WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦଘାଟିତ

Jul 01, 2026 - 19:23
ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦଘାଟିତ

ଭୁବନେଶ୍ୱର, ୧।୭ : ବିଧାନ ସଭା ପକ୍ଷରୁ ପ୍ରସ୍ତୁତ ଦୁଇଟି ମୂଲ୍ୟବାନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । କଫିଟେବୁଲ ବୁକ ‘Presiding with Purpose- Two Years Legislative Journey of Speaker Surama Padhy’ ଏବଂ ‘Two Years of Transformative Leadership Under Speaker Surama Padhy’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତ। ଏଥିସହ ବିଧାନସଭା ପରିସରରେ ଗୋଟିଏ ନୂଆ ଫିଜିଓଥେରାପି ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁସ୍ତକରେ ବିଧାନ ସଭାର ଦୁଇ ବର୍ଷର କାର୍ଯ୍ୟକଳାପକୁ ନିଖୁଣ ଭାବରେ ଫଟୋଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇଛି । । ସାଧାରଣ ଜନତା, ବୁଦ୍ଧିଜୀବୀ, ଗବେଷକ, ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ଆଗ୍ରହ ବଢାଇବା ସହିତ ଆମ ବିଧାନ ସଭାର ଗରିମାକୁ ଏହି ପୁସ୍ତକଦ୍ୱୟ ଆହୁରି ଉଜ୍ଜ୍ୱଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ଦୁଇ ବର୍ଷ ମଧ୍ୟରେ ନୂତନ ବିଧାୟକମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିର ଓ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀର ସୁନ୍ଦର ଚିତ୍ର ଏଥିରେ ସ୍ଥାନ ପାଇଛି । ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଏବଂ ବିଧାନ ସଭାରେ ତାଙ୍କର ପ୍ରଥମ ଅଭିଭାଷଣ ଓଡ଼ିଶାର ସଂସଦୀୟ ଇତିହାସର ଏକ ବିରଳ ଓ ଚିରସ୍ମରଣୀୟ ଘଟଣା । ଆଗାମୀ ଦିନରେ ଏହି ପୁସ୍ତକ ଆମ ଯୁବପିଢ଼ି ଓ ଗବେଷକମାନଙ୍କ ପାଇଁ ଏକ ଅମୂଲ୍ୟ ପୁସ୍ତକ ହେବ।

ଏହି ଫିଜିଓଥେରାପି କେନ୍ଦ୍ର ମାଧ୍ୟମରେ ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ସେମାନଙ୍କ ସମ୍ପର୍କୀୟ ଏବଂ ଓଡ଼ିଶା ବିଧାନ ସଭା ଅଧିକାରୀ ଓ କର୍ମଚାରୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୟୋଜ୍ୟେଷ୍ଠ ପୂର୍ବତନ ବିଧାୟକମାନେ ଏହା ମାଧ୍ୟମରେ ବହୁଳ ଭାବେ ଉପକୃତ ହେବେ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଗତ ଦୁଇ ବର୍ଷ ଭିତରେ ବିଧାନ ସଭାରେ ଅନେକ ଐତିହାସିକ ଘଟଣା ଘଟି ଯାଇଛି । ଅନେକ ପ୍ରଭାବଶାଳୀ ଆଇନ ପାରିତ ହେବା ସହ ବିଧାନସଭାର ସମସ୍ତ ପ୍ରକ୍ରିୟା ଡିଜିଟାଇଜ କରାଯାଇପାରିଛି । ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭା ଏକ ଆଦର୍ଶ ବିଧାନ ସଭା ଭାବରେ ସବୁ ରାଜ୍ୟର ବିଧାନ ସଭା ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ କଫି ଟେବୁଲ୍ ବୁକ୍ରେ ବିଗତ ଦୁଇବର୍ଷରେ ବିଧାନସଭାର କାର୍ଯ୍ୟକ୍ରମ ସମ୍ବଳିତ ଫଟୋଚିତ୍ର ସ୍ଥାନ ପାଇଛି । ନୂତନ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିଧାନସଭାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ, ଜନକଲ୍ୟାଣକାରୀ ଆଇନ ପ୍ରସ୍ତୁତ କାର୍ଯ୍ୟକ୍ରମ, ପାଟନା, ଲକ୍ଷ୍ନୌ, ଜୟପୁର ଓ ମୁମ୍ବାଇ ଠାରେ ଅନୁଷ୍ଠିତ ସର୍ବଭାରତୀୟ ପିଠାସୀନ ଅଧିକାରୀମାନଙ୍କର ସମ୍ମିଳନୀ ସମ୍ପର୍କିତ ବିଶଦ ଫଟୋ ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଛି ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତି ଯେ ବିଧାନସଭାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ Commonwealth Parliamentary Association ର ବାର୍ଷିକ ସମ୍ମିଳନୀରେ ବିଧାନସଭା ତରଫରୁ ଯୋଗଦାନ ଓ ବିଭିନ୍ନ ଗଣତାନ୍ତ୍ରିକ ବିଧି, ବ୍ୟବସ୍ଥା ଉପରେ ଆଲୋଚନା ଇତ୍ୟାଦିର ଫଟୋଚିତ୍ର ଏହି ପୁସ୍ତକକୁ ଅଧିକ ଋଦ୍ଧିମନ୍ତ କରିଛି ।

ଏହି ଅବସରରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ ,ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ, ବିଧାୟକଗଣ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।