Welcome!

Unlock your personalized experience.
Sign Up

ଉତ୍କଳମଣି ଗୋପବନ୍ଧୁ: କାଳରୁ କାଳାନ୍ତର

Jul 14, 2026 - 14:40
ଉତ୍କଳମଣି ଗୋପବନ୍ଧୁ: କାଳରୁ କାଳାନ୍ତର

ଗୋପବନ୍ଧୁଙ୍କ ନାମ ଉଚ୍ଚାରଣ ମାତ୍ରକେ ମାନସପଟରେ ସ୍ୱତଃ ପ୍ରତିଭାତ ହୁଏ ଏପରି ଜଣେ ବ୍ୟକ୍ତିତ୍ୱ, ଯିଏ ବହୁମୁଖୀ ପ୍ରତିଭାର ଏକ ପ୍ରଣମ୍ୟ ପ୍ରତୀକ, ପୁଣି ଜାତୀୟତାବାଦୀ ଚେତନାର ଅନନ୍ୟ ପ୍ରତିଭୂ । ତାଙ୍କର ସମଗ୍ର ଜୀବନ ସମାଜର କଲ୍ୟାଣ ପାଇଁ ଥିଲା ଉତ୍ସର୍ଗୀକୃତ । ସମଷ୍ଟିର ସ୍ୱାର୍ଥକୁ ସର୍ବାଗ୍ରେ ରଖୁଥିବା ଏହି ମହାମାନବ ଥିଲେ ସେବା, ତ୍ୟାଗ, ମାନବିକତାର ଏକ ନିଷ୍ଠ ସାଧକ । କର୍ମକୁ ଜୀବନର ମାନଦଣ୍ଡ ଭାବେ ବିଚାର କରୁଥିବା ପଣ୍ଡିତ ଗୋପବନ୍ଧୁ ତାଙ୍କ କାବ୍ୟକବିତାରେ ଜାତୀୟତା ଓ ଆଧ୍ୟାତ୍ମିକତାକୁ ମାର୍ମିକ ଭାବେ ଚିତ୍ରଣ କରିଛନ୍ତି । ଜଣେ ଆଦର୍ଶ ଓ ଆଚାରନିଷ୍ଠ ଶିକ୍ଷକ ତଥା ଜାତିନିର୍ମାତା ଭାବେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଗୋପବନ୍ଧୁ ହିଁ ପ୍ରକୃତରେ ଥିଲେ ବକୁଳବନର ସୁରଭିତ ପୁଷ୍ପ । ଓଡ଼ିଶା ମାଟିରେ ବଢ଼ି, ଝଡ଼ି, ବଡ଼ି, ମରୁଡ଼ି ବେଳେ ସ୍ୱାର୍ଥାନ୍ଧ ନହୋଇ ଗୋଟିଏ ସନ୍ତାନର ମୋହକୁ ଦୂରେଇ ସହସ୍ର ସନ୍ତାନର ଉଦ୍ଧାର ପାଇଁ ଧାଇଁ ଯାଇଥିଲେ ପୁଣ୍ୟାତ୍ମା ଉତ୍କଳମଣି ।

ରକ୍ଷଣଶୀଳତାରୁ ଜାତିକୁ ମୁକ୍ତ କରି ସମାଜ ସଂସ୍କାର ଆଣିଥିଲେ ଓଡ଼ିଶା ମାଟିର ଏହି ଆଲୋକବର୍ତ୍ତିକା । ସମୁଦ୍ରର ବିଶାଳତା ଓ ଗଭୀରତା ମାପିବା ଯେପରି ଦୁରୂହ ବ୍ୟାପାର, ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ଆକଳନ କରିବା ମଧ୍ୟ ସେପରି ଦୁଷ୍କର। ସେବକ, ସଂସ୍କାର ସାମ୍ବାଦିକ, ସଂଗ୍ରାମୀ ଓ ରାଜନୀତିଜ୍ଞ ଆଦି ବିବିଧ ଦିଗର ସମାହାର ଥିଲା ତାଙ୍କର ମହାନ ବ୍ୟକ୍ତିତ୍ୱ । ରାଜନୀତିରେ ଉଦାରତା, ସାହିତ୍ୟରେ ସରସତା, ସେବାରେ ଆତୁରତା, ପରଦୁଃଖରେ କାତରତା, ଶିକ୍ଷାଦାନର ସମଗ୍ରତା ସହିତ ତାଙ୍କ ବ୍ୟକ୍ତିଗତ ଜୀବନରେ ପବିତ୍ରତା ଜନସାଧାରଣଙ୍କୁ ଉଦ୍ବୁଦ୍ଧ କରୁଥିଲା । ଦୁର୍ଦ୍ଦଶାଗ୍ରସ୍ତ ବୁଭୁକ୍ଷୁ ମଣିଷର ଯନ୍ତ୍ରଣା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଲେଜିସ୍‌ଲେଟିଭ କାଉନ୍‌ସିଲକୁ ଚାଦର କାନିରେ ବାନ୍ଧି ମୁଠିଶାଗ ନେଇ ସେ ଦେଖାଇଥିଲେ ଏବଂ ପର୍ଯ୍ୟାପ୍ତ ରିଲିଫ୍ ବ୍ୟବସ୍ଥା କରିପାରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର "ସମାଜ' ଏବେ ବି ସତ୍ୟନିଷ୍ଠ ସାମ୍ବାଦିକତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ରହିଛି । ସମ୍ବାଦପତ୍ରଟିଏ ଥିବାରୁ ଜନସାଧାରଣଙ୍କ ହାରିଗୁହାରି ପ୍ରକାଶ କରି ତାହାର ସମାଧାନ ବ୍ୟବସ୍ଥା କରାଇବା ସହିତ ଲୋକଙ୍କ ଭିତରେ ରାଜନୈତିକ ଚେତନା ସୃଷ୍ଟି କରିବା- ଉତ୍କଳମଣିଙ୍କ ଏହି ଅନୁଭବର ପ୍ରକାଶିତ ସ୍ୱରୂପ ଥିଲା "ସମାଜ' । ଗୋପବନ୍ଧୁଙ୍କ ସାମ୍ବାଦିକତାର ବିଷୟ ଓ ଭାଷା ଏପରି ଥିଲା ଯେ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଏପରିକି ନିପଟ ମଫସଲର ଲୋକ ମଧ୍ୟ ଏହାକୁ ସହଜରେ ବୁଝିପାରୁଥିଲେ ।

ଉତ୍କଳମଣିଙ୍କ କର୍ମ ଓ ଉଦ୍ୟମ ହିଁ ତାଙ୍କ କାବ୍ୟକବିତାରେ ପ୍ରତିଫଳିତ । ତାଙ୍କର ବ୍ୟକ୍ତିତ୍ୱରେ ବିଦ୍ୟମାନ ଥିଲା ଅଟଳ ଭଗବତ୍ ନିଷ୍ଠା । ସେ ଥିଲେ ଉତ୍କଳୀୟ ଧର୍ମଧାରାର ସୁଯୋଗ୍ୟ ପ୍ରତିଭୂ । ତାଙ୍କର କଥା ଓ କର୍ମରେ ସେ ପ୍ରତିଫଳିତ କରିଥିଲେ ଯେ, ମାନବ ସମାଜ ଭଗବାନଙ୍କର ସୃଷ୍ଟି । ମାନବ ସେବା ହିଁ ଭଗବତ୍ ସେବା ଏବଂ ଜାତୀୟତା ଆମର ଧର୍ମ । ନାରାୟଣ ହିଁ ଆମର ନେତା ରୂପରେ ଆମ ନିକଟରେ ଉପସ୍ଥିତ । ସେ ଲେଖିଛନ୍ତି- "ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ’ । ଭାଗବତର ଆଦର୍ଶରେ ପ୍ରଭାବିତ ହୋଇ ଗୋପବନ୍ଧୁ ତାଙ୍କ ଜୀବନରେ ସରଳତା, ଋଷିସୁଲଭ ବିନମ୍ରତା ଏବଂ ପବିତ୍ର ସେବାଭାବ ଅନ୍ତର୍ଭୁକ୍ତ କରିପାରିଥିଲେ । ସେଥିପାଇଁ ଅସହଯୋଗ ଆନ୍ଦୋଳନର କର୍ଣ୍ଣଧାର ହୋଇ ସୁଦ୍ଧା ବିନୟଭାବ ପ୍ରକାଶ କରି ସେ ଜାତିକୁ ଶୁଣାଇଥିଲେ "କର୍ମଭୂମେ କିଏ ନେତା କେବା ନୀତ, ସରବେ ନିମିତ୍ତ ବିଧି-ନିୟୋଜିତ’ ।

ମାନବ ଜୀବନର ସଂଜ୍ଞା ନିରୂପଣ କରି କବି ଗୋପବନ୍ଧୁ କହିଛନ୍ତି "ଏ ଜୀବନ ସତ୍ୟ ଶୁଦ୍ଧ ସାରତତ୍ତ୍ୱ, ତତ୍ତ୍ୱ ଅନୁବନ୍ଧ ମାନବର ସତ୍ତ୍ୱ । ଯା ଜୀବନ-ଗତି ତତ୍ତ୍ୱ-ଅଭିମୁଖୀ, ସେହି ଏକା କୃତୀ, ସେହି ଏକା ସୁଖୀ’ । ମାନବର ଶରୀର ଯଦି ପ୍ରାଣୀର ଉପକାରରେ ଲାଗିନପାରିଲା, ଏହାକୁ ନାନାଦି ସୁଖାଦ୍ୟ ଦେଇ ଯତ୍ନର ସହ ବଢ଼ାଇବାରେ ଲାଭ କ'ଣ? ପରୋପକାର କରି ଆର୍ଯ୍ୟ ସଂସ୍କୃତିର କର୍ମଧାରାରେ ଜାତିକୁ ଉଦ୍ବୁଦ୍ଧ କରିବା ପାଇଁ, ଜାତିର ଜଡ଼ତା ଭାଙ୍ଗିବା ପାଇଁ ଗୋପବନ୍ଧୁଙ୍କ ଜୀବନ ଅଭିପ୍ରେତ ଥିଲା । ଦେଶବାସୀଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିବା ପାଇଁ କବିପ୍ରାଣରୁ ଝରିଥିଲା "ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସହାଡ଼' । ଏଭଳି ପ୍ରାଣସ୍ପର୍ଶୀ ମହତ୍ ବାଣୀ ଯାହାଙ୍କ ଲେଖନୀରୁ ନିଃସୃତ, ତାଙ୍କର ମହାନୁଭବତା, ଦେଶଜାତିପ୍ରୀତି, ପରାର୍ଥବାଦୀ ଚିନ୍ତାଧାରା ଓ ସମୁନ୍ନତ ଦୃଷ୍ଟିକୋଣ ସ୍ପଷ୍ଟ ପ୍ରତୀତ ହୁଏ । ଗୋପବନ୍ଧୁଙ୍କ ଦେଶାନୁରାଗ ସଂକୀର୍ଣ୍ଣ ପ୍ରାଦେଶିକତାର ପରିସୀମାରେ ସୀମିତ ନଥିଲା, ଏହା ଥିଲା ବିଶ୍ୱଜନୀନ ଉତ୍କଳବାସୀଙ୍କ ପାଇଁ । ହୃଦୟ ବ୍ୟଥିତ ଥିବାବେଳେ ବିଶ୍ୱପ୍ରୀତି ଉଦ୍ଦେଶ୍ୟରେ ବି ସେ ଲେଖିଛନ୍ତି "ଜାତୀୟ ମମତା ବିଶ୍ୱଜନପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି' । ଗୋପବନ୍ଧୁଙ୍କ ସାହିତ୍ୟକୃତି ଚିରନ୍ତନ ମୂଲ୍ୟ ଓ ସ୍ୱାତନ୍ତ୍ର୍ୟ ବହନ କରେ । ଜାତୀୟ ଚରିତ୍ର ଗଠନ ଦିଗରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାଙ୍କ କାରାଜୀବନର ଇତିହାସ ବହନ କରୁଥିବା "ବନ୍ଦୀର ଆତ୍ମକଥା'ର ପ୍ରତ୍ୟେକ ପଦ ଅଶ୍ରୁକଣା ପରି ପାଠକ ମନରେ ଆବେଗ ଓ ଆତ୍ମୀୟତା ସୃଷ୍ଟି କରିପାରେ ।

