Welcome!

Unlock your personalized experience.
Sign Up

ଚାରା ରୋପଣ ଲକ୍ଷ୍ୟଠାରୁ ଅରଣ୍ୟ ପର୍ଯ୍ୟନ୍ତ

Jul 20, 2026 - 14:56
ଚାରା ରୋପଣ ଲକ୍ଷ୍ୟଠାରୁ ଅରଣ୍ୟ ପର୍ଯ୍ୟନ୍ତ

ସାରା ଦେଶରେ ଜୁଲାଇ ମାସରେ ବନ ମହୋତ୍ସବ ବହୁ ଆଡମ୍ବବର ସହ ପାଳନ ହୁଏ । ଏହି ସମୂହ ବୃକ୍ଷରୋପଣ ପର୍ବରେ ଭିନ୍ନ ଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥାନ ଏବଂ ନାଗରିକ ସଂଗଠନଗୁଡ଼ିକ ଅତି ଆଗ୍ରହର ସହ ଭାଗ ନିଅନ୍ତି । କିଛି ଦିନର ବ୍ୟବଧାନରେ ଲକ୍ଷ ଲକ୍ଷ ଚାରା ଖାଲି ସ୍ଥାନମାନଙ୍କରେ ରୋପଣ କରାଯାଏ । ସବୁଜୀକରଣର ଏହି ପ୍ରୟାସ ନିଃସନ୍ଦେହରେ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳ ପରିବେଶର ବାର୍ତ୍ତା ଦିଏ । ଏହା ନାଗରିକମାନଙ୍କୁ ଦେଶର ସବୁଜ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦିଏ । ଏଇ ବାର୍ଷିକ ଉତ୍ସାହ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତଥାପି ଆସେ- ଆମେ କ'ଣ ଜଙ୍ଗଲ ସୃଷ୍ଟି କରୁଛୁ, ନା ଆମେ କେବଳ ଚାରା ରୋପଣ କରୁଛୁ?

ଅନେକ ଦଶନ୍ଧି ଧରି ବନୀକରଣ କାର୍ଯ୍ୟକ୍ରମଗୁଡ଼ିକୁ ସଂଖ୍ୟା ବୃଦ୍ଧି ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରାଯାଉଛି । ଏକ ଅଭିଯାନର ସଫଳତା ବଣ୍ଟାଯାଇଥିବା ତଥା ଲଗାଯାଇଥିବା ଚାରାର ସଂଖ୍ୟା ଦ୍ୱାରା ମପାଯାଉଛି । ଏହି ମାନକ ପଦ୍ଧତି ଅପେକ୍ଷାକୃତ ସହଜ ଏବଂ ରିପୋର୍ଟ ତିଆରି ପାଇଁ ମଧ୍ୟ ସୁବିଧାଜନକ । କିନ୍ତୁ ଏହା ଉପଯୁକ୍ତ ଭାବେ ପରିବେଶଗତ ସବୁଜ ସଫଳତାକୁ ପ୍ରତିଫଳିତ କରିପାରେନାହିଁ । କାରଣ ରୋପଣ କରାଯାଇଥିବା ଚାରାସବୁ ସ୍ଥାୟୀ ବୃକ୍ଷ ନୁହନ୍ତି, କେବଳ ଏକ ସବୁଜ ଭିତ୍ତିଭୂମିର ସ୍ଥାପନା । ବୃକ୍ଷରୋପଣ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ମାଟିରେ ପୋତାଯାଇଥିବା ଚାରାର ସଂଖ୍ୟା ଉପରେ ନୁହେଁ, ବରଂ ମାସ ଓ ବର୍ଷ ବର୍ଷ ପରେ ଚାରା ଉପରେ କ'ଣ ଘଟିଯାଇଛି ତାହା ଉପରେ ନିର୍ଭର କରେ । ପ୍ରଶ୍ନ ରୁହେ- କେତେ ଚାରା ବଞ୍ଚିରହୁଛି, କେତେ ସଂଖ୍ୟକ ପରିପକ୍ୱ ଗଛରେ ପରିଣତ ହେଉଛି, କେତେ ମାତ୍ରାରେ ଜୈବବିବିଧତା ଆସିପାରିଛି, ମୃତ୍ତିକା ତଥା ଭୂତଳ ଜଳ ସଂରକ୍ଷଣ ଏବଂ ଜଳବାୟୁ ସ୍ଥିରତାରେ ଅବଦାନ ରଖିଛି ଇତ୍ୟାଦି । ଏହିପରି ପ୍ରଶ୍ନଗୁଡ଼ିକ ନିର୍ଣ୍ଣୟ କରେ ଯେ, ଏହି ସାବର୍ଜନୀନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପଯୁକ୍ତ ପରିମାଣରେ ସ୍ଥାୟୀ ପରିବେଶଗତ ମୂଲ୍ୟ ସୃଷ୍ଟିକରିଛି କି ନାହିଁ ।

ବିଶ୍ୱରେ ବଢ଼ୁଥିବା ପରିବେଶଗତ ସମସ୍ୟାର ସମାଧାନ ପାଇଁ ବୃକ୍ଷରୋପଣର ଲକ୍ଷ୍ୟ ଏବଂ ସେଥିରୁ ଉତ୍ପନ୍ନ ଜଙ୍ଗଲର ଫଳାଫଳ ମଧ୍ୟରେ ରହୁଥିବା ପାଥର୍କ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ମଣିଷ ଜୀବନରେ କ୍ରମଶଃ ଅଧିକ କଠିନତା ଆଣୁଛି । ସହରଗୁଡ଼ିକ ବଢ଼ୁଥିବା ତାପମାତ୍ରା ପ୍ରକୋପରେ ତ୍ରାହିତ୍ରାହି ଡାକ ଦେଲେଣି । ଅନେକ ସ୍ଥାନରେ ଭୂତଳ ଜଳ ସ୍ତର ଚିନ୍ତାଜନକ ଭାବେ ନିମ୍ନଗାମୀ ହୋଇସାରିଛି । ପ୍ରାକୃତିକ ସମ୍ପଦଗୁଡ଼ିକ ବିକାଶ ପ୍ରସାରଣରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ଜଟିଳ ପରିସ୍ଥିତିରେ, ବନୀକରଣ ଏକ ପ୍ରତୀକାତ୍ମକ କାର୍ଯ୍ୟକଳାପରୁ ଉନ୍ନୀତ ହୋଇ ଏକ ରଣନୈତିକ ହସ୍ତକ୍ଷେପ ପରି ହେବା ଆବଶ୍ୟକ । ତେଣୁ ପ୍ରତ୍ୟେକ ବୃକ୍ଷରୋପଣ ଅଭିଯାନକୁ ଏକ ଆନୁଷ୍ଠାନିକ ପର୍ବ ନୁହେଁ, ବରଂ ପରିବେଶ ପୁନରୁଦ୍ଧାରର ଏକ ଦୀର୍ଘକାଳୀନ ପ୍ରକ୍ରିୟା ଭାବରେ ବିଚାର କରିବାକୁ ହେବ ।

ବୃକ୍ଷରୋପଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ଆଶା ଅନୁରୂପ ଜଙ୍ଗଲ ବୃଦ୍ଧି ନକରିବାର କାରଣ ହେଉଛି ବୃକ୍ଷର ସ୍ୱାଭାବିକ ବୃଦ୍ଧି କ୍ରମକୁ ଅଣଦେଖା କରି କେବଳ ଚାରାରୋପଣ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବା ଆମର ପ୍ରବୃତ୍ତି । ଚାରାରୋପଣ କାର୍ଯ୍ୟ ତୁରନ୍ତ ଦୃଶ୍ୟମାନ ହୁଏ । ଅପରପକ୍ଷରେ, ବୃକ୍ଷର ପ୍ରାକୃତିକ ବୃଦ୍ଧିପାଇଁ କଠିନ ଧୈର୍ଯ୍ୟ, ତଦାରଖ ଏବଂ ବର୍ଷ ବର୍ଷର ଅବିଚ୍ଛିନ୍ନ ପ୍ରୟାସ ଆବଶ୍ୟକତା ରହୁଛି । ବନ ମହୋତ୍ସବ ସମୟରେ ଲକ୍ଷ ଲକ୍ଷ ଚାରା ରୋପଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣର କଥା ଘୋଷଣା କରାଯାଇପାରିବ । ସଂଖ୍ୟାଟି ଠିକ୍ ହୋଇପାରେ, କିନ୍ତୁ ଯଦି ଦୁଇ ବର୍ଷ ପରେ ସେହି ଚାରା ମଧ୍ୟରୁ କେବଳ ଅଧା ବା ତାହାଠାରୁ କମ୍ ବଞ୍ଚିରୁହେ ତେବେ ପୂର୍ବର ଘୋଷଣାର ମୂଲ୍ୟ କ'ଣ ରହିଲା? ଯଦି ଦୀର୍ଘ ସମୟ ଧରି ଜଳାଭାବଜନିତ ପରିସ୍ଥିତି, ପଶୁଚାରଣର ସମସ୍ୟା, ଦୁର୍ବଳ ରକ୍ଷଣାବେକ୍ଷଣ କିମ୍ବା ଅନୁପଯୁକ୍ତ ସ୍ଥାନ ଆଦି ଯଦି ବଞ୍ଚିବା ହାରକୁ ବହୁ ପରିମାଣରେ ହ୍ରାସ କରେ ତେବେ କ'ଣ ହେବ? ଫଳାଫଳ ପ୍ରାରମ୍ଭିକ ସଫଳତା ଅପେକ୍ଷା ଯଥେଷ୍ଟ କମ୍ ହୋଇଯିବ । ଦୁର୍ଭାଗ୍ୟବଶତଃ, ଏପରି ପରିସ୍ଥିତି ଅତି ସାଧାରଣ ହୋଇଯାଉଛି ।

