ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ବଢ଼ିବାକୁ ଯାଉଛି
ନୂଆଦିଲ୍ଲୀ: ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ବଢ଼ିବାକୁ ଯାଉଛି। ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍ ୧୨-୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରୁଥିବା ସମ୍ପର୍କରେ ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚ ଏକ ରିପୋର୍ଟରେ ଜଣାଇଛି। ବଜାରରେ ମିଶ୍ରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏବେ ମାତ୍ର ୩ରୁ ୪ଟି ଟେଲିକମ୍ କମ୍ପାନି ରହିଯାଇଛି। ତେଣୁ ରିଚାର୍ଜ ଦାମ୍ ବଢ଼ାଇବା ପାଇଁ ତାହା ଅନୁକୂଳ ପରିବେଶ ସୃଷ୍ଟି କରିଛି। ଆସନ୍ତା ତ୍ରୈମାସିକରେ ଟେଲିକମ୍ କମ୍ପାନିଗୁଡ଼ିକର ଗ୍ରାହକ ପିଛା ହାରାହାରି ରାଜସ୍ବ (ଆର୍ପୁ)ରେ ତିନିଟି ଟେଲିକମ୍ କମ୍ପାନି ୧-୧.୫ ପ୍ରତିଶତ ବୃଦ୍ଧି ଆଶା କରୁଛନ୍ତି। ୨ଜି ସେବା ବ୍ୟବହାର କରୁଥିବା ବହୁ ଗ୍ରାହକ ୪ଜି ଓ ୫ଜି ସେବା ଆଡ଼କୁ ମୁହାଁଇବେ। ତାହାର ପ୍ରଭାବରେ କମ୍ପାନିଗୁଡ଼ିକର ଆୟ ବଢ଼ିବ।
୫ଜି ନେଟ୍ୱର୍କକୁ ସୁଦୃଢ଼
ରିପୋର୍ଟ ଅନୁସାରେ ଭୋଡାଫୋନ୍ ଆଇଡିଆ ତୁଳନାରେ ଭାରତୀ ଏୟାରଟେଲ୍ ଓ ରିଲାଏନ୍ସ ଜିଓ ଅଧିକ ଲାଭ ପାଇବେ। ଏହି ତିନି ମାସରେ ରିଲାଏନ୍ସ ଜିଓ ୭୦ ଲକ୍ଷ ଓ ଏୟାରଟେଲ୍ ୫୦ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିବେ। ସେହି ସମୟରେ ଭୋଡାଫୋନ୍ ଆଇଡିଆ ୨ ଲକ୍ଷ ଗ୍ରାହକ ହରାଇବ। ଦେଶର ୯୦ ପ୍ରତିଶତରୁ ଅଧିକ ଜିଲ୍ଲାରେ ଜିଓ ଓ ଏୟାରଟେଲ୍ର ୪ଜି/୫ଜି ନେଟ୍ୱର୍କ ରହିଛି। ଉଭୟ କମ୍ପାନି ନିଜର ୫ଜି ନେଟ୍ୱର୍କକୁ ଆହୁରି ସୁଦୃଢ଼ କରୁଛନ୍ତି। ତାହାର ପ୍ରଭାବରେ ଡାଟା ବ୍ୟବହାର ମଧ୍ୟ ଦୃଢ଼ ରହିବା ଆଶା କରାଯାଉଛି ବୋଲି ଏହି ବ୍ରୋକରେଜ୍ ସଂସ୍ଥା ପୂର୍ବାନୁମାନ କରିଛି। ଭୋଡାଫୋନ୍ ଆଇଡିଆ ମଧ୍ୟ ନିଜର ୫ଜି ନେଟ୍ୱର୍କକୁ ୧୦୦ରୁ ଅଧିକ ସହରରେ ପହଞ୍ଚାଇଛି ଓ ତାହାକୁ ଆହୁରି ଦ୍ରୁତ ଗତିରେ ବଢ଼ିବାକୁ ଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।