ସ୍ମାର୍ଟଫୋନ ବଜାରରେ ଏଆଇ କ୍ରେଜ୍, ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୧୪।୭: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବେ କେବଳ ସ୍ମାର୍ଟଫୋନର ଏକ ଫିଚର୍ ହୋଇ ରହିନାହିଁ ବରଂ ଏହା ଭାରତୀୟ ଗ୍ରାହକଙ୍କ କିଣିବା ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରୁଛି। ଏଆଇର ବ୍ୟବହାର ଯେତିକି ବୃଦ୍ଧି ପାଉଛି, ଗ୍ରାହକମାନେ ସେହି ମାତ୍ରାରେ ଡାଟା(ତଥ୍ୟ) ବ୍ୟବହାର ସମ୍ପର୍କିତ ସ୍ବଚ୍ଛତା ମଧ୍ୟ ଦାବି କରୁଛନ୍ତି। ସ୍ମାର୍ଟଫୋନ୍ ବ୍ରାଣ୍ଡଗୁଡ଼ିକ ପାଇଁ ଏହି ‘ବିଶ୍ୱାସ’ ହିଁ ସବୁଠାରୁ ବଡ଼ ପାର୍ଥକ୍ୟ ସୃଷ୍ଟି କରୁଛି ବୋଲି ସାଇବର ମିଡିଆ ରିସର୍ଚ୍ଚ (ସିଏମ୍ଆର୍)ର ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ, ୬୮% ଗ୍ରାହକ ବର୍ତ୍ତମାନ ଏକ ସ୍ମାର୍ଟଫୋନ୍ ବାଛିବା ସମୟରେ ତା’ର ଏଆଇ କ୍ଷମତାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ୮୨% ଲୋକ ଏଆଇ ଚାଳିତ ବ୍ୟବସ୍ଥା ଉପରେ ବିଶ୍ୱାସ କରିବା ପାଇଁ ସ୍ବଚ୍ଛ ଡାଟା ପ୍ରକ୍ରିୟା ନିହାତି ଜରୁରୀ ବୋଲି କହିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଗ୍ରାହକମାନେ ଏବେ କେବଳ ହାର୍ଡୱେର୍ ସ୍ପେସିଫିକେଶନ୍ ଉପରେ ସୀମିତ ନ ରହି ସୁରକ୍ଷିତ, ଦ୍ରୁତ ଏବଂ ପ୍ରିଭେସି ଫୋକସଡ୍ ଏଆଇ ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସିଏମ୍ଆର୍ର ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଗ୍ରୁପ୍ (ଆଇଆର୍ଜି)ର ଭାଇସ୍ ପ୍ରେସିଡେଣ୍ଟ ପ୍ରଭୁ ରାମ କହିଛନ୍ତି, ସ୍ମାର୍ଟଫୋନ୍ ‘ଏଆଇ ପଲ୍ସ-୨୦୨୬’ ଅଧ୍ୟୟନ ପାଇଁ ଭାରତର ୮ଟି ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ, କୋଲ୍କାତା, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଅହମ୍ମଦାବାଦ୍ ଏବଂ ପୁଣେରୁ ୧୮ରୁ ୩୫ ବର୍ଷ ବୟସର ୨ହଜାରରୁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଉପରେ ସର୍ଭେ କରାଯାଇଥିଲା। ଏଆଇକୁ ଏବେ ଆଉ କେବଳ ଏକ ଅତିରିକ୍ତ ଫିଚର୍ ଭାବେ ଦେଖାଯାଉ ନାହିଁ, ଏହା ସ୍ମାର୍ଟଫୋନର ସାମଗ୍ରିକ ଅଭିଜ୍ଞତାକୁ ବଦଳାଇବାରେ ଲାଗିଛି। ସବୁବର୍ଗର ଲୋକ ଏବଂ ସବୁ ଦାମ୍ର ସ୍ମାର୍ଟଫୋନ୍ କ୍ଷେତ୍ରରେ ଗ୍ରାହକମାନେ ସହଜ, ଉପଯୋଗୀ ଏବଂ ଦୈନନ୍ଦିନ ଜୀବନର କାର୍ଯ୍ୟ ସହ ଜଡ଼ିତ ହୋଇପାରୁଥିବା ଏଆଇ ଚାହୁଁଛନ୍ତି। ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି, ୬୧% ଗ୍ରାହକ ଅନ୍-ଡିଭାଇସ୍ ଏଆଇ ପ୍ରୋସେସିଂ ସ୍ମାର୍ଟଫୋନର କାର୍ଯ୍ୟଦକ୍ଷତା ବଢ଼ାଇବା ସହ ପ୍ରିଭେସିକୁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ୱାସ କରନ୍ତି। ଏଥିରୁ ସ୍ପଷ୍ଟ ହେଉଛି ସ୍ମାର୍ଟଫୋନରେ ଏଆଇ କିପରି କାମ କରେ, ସେ ବିଷୟରେ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ବଢ଼ୁଛି। ସ୍ମାର୍ଟଫୋନ୍ କିଣିବା ସମୟରେ ପରଫରମାନ୍ସ ଏବେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି, ଯାହାକୁ ୭୮% ଗ୍ରାହକ ସମର୍ଥନ କରିଛନ୍ତି। ଏହା ପରେ କ୍ୟାମେରା କ୍ୱାଲିଟି ଓ ଏଆଇ ଏନହାନ୍ସମେଣ୍ଟ ପାଇଁ ୭୦% ଏବଂ ଏଆଇ ଫିଚର୍ସ ପାଇଁ ୫୯% ଗ୍ରାହକ ବିଶେଷ ଦୃଷ୍ଟି ଦେଇଥାନ୍ତି। ରିପୋର୍ଟ ଅନୁଯାୟୀ, ଏକ ଭଲ ସ୍ମାର୍ଟଫୋନ୍ ବାଛିବା ପାଇଁ ଗ୍ରାହକମାନେ ଏବେ ଫୋନ୍ର ଡିଜାଇନ୍, ମୂଲ୍ୟ ଏବଂ ବ୍ୟାଟେରି ଲାଇଫ୍ଠାରୁ ଏଆଇ ଫିଚର୍ସକୁ ଗୁରୁତ୍ୱ ଦେଉଛନ୍ତି। ସମାନ ମୂଲ୍ୟର ଦୁଇଟି ଫୋନ୍ ମଧ୍ୟରୁ ଗୋଟିଏକୁ ବାଛିବା ସମୟରେ ୬୦% ଗ୍ରାହକ ଉତ୍ତମ ଏଆଇ କ୍ଷମତା ସହିତ ଶକ୍ତିଶାଳୀ ହାର୍ଡୱେର୍ ଥିବା ସ୍ମାର୍ଟଫୋନକୁ ଅଧିକ ପସନ୍ଦ କରୁଛନ୍ତି। ସେହିପରି ୨୫% ଗ୍ରାହକ ନିଜକୁ ଏଆଇ-ଫାଷ୍ଟ ବାୟର ବୋଲି କହିଛନ୍ତି। କେବଳ ୧୫% ଲୋକ ଏଆଇ ଫିଚର୍ସ ତୁଳନାରେ ହାର୍ଡୱେରକୁ ଅଧିକ ପ୍ରାଥମିକତା ଦେଉଥିବା ଜଣାପଡ଼ିଛି। ବିଶେଷକରି ଯୁବ ଗ୍ରାହକମାନଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ବହୁତ ଅଧିକ ଦେଖିବାକୁ ମିଳୁଛି। ଜେନ୍ ଜି ବର୍ଗର ୭୨% ଗ୍ରାହକ ଏଆଇ ସେମାନଙ୍କର ପରବର୍ତ୍ତୀ ସ୍ମାର୍ଟଫୋନ୍ କିଣିବା ନିଷ୍ପତ୍ତିକୁ ପ୍ରଭାବିତ କରିବ, ଯାହା ମିଲେନିଆଲ୍ସଙ୍କ କ୍ଷେତ୍ରରେ ୬୫% ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।