ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ମିଳିଛି ୭୫.୪୩ କୋଟି ଟଙ୍କା ସହାୟତା
ଭୁବନେଶ୍ବର,୨୭।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ‘କଳା ସଂସ୍କୃତି ବିକାଶ ଯୋଜନା (କେଏସଭିଓ୍ବାଇ)’ ଅନୁସାରେ ଓଡିଶାର ୯୬୬୦ ଜଣ କଳାକାର ଓ କଳା ସଂଗଠନକୁ ମୋଟ୍ ୭୫ କୋଟି ୪୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଲୋକସଭାରେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ସୂଚନା ଦେଇଛନ୍ତି।
୨୦୨୧-୨୨ରେ ୧୧୮୮ ଜଣଙ୍କୁ ୮ କୋଟି ୧୦ ଲକ୍ଷ ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୪-୨୫ରେ ୨୪୦୧ ଜଣଙ୍କୁ ୨୧ କୋଟି ୩୦ ଲକ୍ଷ ୫ ହଜାର ଟଙ୍କା ଓ ୨୦୨୫-୨୬ରେ ୨୮୨୨ ଜଣଙ୍କୁ ୩୩ କୋଟି ୬୮ ଲକ୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ତେବେ କେଏସଭିଓ୍ବାଇ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଏହାର ଜିଲ୍ଲାୱାରୀ ତଥ୍ୟ ରଖାଯାଇ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜାତୀୟ ସ୍ତରରେ ସମ୍ବଲପୁରୀ ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଲୋକ ପରମ୍ପରାର ପ୍ରସାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ।
ସାଂସଦ ସିଂହଦେଓଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେଏସଭିଓ୍ବାଇ କଳା ଏବଂ ସଂସ୍କୃତିର ପ୍ରସାର ପାଇଁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ, ଏହାର କୌଣସି ଜିଲ୍ଲା/ଅଞ୍ଚଳ ଭିତ୍ତିକ ତଥ୍ୟ ଉପଲବ୍ଧ ନାହିଁ। ତଥାପି, ସଂସ୍କୃତି ମନ୍ତ୍ରଣାଳୟ ଗ୍ରାମୀଣ ଏବଂ ଅବହେଳିତ ଗୋଷ୍ଠୀ ସମେତ ସମସ୍ତଙ୍କ ପାଖରେ ଏହାର ଯୋଜନାଗୁଡ଼ିକର ପହଞ୍ଚ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏହି ସମ୍ବନ୍ଧରେ, ଯୋଜନାର ଦିଗଦର୍ଶନ ଏବଂ ଆବେଦନ ଫର୍ମଗୁଡ଼ିକ ମନ୍ତ୍ରଣାଳୟର ସରକାରୀ ୱେବସାଇଟରେ ଉପଲବ୍ଧ କରାଯାଇଛି। ଏହା ବ୍ୟତୀତ, ସମ୍ବାଦପତ୍ର, ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍, ଏବଂ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସମ୍ପୃକ୍ତ ନୋଡାଲ ଏଜେନ୍ସିଗୁଡ଼ିକ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ‘କଳା ସଂସ୍କୃତି ବିକାଶ ଯୋଜନା (କେଏସଭିଓ୍ବାଇ)’ ଅଧୀନରେ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ନାଟ୍ୟକଳା ସମେତ ବିଭିନ୍ନ କଳାର ପ୍ରୋତ୍ସାହନ ପାଇଁ ଯୋଗ୍ୟ କଳାକାର ଏବଂ ସାଂସ୍କୃତିକ ସଂଗଠନମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହି ଯୋଜନା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଜିଲ୍ଲାଭିତ୍ତିକ ତଥ୍ୟ ସଂରକ୍ଷିତ କରାଯାଏ ନାହିଁ।
ଆହୁରି ପଢନ୍ତୁ : ଟ୍ୟାକ୍ସ ଡିପୋଜିଟ୍ ନ କରି ଗାଡି ଚଳାଇବା ମହଙ୍ଗା ପଡିଲା : ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କା ଜରିମାନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।