ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

Jul 28, 2026 - 20:46
ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାର ୨୧ ବର୍ଷୀୟ ଭାରୋତ୍ତୋଳକ ସ୍ନାଚରେ ୧୪୯ କେଜି ଓ କ୍ଲିନ ଆଣ୍ଡ୍‌ ଜର୍କରେ ୧୮୧ କେଜିକୁ ମିଶାଇ ମୋଟ ୩୩୦ କେଜି ଭାର ଉଠାଇ ପୋଡ଼ିୟମରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେ ମାତ୍ର ୧ କେଜି ବ୍ୟବଧାନରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି।

ମାଲେସିଆର ଏରି ହିଦାୟତ ମହମ୍ମଦ ମୋଟ ୩୩୧ (୧୪୭ + ୧୮୪) କେଜି ଭାର ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ଭାରତ୍ତୋଳନରେ ଏହା ଭାରତ ପାଇଁ ଷଷ୍ଠ ପଦକ। ଏଥିସହିତ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି, ଯେଉଁଥିରେ ୨ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ରହିଛି।
ସ୍ନାଚରେ ୧୪୯ କେଜି ଭାର ଉଠାଇବାରେ ବିଫଳ ହୋଇଥିବା ଅଜୟ ବାବୁ ତାଙ୍କର ଅନ୍ତିମ ଉଦ୍ୟମରେ ସଫଳ ହେବା ସହ ନୂଆ ରେକର୍ଡ କରିଥିଲେ। ମାଲେସିଆର ହିଦାୟତ ୧୪୭ କେଜି ଉଠାଇଥିଲେ। କ୍ଲିନ ଆଣ୍ଡ୍‌ ଜର୍କରେ ହିଦାୟତ ପ୍ରଥମେ ୧୮୧ କେଜି ଭାର ଉଠାଇଥିଲେ, ଯାହା ସହିତ ଅଜୟ ବାବୁ ତାଙ୍କର ଅନ୍ତିମ ଉଦ୍ୟମରେ ସମକକ୍ଷ ହୋଇଥିଲେ। ହେଲେ ହିଦାୟତ ପରବର୍ତ୍ତୀ ଉଦ୍ୟମରେ ୧୮୪ କେଜି ଭାର ଉଠାଇ ରେକର୍ଡ କରି ସ୍ବର୍ଣ୍ଣ ପଦକ ଅଧିକାର କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।