ଶ୍ରୀମଦ୍ ଭାଗବତ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିବା ପୂର୍ବରୁ କେତେକ ସାଧକ ସେହି ଅବତାର ପୁରୁଷଙ୍କ ଉଦ୍ଦେଶ୍ୟକୁ ସମର୍ଥନ କରି କାର୍ଯ୍ୟାରମ୍ଭ କରିସାରିଥିଲେ । ଜଣେ ଜଣେ ବିଶିଷ୍ଟ ମହାପୁରୁଷଙ୍କର ଆବିର୍ଭାବ ପୂର୍ବରୁ ଅନ୍ୟ କେତେକ ମହାନ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥାଏ । ଏହି ଧାରାରେ ଗୋପବନ୍ଧୁଙ୍କ ଆଦର୍ଶ ଗାନ୍ଧୀବାଦର ପୂର୍ବରୂପ ଥିଲା ବୋଲି କୁହାଯାଏ । ସୂତା କାଟିବା ପରି ଗାନ୍ଧୀବାଦର ଗଠନମୂଳକ ଯୋଜନା ସବୁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତ ଆସିବା ପୂର୍ବରୁ ଗୋପବନ୍ଧୁ ଓଡ଼ିଶାରେ ଆରମ୍ଭ କରିଦେଇଥିଲେ । ଆଦର୍ଶ ଶିକ୍ଷା ବିନା ସମାଜର ପୁନର୍ଗଠନ ଅସମ୍ଭବ ଜାଣି ଗାନ୍ଧିଜୀ ୱାର୍ଦ୍ଧା ଠାରେ ଶିକ୍ଷାଶ୍ରମ ପ୍ରତିଷ୍ଠା କରିବାବେଳକୁ ସତ୍ୟବାଦୀ ଠାରେ ଜାତୀୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ ଗୋପବନ୍ଧୁ । ଗାନ୍ଧୀଜୀ ଭାରତର ଏବଂ ଗୋପବନ୍ଧୁ ଉତ୍କଳର ଭଗୀରଥ ଥିଲେ ବୋଲି କହିବା ଅତିଶୟୋକ୍ତି ହେବନାହିଁ । ୧୯୨୧ ମସିହା ମାର୍ଚ୍ଚ ୨୬ ତାରିଖରେ ସତ୍ୟବାଦୀର ବକୁଳବନ ସଭାରେ ଗୋପବନ୍ଧୁଙ୍କ ପ୍ରତି ପ୍ରଥମେ "ମଣି' ସମ୍ବୋଧନ କରିଥିଲେ ମହାତ୍ମା ଗାନ୍ଧୀ । ୧୯୨୪ ମସିହା ଜୁନ୍ ମାସରେ "ଉତ୍କଳ ପ୍ରାଦେଶିକ ରାଜନୈତିକ ସମ୍ମିଳନୀ'ରେ କାରାମୁକ୍ତ ଗୋପବନ୍ଧୁଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା । ସେଠାରେ ସଭାପତିତ୍ୱ କରୁଥିବା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି' ଉପାଧିରେ ଭୂଷିତ କରିଥିଲେ । ୧୯୨୬ ମସିହାରେ ଲାଲା ଲଜପତ ରାୟଙ୍କ ସହଯୋଗରେ ଲୋକସେବକ ମଣ୍ଡଳର ସଭ୍ୟ ଭାବେ ଯୋଗଦେଇଥିଲେ ଗୋପବନ୍ଧୁ । ୧୯୨୮ ମସିହାରେ ଏହାର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଭାର୍ଗବୀ କୂଳର ସୁଆଣ୍ଡୋ ମାଟିରେ ଜନ୍ମଗ୍ରହଣ କରିଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଜୀବନକାଳ ଥିଲା ମାତ୍ର ୫୧ ବର୍ଷ । "ପୁରୀ ସେବା ସମିତି' ଗଠନ କରି ହଇଜା ପୀଡ଼ିତଙ୍କ ମୃତଦେହ ସଂସ୍କାର ଠାରୁ "କର୍ତ୍ତବ୍ୟବୋଧିନୀ ସମିତି' ଗଠନ କରି ଜାତୀୟ ମମତା ଜାଗ୍ରତ କରିବାକୁ ଆହ୍ୱାନ ଦେବା କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ । ମାତୃଭୂମି, ମାତୃଭାଷାର ସେବା ଦିଗରେ ଉତ୍କଳ ସମ୍ମିଳନୀ ଥିଲା ତାଙ୍କର ପ୍ରାଣପିଣ୍ଡ ।

ଗୋପବନ୍ଧୁ ସ୍ପଷ୍ଟ ହୃଦୟଙ୍ଗମ କରିଥିଲେ ଜାତୀୟ ଚରିତ୍ରର ଉନ୍ନତି ନହେଲେ, ଜାତୀୟ ଆତ୍ମାର ଅଭ୍ୟୁତ୍ଥାନ ନଘଟିଲେ କିମ୍ବା ଜାତୀୟ ଜୀବନ ସୁଚାରୁ ରୂପେ ଗଠିତ ନହେଲେ ଶିକ୍ଷାନୁଷ୍ଠାନର ସଂଖ୍ୟାବୃଦ୍ଧି, ଶିଳ୍ପୋନ୍ନତି ଆଦି ବାହ୍ୟ ଉନ୍ନତି ଦ୍ୱାରା ଜାତିର ପ୍ରକୃତ ସ୍ଥାୟୀ ଅଭିବୃଦ୍ଧି ଘଟିପାରେନାହିଁ । ଏ ଜାତିକୁ ସେ ଶିଖାଇଥିଲେ ମାନବପ୍ରୀତି । ସତ୍ୟ ଓ ନ୍ୟାୟପରାୟଣ ଗୋପବନ୍ଧୁ ଆଇନଜୀବୀ ଭାବେ ଆତ୍ମପ୍ରସାଦ ଲାଭ କରିନଥିଲେ । ଜନତାର ସେବାରେ ସେ ଯେଭଳି ଆତ୍ମମଗ୍ନ ହୋଇପଡ଼ୁଥିଲେ, ଦେଶର ଯୁବସମାଜକୁ ଆଦର୍ଶମାର୍ଗରେ ଶିକ୍ଷିତ କରିବା ପାଇଁ ସେପରି ତତ୍ପର ଥିଲେ । ସତ୍ୟବାଦୀର ସାଧକମାନଙ୍କର ମୂଳମନ୍ତ୍ର ହିଁ ଥିଲା ଜାତୀୟ ଚେତନା ଓ ଜନଜାଗରଣ । ଗୋପବନ୍ଧୁ ଚାହୁଁଥିଲେ, ଆଗାମୀ କାଲିର ଯୁବସମାଜ ତଥା ଆଜିର ଛାତ୍ର ଦେଶପ୍ରେମରେ ଉଦବୁଦ୍ଧ ହୋଇ ନିଜ ଜାତି ପ୍ରତି ମାୟା, ମମତା ନେଇ ବଡ଼ ହୁଅନ୍ତୁ । ନଚେତ୍ ସମାଜରେ ଆଲୋଡ଼ନ ସୃଷ୍ଟି ହୋଇପାରିବନାହିଁ, ଜାତିର ଉନ୍ନତି ହୋଇପାରିବନାହିଁ । ପ୍ରକୃତରେ ଗୋପବନ୍ଧୁ ଥିଲେ ଜଣେ ବହୁମୁଖୀ ବିଶାଳ କର୍ମପ୍ରେରଣାର ଉଦ୍ଗାତା । ତାଙ୍କ ଜୀବନର ସାର ବୈଷୟିକ ନଥିଲା, ତାହା ଥିଲା ଆତ୍ମିକ। କବି ବା ଲେଖକ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ସାହିତ୍ୟ ରଚନା କରୁନଥିଲେ । ନିଜର ମନୋଭାବ ପ୍ରକାଶ କରିବା, ତଥ୍ୟ ବୁଝାଇଦେବା ନିଜ ମତରେ ସମସ୍ତଙ୍କୁ ଅନୁଭାବିତ କରିବା ତାଙ୍କର ଲକ୍ଷ୍ୟ ଥିଲା ।

ଗୋପବନ୍ଧୁ ଥିଲେ ଜଣେ ପ୍ରଧାନ ମାନବତାବାଦୀ । ମନୁଷ୍ୟର ସାଧୁତା, ସାଧନା ଓ ଶୁଭବୁଦ୍ଧିରେ ତାଙ୍କର ଗଭୀର ବିଶ୍ୱାସ ଥିଲା । କବିଙ୍କର ଈଶ୍ୱରବିଶ୍ୱାସ ମଧ୍ୟ ମାନବିକ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ । ଗୋପବନ୍ଧୁ ‘ବନ୍ଦୀର ଆତ୍ମକଥା, କାରାକବିତା’ ଏବଂ ‘ଧର୍ମପଦ' ଭଳି କାବ୍ୟ-କବିତା ରଚନା କରିଥିଲେ । ‘ଧର୍ମପଦ' କିମ୍ବଦନ୍ତୀ ପଛରେ ଥିବା ପ୍ରସିଦ୍ଧ ଉକ୍ତି ‘ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ' ମଧ୍ୟରେ ଯେଉଁ ଏକ ମହାନ ଗଣତାନ୍ତ୍ରିକ ଆଦର୍ଶର ସୂଚନା ରହିଛି, ତାହାକୁ ଗୋପବନ୍ଧୁ ତାଙ୍କ କାବ୍ୟରେ ଚିରନ୍ତନ କରିଛନ୍ତି । ସେ ଲେଖିଛନ୍ତି ‘ଏକର ବିନାଶେ ଅନେକ ପ୍ରକାଶେ, ସୃଷ୍ଟିର ଏ ନିତ୍ୟ ବିଧି ।'

ମାନବଜାତି ସହିତ ଗୋ-ସମ୍ପଦର ଉନ୍ନତି ମଧ୍ୟ ଚାହିଁଥିଲେ ଗୋପବନ୍ଧୁ । କାରଣ, ସେ ଜାଣିଥିଲେ ଭାରତ ଏକ ଗ୍ରାମବହୁଳ କୃଷିପ୍ରଧାନ ଦେଶ ଏବଂ ଉତ୍କଳ ରାଜ୍ୟ ମଧ୍ୟ । ଯେପର୍ଯ୍ୟନ୍ତ ଗୋ-ଜାତିର ଉନ୍ନତି ହୋଇନାହିଁ, ସେପର୍ଯ୍ୟନ୍ତ ଉତ୍କଳବାସୀଙ୍କର ଆର୍ଥିକ ଉନ୍ନତି ସମ୍ଭବ ହେବନାହିଁ । ନିଜର ସର୍ବସ୍ୱ ମଣିଷକୁ ଦାନ କରୁଥିବା ଗୋ ସମ୍ପଦ ପ୍ରତି ଅବହେଳା ଏବଂ ସେମାନଙ୍କର ଅର୍ଦ୍ଧବୁଭୁକ୍ଷିତ ଅସ୍ଥିକଙ୍କାଳସାର ଶରୀରକୁ ଦେଖି ଚିନ୍ତିତ ହୋଇଥିଲେ ଗୋପବନ୍ଧୁ । ୧୯୨୨ ମସିହାରେ ଜେଲରେ ବନ୍ଦୀଜୀବନ ବିତାଉଥିବା ବେଳେ ସେ ରଚନା କରିଥିଲେ "ଗୋ ମାହାତ୍ମ୍ୟ' । ଧାର୍ମିକ ଭାବଧାରାର ପଲ୍ଲୀପ୍ରାଣକୁ ଆକୃଷ୍ଟ କରିବା ଭଳି ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଗୋ-ମାହାତ୍ମ୍ୟ ଅତି ସରଳ, ପ୍ରାଞ୍ଜଳ ଓ ହୃଦୟସ୍ପର୍ଶୀ । ଏଥିରେ ଧର୍ମକାର୍ଯ୍ୟ ସହ ଗୋ-ସେବାକୁ ସଂଶ୍ଳିଷ୍ଟ କରି ସେ ଲେଖିଥିଲେ "ଗୋସେବା ସର୍ବଧର୍ମେ ସାର, ଏହା ବୁଝିଲେ ସର୍ବ ନର, ହୋଇବ ଏ ମହୀ ସ୍ୱର୍ଗ, ଲଭିବେ ଲୋକେ ଚଉବର୍ଗ’ । ବାସ୍ତବରେ ଗୋପବନ୍ଧୁ କେବଳ ଜନସେବକ ନଥିଲେ, ସେ ମଧ୍ୟ ଥିଲେ ଉତ୍କଳ ଜନତାର ଆଧ୍ୟାତ୍ମିକ ଦିଗ୍‌ଦର୍ଶକ। ଆଧ୍ୟାତ୍ମିକତା ବୃଦ୍ଧି କରି ଆତ୍ମଘାତକତା ବିନଷ୍ଟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିଥିଲା । 

୧୯୨୮ ମସିହା ଜୁନ୍ ୭ ତାରିଖ, ସନ୍ଧ୍ୟା ୭ଟା ୨୫ ମିନିଟ୍ । ନେତ୍ରୋତ୍ସବ ତିଥିରେ ଯେଉଁଠି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ଉଭାଯାତ୍ରା ପାଇଁ ପ୍ରସ୍ତୁତି ହେଉଥିଲା, ସେହି ଦୀନବାନ୍ଧବଙ୍କ ଠାରେ ଅଚଳ ବିଶ୍ୱାସ ରଖିଥିବା ଦୀନବନ୍ଧୁ ଗୋପବନ୍ଧୁଙ୍କ ଆତ୍ମା ଲୀନ ହୋଇଯାଉଥିଲା ପରମପୁରୁଷଙ୍କ ପଦପଙ୍କଜରେ । ରାତିର ଅନ୍ଧାର ଗାଢ଼ ହୋଇଆସୁଥିବା ବେଳେ ଓଡ଼ିଶାର ଭାଗ୍ୟାକାଶରୁ ନିର୍ବାପିତ ହେଉଥିଲା ମଣିର ଜ୍ୟୋତି । ଯୁଗପୁରୁଷ ଉତ୍କଳମଣିଙ୍କ ଜୀବନ ପ୍ରଦୀପର ଶିଖା ମଉଳି ଆସିଥିଲା । ହେଲେ ଏ ଦୀପ୍ତଶିଖା ଅନ୍ଧାରରେ ମିଳାଇଯିବାର ନୁହେଁ, ଏ ଶିଖା ଏବେ ବି ଜଳୁଛି ପ୍ରତି ଓଡ଼ିଆର ପ୍ରାଣରେ । ଏ ଶିଖା ଏମିତି ଉଜ୍ଜ୍ୱଳ ହୋଇ ରହିଥିବ କାଳରୁ କାଳାନ୍ତର ଯାଏଁ । ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ୯୮ତମ ଶ୍ରାଦେ୍ଧାତ୍ସବରେ ଅୟୁତକୋଟି ପ୍ରଣାମ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।