ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲାଗି ଜୁଲାଇ ୬ ତାରିଖକୁ ବୈଠକ
ଅଯୋଧ୍ୟା: ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ଘଟଣାକୁ ନେଇ ବିବାଦୀୟ ହୋଇପଡିଥିବା ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲାଗି ଜୁଲାଇ ୬ ତାରିଖକୁ ବୈଠକ ଡକାଇଛି। ଜୁଲାଇ ୧୧ ତାରିଖରେ ଏହି ବୈଠକ ହେବାକୁ ପୂର୍ବରୁ ସ୍ଥିର ହୋଇଥିବାବେଳେ ଏହାକୁ ଆଗୁଆ କରିବାକୁ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳ ଦାସ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଟ୍ରଷ୍ଟର ସମସ୍ତ ୧୪ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ବୈଠକରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରାଙ୍କ ଇସ୍ତଫା ବିଷୟରେ ମଧ୍ୟ ଆଲୋଚନା କରିବେ। ଦାନ ଅର୍ଥ ଅନିୟମିତତା ପାଇଁ ଏହି ଦୁଇ ଜଣ ନିଜକୁ ନୈତିକ ଭାବେ ଦାୟୀ କରି ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଟ୍ରଷ୍ଟ ତାଙ୍କ ଇସ୍ତଫାକୁ ଅନୁମୋଦନ କରି ନଥିବାରୁ ବୈଠକରେ ଏହା ଉପରେ ବିଚାର କରାଯିବ। ଏହା ସହିତ ଟ୍ରଷ୍ଟର ଦୈନନ୍ଦିନ କାର୍ଯ୍ୟପନ୍ଥା ଓ ଟ୍ରଷ୍ଟରେ ନୂଆ ସଦସ୍ୟ ସାମିଲ କରାଯିବା ଉପରେ ବିଚାର କରାଯିବ। ବିବାଦ ପରେ ଟ୍ରଷ୍ଟ କାର୍ଯ୍ୟାଳୟରେ ସ୍ୱଚ୍ଛତା ଆଣିବା ପାଇଁ ଏକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ସୃଷ୍ଟି କରିବାକୁ ବିଚାର ଚାଲିଛି। ଏହି ପଦ ଏବଂ ନୂଆ ସାଧାରଣ ସମ୍ପାଦକ ପାଇଁ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ଏବଂ ପୂର୍ବତନ ଆଇଏଏସ ଯୋଗେଶ୍ୱର ରାମ ମିଶ୍ରାଙ୍କ ନାମ ଚର୍ଚ୍ଚାରେ ଅଛି। ଗତ ବର୍ଷ ଅଗଷ୍ଟରେ ସଦସ୍ୟ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ଦେହାନ୍ତ ଏବଂ କିଛି ବରିଷ୍ଠ ସଦସ୍ୟ ଅସୁସ୍ଥତା ଯୋଗୁଁ ନିଷ୍କ୍ରିୟ ଥିବାରୁ, ଟ୍ରଷ୍ଟରେ ନୂଆ ସଦସ୍ୟ ସାମିଲ କରି ପୁନର୍ଗଠନ କରାଯାଇପାରେ।