୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ
ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ ଧରି ଚାଲିଥିବା ସଂଯୁକ୍ତ ଭାରତୀୟ ଖେଳ ଫେଡେରେସନ ଏସବିକେଏଫ ଅନ୍ତର୍ଜାତୀୟ କ୍ରୀଡ଼ାରେ ତିନୋଟି ସ୍ବର୍ଣ୍ଣ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗରେ ସେ ସଟପୁଟ, ଡିସକସ ଥ୍ରୋ ଓ ଜାଭେଲିନ ଥ୍ରୋରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତ, ଶ୍ରୀଲଙ୍କା ଓ ନେପାଳର ୩ ଶହ ଭେଟେରାନ ଖେଳାଳି ଅଂଶ ଗ୍ରହଣ କରିଥିଲେ।
ଏଠାରେ ପ୍ରକାଶ ଯେ, ଶ୍ରୀ ମିଶ୍ର ଉଭୟ ଫୁଟବଲ ଓ ଭଲିବଲର ଦକ୍ଷ ଖେଳାଳି ସହ ଜଣେ ଶ୍ରେଷ୍ଠ କ୍ରୀଡ଼ାବିତ୍ ଥିଲେ। ଯୁବକ ଅବସ୍ଥାରେ ସେ ଓଡ଼ିଶା ଫୁଟବଲ ଓ ଭଲିବଲ ଅଧିନାୟକ ଥିଲେ। ଅବସର ପରେ ସେ ଭେଟେରାନ କ୍ରୀଡ଼ାବିତ୍ ଭାବରେ ବିଦେଶରେ ଅନେକ ମାଷ୍ଟର୍ସ ଗେମରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, କଳାହାଣ୍ଡି ବ୍ରାହ୍ମଣ ସମାଜ ସମେତ ଜିଲାର ବହୁ କ୍ରୀଡ଼ାବିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।