ଏସି, ଏସଟି ନିର୍ଯାତନା ମାମଲାର ଶୀଘ୍ର ବିଚାର ପାଇଁ ଗଠନ ହେବ ୬ ସ୍ବତନ୍ତ୍ର କୋର୍ଟ
ଭୁବନେଶ୍ୱର,୨୨ ।୭ : ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ଉକ୍ତ କୋର୍ଟରେ କରାଯିବ।
ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବେ। ଏଗୁଡ଼ିକ ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁର), ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ-ଡିଭିଜନ୍ ପରିସୀମା ମଧ୍ୟରେ କାର୍ଯ୍ୟକାରୀ ହେବ। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯାଇଛି। ଏହି ବିଜ୍ଞପ୍ତି ପରେ, ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଏହି ନୂତନ କୋର୍ଟଗୁଡ଼ିକ ପାଇଁ ବିଚାରପତି ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି।
ପୋଲିସ ମୁଖ୍ୟାଳୟର ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (SHRPC) ର ନିରନ୍ତର ସମୀକ୍ଷା ଓ ପ୍ରୟାସ ଫଳରେ ଏହି ପ୍ରସ୍ତାବ ସାକାର ହୋଇପାରିଛି। ଏଡିଜିପି ଯତୀନ୍ଦ୍ର କୋୟଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ପ୍ରଚେଷ୍ଟା ବଳରେ ପେଣ୍ଡିଂ ମାମଲାର ସଠିକ୍ ଆକଳନ କରାଯାଇ ଗୃହ ବିଭାଗ ମାଧ୍ୟମରେ ହାଇକୋର୍ଟଙ୍କ ଆବଶ୍ୟକୀୟ ସ୍ୱୀକୃତି ହାସଲ କରାଯାଇପାରିଛି।
ଆହୁରି ପଢନ୍ତୁ : ହୀରାକୁଦ ଜଳଭଣ୍ଡାରରୁ ୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।