29 JULY 2026

Welcome!

Unlock your personalized experience.
Sign Up

ଜଗଦ୍‌ଗୁରୁ ବ୍ୟାସଦେବ ଓ ଗୁରୁପୂର୍ଣ୍ଣିମା

Jul 29, 2026 - 12:10
ଜଗଦ୍‌ଗୁରୁ ବ୍ୟାସଦେବ ଓ ଗୁରୁପୂର୍ଣ୍ଣିମା

ଭାରତବର୍ଷ ହେଉଛି ଦେବଭୂମି । ଏହି ଦେବଭୂମିରେ ଅନେକ ଅବତାର, ମହାପୁରୁଷ, ସାଧୁସନ୍ଥ ଜନ୍ମ ନିଅନ୍ତି । ଯେତେବେଳେ ସାରା ସୃଷ୍ଟି ଜଳମୟ ଥିଲା, ସର୍ବପ୍ରଥମେ ସେହି ଜଳ ଭିତରୁ ଭାରତବର୍ଷ ଉପରକୁ ଦୃଶ୍ୟମାନ ହେଲା । ଅନେକ ମିଶନ, ଆଶ୍ରମ ଗୁରୁକୁଳ, ମଠରେ ଭାରତବର୍ଷ ପରିପୂର୍ଣ୍ଣ । ବିଶ୍ୱର ଅନ୍ୟ କୌଣସି ଦେଶରେ ଏପରି ଦେଖାଯାଏନାହିଁ । ପ୍ରତ୍ୟେକ ଆଶ୍ରମରେ ଅନେକ ଆଧ୍ୟାତ୍ମିକ ଉତ୍ସବ ପାଳନ କରାଯାଏ । ହେଲେ ସବୁ ଆଶ୍ରମରେ ଗୁରୁପୂର୍ଣ୍ଣିମା ଉତ୍ସବ ମହାଆଡମ୍ବରରେ ଶିଷ୍ୟ ଭକ୍ତମାନେ ପାଳନ କରନ୍ତି । ଆଷାଢ଼ ମାସର ପୂର୍ଣ୍ଣିମା ତିଥି "ଗୁରୁପୂର୍ଣ୍ଣିମା' ବା "ବ୍ୟାସପୂର୍ଣ୍ଣିମା' ରୂପେ ପାଳିତ ହୁଏ । ଏହା ସମସ୍ତ ଶିଷ୍ୟ, ଶିଷ୍ୟା ଓ ଭକ୍ତମାନଙ୍କ ପାଇଁ ଗୋଟିଏ ସ୍ମରଣୀୟ ଦିବସ । ଏହି ପବିତ୍ର ତିଥିରେ ବ୍ୟାସଦେବ ଜନ୍ମଗ୍ରହଣ କରିଥିଲେ । ବ୍ୟାସଦେବ ହେଉଛନ୍ତି ଦ୍ୱାପର ଯୁଗର ଜଗଦ୍‌ଗୁରୁ । ସତ୍ୟଯୁଗରେ ଜଗତ୍‌ଗୁରୁ ହେଲେ ବ୍ରହ୍ମା, ତ୍ରେତୟାରେ ବଶିଷ୍ଠ, ଦ୍ୱାପର ଯୁଗରେ ଜଗଦ୍‌ଗୁରୁ ବ୍ୟାସଦେବ, କଳିଯୁଗରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ।

କାହିଁକି ବ୍ୟାସଦେବଙ୍କର ଜନ୍ମଦିବସକୁ ଗୁରୁପୂର୍ଣ୍ଣିମା ଦିବସ ରୂପେ ପାଳନ କରାଯାଏ?

