ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ
ଦିଗପହଣ୍ଡି,୨୫ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମରେ ଶନିବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ନୂଆବନ୍ଧ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମେଘଝୋଳି ଗ୍ରାମର ସିମାଞ୍ଚଳ ବେହେରାଙ୍କ ଝିଅ ଆଲିଶା ସ୍କୁଲରୁ ଫେରିବା ପରେ ନିଜର ଦୁଇ ଜଣ ସହପାଠୀଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ଆଲିଶା ଗଭୀର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗରେ ଥିବା ଅନ୍ୟ ସାଥୀମାନେ ଭୟଭୀତ ହୋଇ ଦୌଡ଼ି ଯାଇ ଗ୍ରାମବାସୀଙ୍କୁ ଏହି ବିଷୟରେ ଜଣାଇଥିଲେ।
ଖବର ପାଇ ଗ୍ରାମବାସୀମାନେ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଏହି ଘଟଣା ସମ୍ପର୍କରେ ଖବର ପାଇ କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପୋଲିସ ପକ୍ଷରୁ ଏନେଇ ଅପମୃତ୍ୟୁ ମାମଲା ନଂ. ୧୦/୨୬ ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (ଏମକେସିଜି)କୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।