Welcome!

Unlock your personalized experience.
Sign Up

କାଠଯୋଡ଼ିରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବାକୁ ପୁଲିସର ତନାଘନା, ଆଗକୁ ହୋଇପାରେ DNA ଟେଷ୍ଟ

Jul 10, 2026 - 11:23
କାଠଯୋଡ଼ିରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବାକୁ ପୁଲିସର ତନାଘନା, ଆଗକୁ ହୋଇପାରେ DNA ଟେଷ୍ଟ

କଟକ, ୧୦/୦୭:  କାଠଯୋଡ଼ି ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ପୁରୀଘାଟ ଥାନା ପୁଲିସ ମୃତଦେହକୁ ଦେବୀଗଡ଼ାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପଠାଇଛି । ମୃତ ମହିଳାଙ୍କ ବୟସ ପ୍ରାୟ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ । ମହିଳାଙ୍କ ପରିଚୟ ତଥା ଶରୀରରୁ ମୁଣ୍ଡ କେମିତି ଅଲଗା ହେଲା ତାହା ଜାଣିବା ପାଇଁ ପୁଲିସ ଜୋରଦାର ତଦନ୍ତ କରୁଛି । ପରିଚୟ ପାଇଁ ଆବଶ୍ୟକସ୍ଥଳେ ଡିଏନ୍ଏ ପରୀକ୍ଷା କରାଯିବ । ଗତ ଦୁଇ ମାସରେ ତୃତୀୟ ଥର ପାଇଁ କାଠଯୋଡ଼ିରୁ ଅଜଣା ମହିଳାଙ୍କ ମୃତଦେହ ମିଳିଛି । ଗତ ମେ’ ମାସରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ ନିକଟରୁ ଜଣେ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର କରାଯାଇଥିଲା । ସେହିପରି ଦେବୀଗଡ଼ା ଅପରପାଶ୍ୱର୍ କାଠଯୋଡ଼ିର ମୁକାମେଶ୍ୱର ନିକଟରୁ ମଧ୍ୟ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ଦୁଇଟିଯାକ ମାମଲାରେ ପୁଲିସ ଏଯାବତ୍ ମୃତକଙ୍କ ପରିଚୟ ଜାଣିବାରେ ସଫଳ ହୋଇନାହିଁ ।

ଅଧିକ ପଢ଼ନ୍ତୁ :-  ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ, ମିଳିଲାନି କୌଣସି ପ୍ରମାଣ,୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

ଗୁରୁବାର ସନ୍ଧ୍ୟାରେ କାଠଯୋଡ଼ିର ଦେବୀଗଡ଼ା ପାଖରେ କିଛି ଗୋଟେ ଭାସୁଥିବା ସ୍ଥାନୀୟ ଜଣେ ଯୁବକ ଦେଖିଥିଲେ । କୂଳରେ କମ୍ ପାଣିଥିବାରୁ ସେ ନଦୀରେ ପଶିଥିଲେ ଓ ମୃତଦେହ ଭାସୁଥିବା ଦେଖିଥିଲେ । କୂଳକୁ ଟାଣିଆଣି ଦେଖିଲା ବେଳକୁ ତାହା ଜଣେ ମହିଳାଙ୍କ ମୁଣ୍ଡ ନଥିବା ମୃତଦେହ । ସଙ୍ଗେସଙ୍ଗେ ନିକଟବର୍ତ୍ତୀ ପୁରୀଘାଟ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଆସି ଯାଞ୍ଚ୍ କରିବାରୁ ମୃତଦେହର ଡାହାଣ ହାତରେ ଏକାଧିକ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ମହିଳାଙ୍କ ମୁଣ୍ଡକୁ କିଏ ହାଣି ଅଲଗା କରିଛି ବା ପାଣିରେ ପଡ଼ିବା ପରେ କେଉଁଠାରେ ମାଡ଼ ହୋଇ ମୁଣ୍ଡ ଅଲଗା ହୋଇଛି ତାହା ଜଣାପଡ଼ିନି । ପରିଚୟ ଜାଣିବା ପାଇଁ ପୁଲିସ ପକ୍ଷରୁ ତୁରନ୍ତ ରାଜ୍ୟ ତମାମ୍ ପୁଲିସ ଷ୍ଟେସନ୍‌କୁ  ମହିଳାଙ୍କ ଫଟୋ ପଠାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।