ଅନେକ ସମୟରେ, ବୃକ୍ଷରୋପଣ ଅଭିଯାନକୁ ଦୀର୍ଘକାଳୀନ ପରିବେଶଗତ ନିବେଶ ପରିବର୍ତ୍ତେ ଅଳ୍ପସ୍ଥାୟୀ ପ୍ରକଳ୍ପ ଭାବରେ ବିବେଚନା କରାଯାଏ । ପ୍ରାୟତଃ ରକ୍ଷଣାବେକ୍ଷଣ ପ୍ରତି ତୁଳନାତ୍ମକ ଭାବରେ ବହୁ କମ୍ ଧ୍ୟାନ ଦିଆଯାଏ । ପ୍ରତ୍ୟେକ ବନ ରୋପଣ କାର୍ଯ୍ୟକ୍ରମରେ ପ୍ରଥମ କିଛି ବର୍ଷ ଏକ ଚାରା ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏକ ଚାରାକୁ ଏକ ମଣିଷ ଶିଶୁ ଭଳି ଭାବିନଲେ ବହୁ ସମସ୍ୟା ଜଳଜଳ ହୋଇ ଦେଖାଯାଏ ଓ ସମାଧାନ ମିଳିଯାଏ । ଏକ ଶିଶୁକୁ ସୁରକ୍ଷା, ପୋଷକତ୍ୱ ଏବଂ ସମୟ ମିଳିଲା ପରି ଏକ ଚାରାକୁ ମଧ୍ୟ ସମାନ ପରିବେଶ, ପୋଷକତ୍ୱ, ସୁରକ୍ଷା ଓ ସମୟ ଆବଶ୍ୟକ । ବୃକ୍ଷରୋପଣ ସଫଳ ହେବା ପାଇଁ ପଶୁ ଚାରଣରୁ ସୁରକ୍ଷା, ଉପଯୁକ୍ତ ଜଳର ବ୍ୟବସ୍ଥା, ମୃତ ଚାରାକୁ ବଦଳାଇବା ଏବଂ ଚାରା ବୃଦ୍ଧିର ତଦାରଖ କରିବା ଅତ୍ୟନ୍ତ ଜରୁରି ।