ମନୁଷ୍ୟ ସଂସାରର କୌଣସି ବସ୍ତୁ ପ୍ରାପ୍ତ ଦ୍ୱାରା ଆତ୍ମସନ୍ତୋଷ ଲାଭ କରିପାରେନାହିଁ । ତାହାର ଜୀବନ ପରିତୃପ୍ତ ହୁଏନାହିଁ । ଭଗବତ୍‌ ଗୀତାରେ ଭଗବାନ ଉଲ୍ଲେଖ କରିଛନ୍ତି "ମନୁଷ୍ୟ କେବଳ ଆତ୍ମଜ୍ଞାନ ଦ୍ୱାରା ଆତ୍ମସନ୍ତୋଷ ଲାଭ କରିପାରେ' । ଆତ୍ମଜ୍ଞାନ ପ୍ରାପ୍ତିରେ ଜୀବନ ହୋଇଯାଏ ଧନ୍ୟ ଓ ସରସ, ସୁନ୍ଦର, ଆନନ୍ଦମୟ, ପ୍ରେମମୟ । ମାନବ ଜନ୍ମ ହୁଏ ସାର୍ଥକ । ମାନବ ସମାଜକୁ ବ୍ୟାସଦେବଙ୍କ ଦାନ ଅତୁଳନୀୟ । କାରଣ ଜ୍ଞାନ ତଥା ଆତ୍ମଜ୍ଞାନ ଦ୍ୱାରା ମନୁଷ୍ୟ ପାଏ ଚିର ଶାନ୍ତି ଓ ଆନନ୍ଦ । ସେ ନିଜକୁ ବୁଝିପାରେ, ଜାଣିପାରେ, ନିଜର ପରିଚୟ ପାଏ । ସେ ଅନୁଭବ କରେ ମୁଁ ସେହି ଆତ୍ମା, ମୁଁ ଜୀବ ନୁହେଁ । ମୁଁ ପରମାତ୍ମାଙ୍କର ଅଂଶବିଶେଷ । ମୁଁ ତାଙ୍କର ସନ୍ତାନ, ପରମ ପିତା ହେଉଛନ୍ତି ମୋର ପିତା, ମୁଁ ତାଙ୍କର ପୁତ୍ର । ସେଥିଲାଗି ବ୍ୟାସଦେବ ଆମର ପ୍ରାତଃସ୍ମରଣୀୟ । ବ୍ୟାସଦେବଙ୍କ ପିତାଙ୍କ ନାମ ଥିଲା ଋଷି ପରାଶର, ମାତାଙ୍କ ନାମ ମତ୍ସ୍ୟଗନ୍ଧା । ବ୍ୟାସଦେବଙ୍କୁ ଭଗବାନଙ୍କ ଚବିଶ ଅବତାର ମଧ୍ୟରୁ ସପ୍ତଦଶ ଅବତାର ରୂପେ ଗ୍ରହଣ କରାଯାଇଅଛି । ବ୍ୟାସଦେବ ସପ୍ତ ଚିରଞ୍ଜୀବୀଙ୍କ ଭିତରୁ ଜଣେ । ଗୀତା, ଭାଗବତ, ଅଷ୍ଟାଦଶ ପୁରାଣ ବ୍ୟାସଦେବ ରଚନା କରିଥିଲେ । ବେଦକୁ ସେ ଚାରିଭାଗ କରିଥିଲେ । ସେଥିଲାଗି ତାଙ୍କୁ ବେଦବ୍ୟାସ କୁହାଯାଏ । ଏହା ଜଣେ ଅବତାରଙ୍କ ପକ୍ଷରେ ସମ୍ଭବପର ଅଟେ । ଗୀତା ଓ ଭାଗବତ ପାଠ ସମୟରେ ପ୍ରଥମେ ଗୁରୁଦେବ, ବେଦବ୍ୟାସକୁ ସ୍ତୁତି କରାଯାଏ । ସେଥିପାଇଁ ଶାସ୍ତ୍ରରେ ଲେଖାଅଛି "ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ, ନମୋ ବୈ ବ୍ରହ୍ମନିଧୟେ ବାଶିଷ୍ଠାୟ ନମୋ ନମଃ' ।

