାହା ବି କିଛି ଦେଇଛ ମୁଁ ବହୁତ ଖୁସି। ସବୁ ତୁମ ଦାନ ଆଉ ଆଶୀର୍ବାଦ। ଗୋଟିଏ ବିନତି ପ୍ରଭୁ, ମତେ ଯାହା ଜୀବନରେ ଦେଇଛ, ମୋର ଶେଷ ନିଃଶ୍ବାସ ବେଳକୁ ସେ ସମସ୍ତେ ମୋ ସହ ରହିବେ। ପ୍ରଭୁ ଧନରେ ପଛେ ମତେ କେବେ ଅଭାବ ରଖିବ, ଜନରେ ମତେ କେବେ ଅଭାବ ରଖିବନି ପ୍ରଭୁ। ତୁମକୁ ପୁଅଟିଏ ମାଗିଥିଲି ମତେ ତମେ ଝିଅଟିଏ ଦେଲ। ସବୁ ତୁମ ଆଶୀର୍ବାଦ ଭାବି ଗ୍ରହଣ କରିଛି ପ୍ରଭୁ। ତୁମ କୃପା ଦୃଷ୍ଟି ମୋ ଝିଅ ଉପରେ ରଖିବ ପ୍ରଭୂ। ତା ଜୀବନ ରଥର ଦଉଡ଼ି ତୁମ ହାତରେ ଟାଣିବ ପ୍ରଭୁ। ମୋ ଝିଅ ତୁମକୁ ଲାଗିଲା। ପ୍ରଭୁ, ମୋ ଝିଅ ଜୀବନ ଏମିତି ଗଢ଼ିବ ପ୍ରଭୁ, ଯେମିତି ସେ ତୁମ ସେବାରେ ଲାଗିପାରିବ।
ମତେ ଆଉ ଗୋଟେ ପୁଅ ଦେବ ପ୍ରଭୁ । ମୋର ଭାରି ଇଛା ଅଛି, ମୋ ଝିଅ ତା ଜୀବନର ପ୍ରଥମ ଅନ୍ନ ଖାଇବା ପୂର୍ବରୁ ଥରେ ତୁମ ପାଖକୁ ଯାଇ ଟିକେ ଅବଢ଼ା ଖାଇବ ପ୍ରଭୁ। ଏଥିରେ ମତେ ସାହାଯ୍ୟ କରିବ। ପ୍ରଭୁ ଆଉ ଗୋଟିଏ ପୁତ୍ର ସନ୍ତାନ ମତେ ଦେବ ପ୍ରଭୁ। ଆଉ ଗୋଟିଏ ଅଳୀ ପ୍ରଭୁ ଜୀବନରେ ଯାହାକୁ ଜୀବନସାଥି ରୁପେ ମତେ ଦେଇଛ, ମୋ ଶେଷ ନିଃଶ୍ବାସ ଥିବା ଯାଏ, ତାକୁ ମୋ ସହିତ ରଖିବ ପ୍ରଭୁ। ତାଙ୍କ ଆଗରେ ମୋ ଜୀବନ ନେଇଯିବ, ତାଙ୍କ ଦେହ ଖରାପ, ତାଙ୍କର ସବୁ ରୋଗ ମତେ ଦେଇ ତାଙ୍କ ରୋଗ ଭଲ କର ପ୍ରଭୁ। ପ୍ରଭୁ ଯେମିତି ତାଙ୍କ କାନ୍ଧରେ ମୁଁ ତୁମ ବଡ଼ଦାଣ୍ଡରେ ସ୍ବର୍ଗଦ୍ବାରକୁ ଯିବି ପ୍ରଭୁ। ମୋ ଶେଷ ନିଃଶ୍ବାସରେ ଯେମିତି ମୋ ସହ ମୋ ସଂଖା ସିନ୍ଦୂର ଥିବ ପ୍ରଭୁ। ମତେ ଏତିକି ଆଶୀର୍ବାଦ କର ପ୍ରଭୁ। ମତେ ଏତିକି ଆଶୀର୍ବାଦ କରପ୍ରଭୁ। ତୁମକୁ ଦେଖିବାକୁ ବହୁତ ଇଛା ହେଲାଣି ପ୍ରଭୁ। ମତେ ଟିକେ କୌଣସି ରୁପରେ ତୁମ ପାଖକୁ ନେବ। ପ୍ରଭୁ ମୋ ଜୀବନସାଥିକୁ ମୋ ଶେଷ ନିଃଶ୍ବାସ ଯାଏ ମୋ ସହିତ ରଖିବ ପ୍ରଭୁ। ଏତିକି ତୁମ ପାଖରେ ଅଳି କରୁଛି। ମୋ ଝିଅ ତୁମ ଆଶୀର୍ବାଦରୁ ଜନ୍ମ ନେଇଛି।
ମୋ ଝିଅ ତୁମକୁ ଲାଗିଲା ପ୍ରଭୁ। ଅନେକ ଗୁହାରି କରିବାର ଅଛି, ହେଲେ କ’ଣ କରିବି, ତୁମେ ତ ଅନ୍ତର୍ଜ୍ୟାମୀ, ତୁମେ ସବୁ ଜାଣିପାର, ମୋ ମନ କଥା ବୁଝିବ ପ୍ରଭୁ….ମୋ ସଂସାର ତୁମକୁ ଲାଗିଲା। ମୋ ସ୍ବାମୀଙ୍କୁ ମୋ ଆୟୁଷ ସବୁ ଦେଇ ତାଙ୍କ ଆଗରେ ମୋ ଜୀବନ ନେବ ପ୍ରଭୁ। ମୋ ଚିଠି ଗ୍ରହଣ କରିବ ପ୍ରଭୁ। ମୋ ସ୍ବାମୀଙ୍କ ଆଗରେ ମୋ ଜୀବନ ନେବ। ଯେମିତି ସେ ମତେ ସ୍ବର୍ଗଦ୍ବାର ନେଇକି ଯିବେ।''
(ଇତି)
ତୁମର ଭକ୍ତ
ଅନିତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।