ବନ୍ଧୁକ ଦେଖାଇ ଲୁଟ
ସିଂହପୁର: ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଘଣ୍ଟିଆଳି ପୋଲ ନିକଟରେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଗୁଳି ଫୁଟାଇ ପ୍ରାୟ ୩ କେଜି ରୂପା, ୨୦ ଗ୍ରାମ ସୁନା ଏବଂ ୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।
ମିଳିଥିବା ସୂଚନା ମୁତାବକ, ମଇଁନ୍ଦା ଛକସ୍ଥିତ ମା’ ତାରିଣୀ ଜୁଏଲର୍ସର ମାଲିକ ଶରତ ସାହୁଙ୍କ ପୁଅ ଚନ୍ଦନ ସାହୁ ଗତ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଘଣ୍ଟିଆଳି ପୋଲ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଆସି ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ପରେ ଗହଣା ଭର୍ତ୍ତି ବ୍ୟାଗ ଛଡ଼ାଇ ନେବାକୁ ଉଦ୍ୟମ କରିବାରୁ ଚନ୍ଦନ ପ୍ରତିବାଦ କରିଥିଲେ। ହେଲେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ତାଙ୍କୁ ଭୟଭୀତ କରି ୩ କେଜି ରୂପା, ୨୦ ଗ୍ରାମ ସୁନା ଏବଂ ୭ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।
ଖବରପାଇ ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫାୟାରିଂରେ ବ୍ୟବହୃତ ଗୁଳି ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୩୪୫/୨୬) ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ବୁଧବାର ସକାଳୁ ପୋଲିସ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଦୁର୍ବୃତ୍ତମାନଙ୍କ ଗତିପଥ ଚିହ୍ନଟ ପାଇଁ ପ୍ରୟାସ ଜାରି ରଖିଛି।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସର ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେହିପରି ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ପ୍ରମାଣ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।