ସାରା ବିଶ୍ୱବାସୀ ଗୀତାପାଠ କରନ୍ତି । ଗୀତାରେ ସବୁ ଜାତି, ଧର୍ମ ସମ୍ପ୍ରଦାୟକୁ ସମ୍ମାନ ଦିଆଯାଇଛି । ଜୀବନକୁ ସରସ, ସୁନ୍ଦର, ଆନନ୍ଦ ତଥା ପ୍ରେମମୟ କରିବା ପାଇଁ ସୂତ୍ରମାନ ଉଲ୍ଲେଖ କରାଯାଇଛି । ସେହି ସୂତ୍ରକୁ ଜୀବନରେ ଯେ ପ୍ରୟୋଗ କରିବ ତା’ର ଜୀବନ ଆନନ୍ଦମୟ ଓ ପ୍ରେମମୟ ହେବ । ବ୍ୟାସଦେବଙ୍କ ଶେଷ ରଚନା ହେଉଛି ଶ୍ରୀମଦ୍‌ ଭାଗବତ । ଏହା ଅଠର ହଜାର ଶ୍ଳୋକବିଶିଷ୍ଟ । ଏହାକୁ ଜଗନ୍ନାଥ ଦାସ ଓଡ଼ିଆରେ ଲେଖିଛନ୍ତି- ଏହା ୧୨ଟି ସ୍କନ୍ଧ ଓ ୩୪୨ଟି ଅଧ୍ୟାୟରେ ଉପସ୍ଥାପିତ । ଭାଗବତ ପାଠ କଲେ ମାନବ ଜୀବନରେ ସବୁ କିଛି ପାଇପାରିବ । ମନରେ ଗୁରୁ ଓ ଭଗବାନଙ୍କ ପ୍ରତି ଭାବ, ଭକ୍ତି, ଜ୍ଞାନ, ବୈରାଗ୍ୟ, ତତ୍ତ୍ୱଚିନ୍ତା ଓ ପ୍ରେମଭାବ ଆସିବ । ମନୁଷ୍ୟ ଜୀବନର ମୂଲ୍ୟ ବୁଝିପାରିବ । ସେ କ’ଣ ପାଇଁ ଜନ୍ମଗ୍ରହଣ କରିଥିଲା, କ'ଣ ଏଠାରେ ତାହାର ପ୍ରକୃତ କର୍ତ୍ତବ୍ୟ, ଜୀବନକୁ କିପରି ଭାବରେ ନିର୍ବାହ କରିପାରିବ-ସବୁ ଜାଣିପାରିବ ଭାଗବତ ପାଠ ଦ୍ୱାରା । ଏହା ସବୁକିଛି ବ୍ୟାସଦେବଙ୍କର ଅବଦାନ ମାନବ ସମାଜକୁ । ବ୍ୟାସଦେବ ଏକାଧାରରେ ଆତ୍ମଜ୍ଞାନୀ, ପଣ୍ଡିତ, ଶାସ୍ତ୍ରବିତ୍‌, ବେଦଜ୍ଞ, ସାଧକ ଓ ଜଗତ୍‌ଗୁରୁ । ଭଗବାନ ସ୍ୱୟଂ ବ୍ୟାସ ରୂପରେ ଜନ୍ମଗ୍ରହଣ କରିଥିଲେ । ସାରା ବିଶ୍ୱ ପାଇଁ ସେ ଯାହା କରିଯାଇଛନ୍ତି ତାହା ପ୍ରକାଶ କରିବା ସମ୍ଭବପର ନୁହେଁ । ସେଥିଲାଗି ତାଙ୍କ ଜନ୍ମଦିବସକୁ "ଗୁରୁପୂର୍ଣ୍ଣିମା' ଦିବସ ରୂପେ ପାଳନ କରାଯାଏ । ତାଙ୍କ ଜନ୍ମଦିବସରେ ସର୍ବପ୍ରଥମେ ବ୍ୟାସଦେବଙ୍କୁ କୋଟି ପ୍ରଣାମ କରୁଛି । ବ୍ୟାସଦେବ ଗୀତା, ଭାଗବତରେ ସମସ୍ତଙ୍କୁ ଗୁରୁ ଗ୍ରହଣ କରିବାପାଇଁ ଉପଦେଶ ଦେଇଛନ୍ତି । ବିନା ଗୁରୁରେ ଜୀବନ ଠିକ୍‌ଭାବରେ ନିର୍ବାହ କରିହେବନାହିଁ । ଗୁରୁ ଗ୍ରହଣ କଲେ ହିଁ ସୃଷ୍ଟି, ସ୍ରଷ୍ଟା, ଗୁରୁଦେବ ଓ ନିଜକୁ ଜାଣିପାରିବା । ବିନା ଗୁରୁରେ ଜୀବନଟା ପଶୁତୁଲ୍ୟ ହୋଇଯିବ ।

