୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ
ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର୍.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରୁ । ଦୁଇ ବ୍ଲକରୁ ପ୍ରାୟ ୩ ଶହରୁ ଅଧିକ ଚାଷୀ ଠକାମୀର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ପ୍ରକାରେ ଚାଷୀଙ୍କ ଜମିରେ ଜଳ ସେଚନ ପାଇଁ ବୋର୍ ୱେଲ ଖନନ କରି ସୋଲାର ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ଗଂଜାମ ଜିଲା ଖଲିକୋଟର ସନ୍ଦୀପ ପଟ୍ଟନାୟକ ନାମକ ବ୍ୟକ୍ତି ଜଣଙ୍କ ପିଛା ୧୨ ହଜାର ଟଙ୍କା ଲେଖାଏଁ ଠକି ନେଇଯାଇଥିଲେ । ଟଙ୍କା ନେଇ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ସୁଵିଧା ଯୋଗାଇ ନ ଦେବାରୁ ଶେଷରେ ବାଧ୍ୟ ହୋଇ ଅଞ୍ଚଳର ଠକାମୀରେ ଶିକାର ହୋଇଥିବା ଶତାଧିକ ଚାଷୀମାନେ ଏକତ୍ରିତ ହୋଇ ଆର୍.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।