କୃଷି-ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ବ୍ୟାଙ୍କ ସହଯୋଗ କରନ୍ତୁ : କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, ୨୯ ।୭: କୃଷି କ୍ଷେତ୍ରକୁ ଏକ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆ କୃଷି-ଉଦ୍ୟୋଗୀମାନଙ୍କୁ ସମୟସୀମା ମଧ୍ୟରେ ଆବଶ୍ୟକ ଋଣ ଯୋଗାଇ ଦେବାରେ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ରାଜ୍ୟର ସମସ୍ତ ବ୍ୟାଙ୍କ ସହଯୋଗ କରନ୍ତୁ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା କହିଛନ୍ତି।
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ (APICOL) ସଂସ୍ଥା ଦ୍ୱାରା ଭୁବନେଶ୍ୱରର ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ୍, ଏପିକଲ୍ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, SLBC ସଂଯୋଜକ, ନାବାର୍ଡ ଓ ଆର୍.ବି.ଆଇର ଜେନେରାଲ ମ୍ୟାନେଜର, ସମସ୍ତ ଜିଲ୍ଲାର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDMs) ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଯୁବକ, ମହିଳା ଉଦ୍ୟୋଗୀ ଓ ଫାର୍ମର ପ୍ରଡ୍ୟୁସର ଅର୍ଗନାଇଜେସନ ମାନଙ୍କୁ ସହାୟତା କରିଥିବାରୁ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଏପିକଲ୍ର ପ୍ରଶଂସା କରିଥିଲେ। ରାଜ୍ୟରେ କୃଷି-ବ୍ୟବସାୟକୁ ଆଗକୁ ନେବା ପାଇଁ ସରକାର ଆଗାମୀ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏପିକଲ୍କୁ ୨,୪୯୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ।
ଏହି ବୈଠକରେ କୃଷି-ଉଦ୍ୟୋଗୀଙ୍କୁ ସହଜରେ ଋଣ ଦେବା, ବ୍ୟାଙ୍କ ଓ ସରକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଏବଂ ଗାଁର ଯୁବକ ଓ ମହିଳାମାନଙ୍କୁ କୃଷି-ବ୍ୟବସାୟରେ ଅଧିକରୁ ଅଧିକ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ବ୍ୟାଙ୍କ ଓ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଆହୁରି ପଢନ୍ତୁ : ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା : ରାଜସ୍ବ ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।