ମନୁଷ୍ୟ କେବଳ ଆହାର, ନିଦ୍ରା, ଭୟ, ମୈଥୁନ ନେଇ ବଞ୍ଚିଛି । ତାହା ଜାଣିପାରିବ ନାହିଁ । ମନୁଷ୍ୟ ଯାହା କରୁଛି ସଂସାରରେ ସବୁ କିଛି ଆନନ୍ଦ ପାଇଁ । ପ୍ରକୃତ ଆନନ୍ଦ କେଉଁଠାରେ ଅଛି, ତାହା ବିନା ଗୁରୁରେ ସେ ଜାଣିପାରିବ ନାହିଁ । ତତ୍ତ୍ୱଗୁରୁ ଗ୍ରହଣ କରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଗୀତାର ୪ର୍ଥ ଅଧ୍ୟାୟ ୩୪ ଶ୍ଳୋକରେ ଉଲ୍ଲେଖ ଅଛି "ତଦ୍‌ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ୱ ଦର୍ଶିନଃ' । ଯେ ଆତ୍ମାଜ୍ଞାନୀ ଓ ତତ୍ତ୍ୱଜ୍ଞାନର ଅଧିକାରୀ ହୋଇଥିବେ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିବ । ଗୁରୁ ଚାରି ପ୍ରକାର- ଆଦର୍ଶଗୁରୁ, ଆଚାର୍ଯ୍ୟଗୁରୁ, ସଦ୍‌ଗୁରୁ ଓ ତତ୍ତ୍ୱଗୁରୁ । ଗୁରୁଙ୍କ କୃପା ବିନା ସାଧକ କେବେ ଶିଷ୍ୟ ହୋଇପାରିବ ନାହିଁ । ଗୁରୁଙ୍କ ନିକଟରେ ନିଜକୁ ପୂର୍ଣ୍ଣମାତ୍ରାରେ ସମର୍ପଣ କରିବାକୁ ପଡ଼ିବ । ସମର୍ପଣ ପରେ ଗୁରୁକୃପା ଲାଭ କରାଯାଇଥାଏ । ଗୁରୁ କୃପାଦ୍ୱାରା ଭୟଙ୍କର ବିପଦରୁ ଶିଷ୍ୟ ରକ୍ଷା ପାଇଥାଏ । ଗୁରୁଙ୍କ ବାଣୀରେ ଦୃଢ଼ବିଶ୍ୱାସ, ସମର୍ପଣ ଦ୍ୱାରା ହିଁ ଶିଷ୍ୟ ଅନେକ ଦୈବୀଗୁଣ ଲାଭ କରିଥାଏ । ୧. ପ୍ରଥମ ଶିଷ୍ୟ ଗୁରୁଙ୍କ ଆଦେଶକୁ ବିନା ଦ୍ୱିଧାରେ, ବିନା ସଂଶୟରେ ପାଳନ କରେ, ଯେପରି ପେଟ୍ରୋଲ ଅଗ୍ନିକୁ ହଠାତ୍‌ ଗ୍ରହଣ କରିଥାଏ । ୨. ଦ୍ୱିତୀୟ ଶିଷ୍ୟ ଗୁରୁଙ୍କ ଆଦେଶକୁ ବିଚାର କରି ଗ୍ରହଣ କରିଥାଏ । ଯେପରି କର୍ପୂର ଅଗ୍ନି ଅଳ୍ପ ସମୟରେ ଲାଗିଯାଏ । ୩. ତୃତୀୟ ପ୍ରକାର ଶିଷ୍ୟକୁ ଗୁରୁ ବହୁ କଷ୍ଟରେ ଆଧ୍ୟାତ୍ମିକ ମାର୍ଗରେ ପ୍ରବେଶ କରାଇଥାନ୍ତି । ଯେପରି କୋଇଲାରେ ଅଗ୍ନି ସଂଯୋଗ ହୋଇଥାଏ । ୪. ଚତୁର୍ଥ ଶିଷ୍ୟ ହେଉଛି କଦଳୀ ଗଛ ପରି, ଅଗ୍ନିର ପ୍ରଭାବ ଯେପରି କଦଳୀ ଗଛ ଉପରେ ପଡ଼େନାହିଁ, ସେହିପରି ଗୁରୁ ଯେତେ ଚେଷ୍ଟା କଲେ ମଧ୍ୟ ଶିଷ୍ୟ ଉପରେ ଆଦୌ ଆଧ୍ୟାତ୍ମିକ ପ୍ରଭାବ ପଡ଼େନାହିଁ ।

ଗୁରୁଙ୍କ କୃପାଦ୍ୱାରା ଶିଷ୍ୟ ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିଥାଏ । ଶିଷ୍ୟର ଜୀବନ ଧନ୍ୟ ହୋଇଯାଏ । ଉତ୍ତମ ଶିଷ୍ୟ ଦିନେ ଉତ୍ତମ ଗୁରୁରେ ପରିଣତ ହୋଇଥାଏ । ନିଜର ଇଚ୍ଛାକୁ, କାମନାକୁ, ବାସନାକୁ ଗୁରୁଙ୍କ ନିକଟରେ ସମର୍ପଣ କରିବାକୁ ହେବ । ଯାହାଦ୍ୱାରା ସାଧନା ଦ୍ୱାରା ପ୍ରାରବ୍ଧ ପୋଡ଼ି ଧ୍ୱଂସ ହୋଇଯାଏ । ଆଉ କ୍ରିୟମାଣ ସୃଷ୍ଟି ହୁଏନାହିଁ । ପ୍ରକୃତ ଗୁରୁ ଗୁଣବାନ ଶିଷ୍ୟକୁ ଅତ୍ୟନ୍ତ ଶ୍ରଦ୍ଧା, ଯତ୍ନ ସହକାରେ ଦିବ୍ୟଜ୍ଞାନ ପ୍ରଦାନ କରନ୍ତି । ଏହି ପବିତ୍ର ଭାର ବହନକରି ଶିଷ୍ୟ ଯନ୍ତ୍ରବତ୍‌ କାର୍ଯ୍ୟ କରିଥାନ୍ତି । ଏହାଦ୍ୱାରା ଜଗତର କଲ୍ୟାଣ ହୋଇଥାଏ ଏବଂ ଶିଷ୍ୟ ମଧ୍ୟ ଉଦ୍ଧାର ହୋଇଥାଏ । ଉତ୍ତମ ଶିଷ୍ୟ ଦିନେ ଉତ୍ତମ ଗୁରୁରେ ପରିଣତ ହୁଏ । ଶ୍ରୀଗୁରୁଦେବଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବାକୁ "ସେବା' କୁହାଯାଏ । ଗୁରୁଙ୍କ ସେବା କରି ଲାହିଡ଼ି ବାବା, ଯୁକ୍ତେଶ୍ୱର, ଯୋଗାନନ୍ଦ, ହରିହରାନନ୍ଦ, ସ୍ୱାମୀ ବିବେକାନନ୍ଦ, ଆରୁଣି, ଏକଲବ୍ୟ ନିଜ ଜୀବନକୁ ଧନ୍ୟ କରିଥିଲେ । ଉତ୍ତମ ଶିଷ୍ୟ ଗୁରୁଙ୍କଠାରେ ଭଗବାନଙ୍କୁ ଦର୍ଶନ କରେ ଓ ଭଗବାନଙ୍କଠାରେ ଗୁରୁଙ୍କୁ ଦର୍ଶନ କରେ । ଗୁରୁଦେବ ହେଉଛନ୍ତି ନରଦେହଧାରୀ ଭଗବାନ । ସେଇଥିପାଇଁ ଭାଗବତ କହନ୍ତି "ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ୱର’ । ଯିଏ ନିଜକୁ ପୂର୍ଣ୍ଣମାତ୍ରାରେ ଗୁରୁଙ୍କ ପାଖରେ ସମର୍ପଣ କରେ ସେ ଶିଷ୍ୟ ହୁଏ । ଆମର ଜୀବନ ପ୍ରତ୍ୟେକଟି ସମୟରେ ସରି ସରି ଆସୁଛି । ନିଜ ଜୀବନକୁ ଧନ୍ୟ କରିବାକୁ ହେଲେ ଆମକୁ ଗୁରୁମୁଖୀ ହୋଇ ସାଧନା କରିବାକୁ ହେବ । 

​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।