ବନୀକରଣର ଫଳାଫଳକୁ ପ୍ରଭାବିତ କରୁଥିବା ଅନ୍ୟ ଏକ ମୁଖ୍ୟ କାରଣ ହେଉଛି, ଠିକ୍ ପ୍ରଜାତି ଏବଂ ସ୍ଥାନର ଚୟନ । ପରିବେଶ ପୁନରୁଦ୍ଧାର ସ୍ଥାନ ଉପରେ ମଧ୍ୟ ନିର୍ଭର କରେ । ଏକପ୍ରକାରର ବନୀକରଣ ପଦ୍ଧତି ସବୁ ରୋପଣ ସ୍ଥାନରେ ଅନୁସରଣ କରାଯାଇପାରିବ ନାହିଁ । ଗୋଟିଏ ଅଞ୍ଚଳରେ ଠିକ୍ରେ ବଢ଼ିଥିବା ଗଛ ଅନ୍ୟ ଏକ ଅଞ୍ଚଳରେ ଭଲରେ ବଢ଼ିନପାରେ । ସେହିପରି, ବୃକ୍ଷରୋପଣ ପାଇଁ ଉପଲବ୍ଧ ଜମି ସୁସ୍ଥ ଗଛ ବୃଦ୍ଧି ପାଇଁ ଉପଯୁକ୍ତ ହୋଇନପାରେ । ଅନେକ କ୍ଷେତ୍ରରେ, ବୃକ୍ଷରୋପଣର ସ୍ଥାନଗୁଡ଼ିକୁ ପ୍ରାଥମିକ ଭାବରେ ପରିବେଶଗତ ଉପଯୁକ୍ତତା ଅପେକ୍ଷା ଜମିର ଉପଲବ୍ଧତା ଆଧାରରେ ଚୟନ କରାଯାଏ ଯାହା ସାଧାରଣତଃ କମ୍ ଉର୍ବର, ପତିତ ତଥା ଶୁଷ୍କଜମି ହୋଇଥାଏ । ଫଳରେ ଚାରା ବଞ୍ଚିବା ହାର ଏବଂ ପରିବେଶଗତ ଲାଭ ବହୁ କମ୍ ହୁଏ । ତେଣୁ ଏକ ସଫଳ ବନୀକରଣ ପାଇଁ ସ୍ଥାନୀୟ ପରିସ୍ଥିତି ଯଥା ମାଟିର ଗୁଣବତ୍ତା, ବର୍ଷାର ପରିମାଣ ଏବଂ ସମୟ, ଭୂତଳ ଜଳର ଉପଲବ୍ଧତା, ପାଖରେ ଅନ୍ୟ ବୃକ୍ଷର ଉପସ୍ଥିତି ଏବଂ ସେହି ଉଦ୍ଭିଦ ସଂପ୍ରଦାୟର ଉପାଦେୟତାକୁ ବୁଝିବା ଦରକାର ।

ବୃକ୍ଷର ପ୍ରଜାତି ଚୟନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଦ୍ରୁତ ବଢ଼ୁଥିବା କିସମଗୁଡ଼ିକ ଶୀଘ୍ର ଦୃଶ୍ୟମାନ ଫଳାଫଳ ଦେଇପାରେ, କିନ୍ତୁ ପରିବେଶ ପୁନରୁଦ୍ଧାର ଦୃଷ୍ଟିକୋଣରୁ ଏତେ ଉପଯୋଗୀ ହୋଇନପାରେ । ଦେଶୀୟ ପ୍ରଜାତିର ବୃକ୍ଷଗୁଡ଼ିକ ସାଧାରଣତଃ ସ୍ଥାନୀୟ ପରିସ୍ଥିତି ସହିତ ଭଲଭାବରେ ଖାପ ଖୁଆଇଥାନ୍ତି ଏବଂ ଜୈବ ବିବିଧତା ଦିଗରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତି । ସେହି ସ୍ଥାନର ପଶୁ, ପକ୍ଷୀ, କୀଟପତଙ୍ଗ ଏବଂ ଅନ୍ୟ ପ୍ରକାରର ବନ୍ୟପ୍ରାଣୀ ଏହି ପ୍ରଜାତି ସହିତ ବିକଶିତ ହୋଇଛନ୍ତି, ଖାଦ୍ୟ ଏବଂ ବାସସ୍ଥାନ ପାଇଁ ସେମାନଙ୍କ ଉପରେ ନିର୍ଭରଶୀଳ ହୋଇଆସିଛନ୍ତି । ଏକ ସ୍ଥିର ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୋଟିଏ ପ୍ରଜାତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରେନାହିଁ, ବରଂ ଏହା ବିବିଧ ସ୍ଥାନୀୟ ପ୍ରଜାତିର ଚାରାରୋପଣ ତଥା ସ୍ଥିର ପରିବେଶ ସୃଷ୍ଟି ଉପରେ ଧ୍ୟାନ ଦେଇଥାଏ । ତେଣୁ ବନ ମହୋତ୍ସବ ଜ୍ଞାନ ଓ ବୁଦ୍ଧି ସହ ଭବିଷ୍ୟତ ପାଇଁ ଏକ ପ୍ରେରଣାଦାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଟେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଏବଂ ସଂପ୍ରଦାୟର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପୂର୍ବର ଅଭିଜ୍ଞତା ପ୍ରମାଣ କରିଛି ଯେତବଳେ ସ୍ଥାନୀୟ ଲୋକମାନେ କେଉଁ କାର୍ଯ୍ୟକ୍ରମ ଭିତରେ ନିଜତ୍ୱ ଭାବନା ଅନୁଭବ କରନ୍ତି, ସେତେବେଳେ ସେହି କାର୍ଯ୍ୟକ୍ରମ ସଫଳ ହୋଇଛି । ତେଣୁ, ଯେତେବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସାମୁଦାୟିକ ଜୀବନର ଏକ ଅଂଶ ହୋଇଯାଏ ସେତେବେଳେ ଏହାର ସଫଳତା ଆସିଥାଏ । ବୃକ୍ଷରୋପଣ ସ୍ଥଳଗୁଡ଼ିକୁ ସୁରକ୍ଷା ଦେଉଥିବା ଗ୍ରାମ, ସବୁଜ କ୍ୟାମ୍ପସ ଗ୍ରହଣ କରୁଥିବା ସ୍କୁଲ, ସହରାଞ୍ଚଳରେ ସବୁଜ ସ୍ଥାନଗୁଡ଼ିକର ଯତ୍ନ ନେଉଥିବା କଲ୍ୟାଣ ସଂଘମାନ ଏବଂ ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ପାଇଁ ପ୍ରତିବଦ୍ଧ ଶିଳ୍ପସଂସ୍ଥାନଗୁଡ଼ିକ ପ୍ରାୟତଃ ବୃକ୍ଷରୋପଣ ଉତ୍ସବ ପରେ ମଧ୍ୟ ନିଜର ଦାୟିତ୍ୱ ଉପରେ ଯତ୍ନଶୀଳ ରୁହନ୍ତି ଓ ସମାନ ଉତ୍ସାହ ସହ ଚାରାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ପାଇଁ ଦୃଷ୍ଟି ଦିଅନ୍ତି । ଏକ ସାର୍ବଜନୀନ ସ୍ଥାନରେ ଚାରାରୋପଣ ପରବର୍ତ୍ତୀ ଦୈନଦିନ ରକ୍ଷଣାବେକ୍ଷଣ କୌଣସି ସରକାରୀ ବିଭାଗ ଉପଯୁକ୍ତ ଭାବରେ ସବୁ ସ୍ଥାନରେ କରିପାରିବନାହିଁ ।

ସ୍ମରଣଯୋଗ୍ୟଯେ ବନୀକରଣ ପରି ଦୀର୍ଘକାଳୀନ କାର୍ଯ୍ୟକ୍ରମର ସଫଳତା କେବଳ ପ୍ରଯୁକ୍ତିବିଦ୍ୟା ବା ବିଭାଗୀୟ ଉପସ୍ଥିତି ଦ୍ୱାରା ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ସାଟେଲାଇଟ୍ ଇମେଜେରୀ, ଡ୍ରୋନ୍ ସର୍ଭେ, ଜିଓସ୍ପାଟିଆଲ୍ ମ୍ୟାପିଂ ଏବଂ ମୋବାଇଲ-ଆଧାରିତ ମନିଟରିଂ ସିଷ୍ଟମ ପୂର୍ବ ଅପେକ୍ଷା ଠିକ୍ଭାବରେ ବୃକ୍ଷରୋପଣ ସ୍ଥାନ ଏବଂ ବଞ୍ଚିବା ହାରକୁ ଜାଣିବାରେ ସାହାଯ୍ୟ କରିଥାଏ । ନିଷ୍ପତ୍ତି ନେଉଥିବା ଅଧିକାରୀମାନଙ୍କୁ ବୃକ୍ଷରୋପଣ କେଉଁ ହାରରେ ସଫଳ ହେଉଛି ଏବଂ କେଉଁ ସ୍ଥାନରେ ହସ୍ତକ୍ଷେପର ଆବଶ୍ୟକତା ରହିଛି ଆଦି ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରିଥାଏ । ଏଥିରୁ ମିଳୁଥିବା ତଥ୍ୟ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିଥାଏ, କିନ୍ତୁ ସେଗୁଡ଼ିକର ସମାଧାନ ପାଇଁ ସ୍ଥାନୀୟ ଅନୁଷ୍ଠାନ ଏବଂ ସଂପ୍ରଦାୟର ସହଯୋଗର ଆବଶ୍ୟକ ରହିଛି ।

ବନ ମହୋତ୍ସବ ଅନେକ ଦଶନ୍ଧି ଧରି ପରିବେଶ ସଚେତନତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ବୃକ୍ଷରୋପଣକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଛି ଏବଂ ଲକ୍ଷ ଲକ୍ଷ ନାଗରିକଙ୍କୁ ସବୁଜ ସଂରକ୍ଷଣ ପ୍ରୟାସରେ ମିଳିତ କରିଛି । ତଥାପି ଏକବିଂଶ ଶତାବ୍ଦୀର ପରିବେଶଗତ ଚ୍ୟାଲେଞ୍ଜଗୁଡ଼ିକ ଏକ ଗଭୀର ନିର୍ଣ୍ଣୟର ଆବଶ୍ୟକତା ରଖୁଛି । ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଇକୋସିଷ୍ଟମ ସୃଷ୍ଟି କରିବା ଅତି ଦରକାରୀ ହୋଇଯାଇଛି । ରିପୋର୍ଟରେ ଦର୍ଶାଯାଇଥିବା ଲକ୍ଷ ଲକ୍ଷ ଚାରା ନୁହେଁ, ସହସ୍ର ସହସ୍ର ସଂଖ୍ୟାରେ ସ୍ଥାନୀୟ ବୃକ୍ଷର ଆବଶ୍ୟକତା ରହିଛି । ଏହି ବୃକ୍ଷମାନ ଦୀର୍ଘ ସମୟ ଧରି ବଞ୍ଚିରହିବେ ଏବଂ ପରିବେଶ ସ୍ଥିରତାରେ ଯୋଗଦାନ କରିବେ ।

ବନୀକରଣ ସଫଳତାର ମାପର ଭାଷାକୁ ପୁନଃଲେଖ କରିବା ଅତି ଆବଶ୍ୟକ । କେବଳ ରୋପଣ କରାଯାଇଥିବା ଚାରାର ସଂଖ୍ୟା ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ବଞ୍ଚିବା ହାର, ଆକାଶରେ କାନୋପି ବା ସବୁଜ ଛାତର ବିକାଶ, ଜୈବ ବିବିଧତାର ଲାଭ, ମୃତ୍ତିକାର ସଂରକ୍ଷଣ, ଉନ୍ନତି ଏବଂ ଜଳ ସଂରକ୍ଷଣର ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ । ଏହି ସୂଚକାଙ୍କଗୁଡ଼ିକ ସଂଖ୍ୟା ଅପେକ୍ଷା ଗୁଣବତ୍ତା ଉପରେ ପ୍ରାଥମିକତା ଦେଇଥାଏ ।

ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଦାୟିତ୍ୱର ସହ ପରିବେଶ ଉନ୍ନତି ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଉଛି । ଗଛ ଲଗାଇବା ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ ରହିବ, କିନ୍ତୁ କେବଳ ବୃକ୍ଷରୋପଣ ଯଥେଷ୍ଟ ନୁହେଁ । ସଫଳତାର ପ୍ରକୃତ ମାପକାଠି ହେଉଛି ବର୍ଷ ବର୍ଷ ପରେ ଭୂମି ଉପରେ କ'ଣ ଦଣ୍ଡାୟମାନ ରହିଛି ଓ ତାହାର ମୂଲ୍ୟାଙ୍କନ । ବୃକ୍ଷରୋପଣ ଦିନ ଜଙ୍ଗଲ ସୃଷ୍ଟି ହୁଏନାହିଁ, ସେଗୁଡ଼ ିକ ବର୍ଷ ବର୍ଷର ଯତ୍ନ, ସୁରକ୍ଷା ଏବଂ ପ୍ରାକୃତିକ ବୃଦ୍ଧି ମାଧ୍ୟମରେ ସୃଷ୍ଟି ହୋଇଥାଏ । ତେଣୁ ଚାରା ଗଣନା ଗଣିତରୁ ବାହାରି ଜନମାନସରେ ଦୀର୍ଘସ୍ଥାୟୀ ବନୀକରଣର ଭାବନା ଆଣିବା ଅତି ଆବଶ୍ୟକ । ତେବେ ବନ ମହୋତ୍ସବ ଏକ ପ୍ରତୀକାତ୍ମକ ବାଷି ର୍କ ଚାରାରୋପଣ କାର୍ଯ୍ୟକ୍ରମରୁ ପରିବତ୍ତି ର୍ତ ହୋଇ ପରିବେଶଗତ ସମୃଦ୍ଧିକରଣ ପାଇଁ ଦେଶର ଏକ ଶକ୍ତିଶାଳୀ ଉପକରଣ ହୋଇପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।