CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

Jul 31, 2026 - 21:46
CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟମଣ୍ଡଳ କ୍ରୀଡ଼ା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮ କିଗ୍ରା ବର୍ଗରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଫାଇନାଲ ମୁକାବିଲାରେ ସେ କାନାଡ଼ାର ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ସେ ‘ସଡ଼ନ୍ ଡେଥ୍’ ବା ଗୋଲ୍ଡନ ସ୍କୋର ଜରିଆରେ ଏହି ବିଜୟ ହାସଲ କରିଛନ୍ତି। କମନୱେଲ୍ଡ ଗେମ୍ସର ଜୁଡୋ ଇତିହାସରେ ଭାରତକୁ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ମିଳିଥିବାରୁ ଏହା ଦେଶ ପାଇଁ ଏକ ବଡ଼ ଗର୍ବର ବିଷୟ ପାଲଟିଛି।

ଅସ୍ମିତାଙ୍କ ଏହି ବିଜୟ ଯାତ୍ରା ପ୍ରଶଂସନୀୟ ଥିଲା। ସେ କ୍ୱାର୍ଟର ଫାଇନାଲରେ ସ୍କଟଲ୍ୟାଣ୍ଡର ଇଭା ଇଭିଂଙ୍କୁ ‘ଇପ୍ପୋନ୍’ ଜରିଆରେ ପରାସ୍ତ କରିଥିବାବେଳେ ସେମିଫାଇନାଲ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡର ସମର ଶ’ଙ୍କୁ ‘ୟୁକୋ’ (୧-୦) ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଶେଷରେ ଫାଇନାଲରେ କାନାଡ଼ାର ହେଇଡି କ୍ୱେଚ୍‌ଙ୍କୁ ଗୋଲ୍ଡନ ସ୍କୋରରେ ପରାସ୍ତ କରି ସେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହି ଐତିହାସିକ ଜିତିବା ସହିତ ସେ କମନୱେଲ୍ଡ ଗେମ୍ସ ଇତିହାସରେ ଜୁଡୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥ୍‌ଲେଟ୍‌ ପାଲଟିଛନ୍ତି।

ତ୍ରିପୁରାର ବେଲୋନିଆର ବାସିନ୍ଦା ଅସ୍ମିତା ଜଣେ ଜୁଡୋ ଖେଳାଳି ହେବା ପୂର୍ବରୁ ଜଣେ ଆଥ୍‌ଲେଟ୍‌ ଥିଲେ ଏବଂ ପ୍ରାରମ୍ଭରେ ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିଲେ। ପରେ ଏକ ଜିଲା ଟ୍ରାଏଲ୍‌ ସମୟରେ ଜୁଡୋ ପ୍ରତି ତାଙ୍କର ଆଗ୍ରହ ବଢ଼ିବାରୁ ସେ ଏହି ଖେଳକୁ ଆପଣାଇଥିଲେ। ସେ ଭୋପାଳସ୍ଥିତ ଏସଏଆଇ ଆଞ୍ଚଳିକ କେନ୍ଦ୍ରରେ କୋଚ୍ ଯଶପାଳ ସୋଲଙ୍କିଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ‘ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ (TOPS) ଡେଭଲପମେଣ୍ଟ ଗ୍ରୁପ୍‌ର ଅଂଶବିଶେଷ ଅଛନ୍ତି।

ଅସ୍ମିତା ଦେ’ ପୂର୍ବରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ୨୦୨୫ ମସିହାରେ ଆଫ୍ରିକନ୍ ଓପନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୨୦୨୩ ମସିହାରେ ମାକାଉଠାରେ ଅନୁଷ୍ଠିତ ଜୁନିଅର ଏସିଆ କପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୨୩ ଏସିଆନ୍ ଓପନ୍‌ରେ ରୌପ୍ୟ ପଦକ ଜିତିବା ସହିତ ଖେଲୋ ଭାରତ ୟୁନିଭର୍ସିଟି ଗେମ୍ସରେ ଏକାଧିକ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି ଏବଂ ଜୁନିଅର ଜାତୀୟ ଚାମ୍ପିୟନ୍ ମଧ୍ୟ ରହିସାରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।