ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ
ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ ବଜାର ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ଏଲ୍ଏସ୍ଇଜି’ର ରିପୋର୍ଟ ଅନୁଯାୟୀ, ୨୦୨୨ କାତାର ବିଶ୍ୱକପ୍ ସମୟ ତୁଳନାରେ ଚଳିତବର୍ଷ ଟ୍ରଫିରେ ଥିବା ସୁନାର ମୂଲ୍ୟ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ଏଥିରେ ଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ୧୩ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬ କୋଟି ଟଙ୍କା)ରେ ପହଞ୍ଚିଛି। ଫିଫା ବିଶ୍ୱକପ୍ର ମୂଳ ଟ୍ରଫିଟି ସମ୍ପୂର୍ଣ୍ଣ ସୁନାରେ ତିଆରି। ଏହାର ମୋଟ ଓଜନ ୬.୧୭୫ କିଲୋଗ୍ରାମ ହୋଇଥିବାବେଳେ ଏହା ୧୮ କ୍ୟାରେଟ୍ ସୁନାରେ ପ୍ରସ୍ତୁତ। ସେଥିମଧ୍ୟରୁ ପ୍ରାୟ ୪.୯୩ କିଲୋଗ୍ରାମ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ରହିଛି। ‘ଏଲ୍ଏସ୍ଇଜି’ର ମେଟାଲ୍ସ ରିସର୍ଚ୍ଚ ବିଭାଗର ମୁଖ୍ୟ ବିଶ୍ଳେଷକ ଦେବଜିତ ସାହା ଏକ ବିବୃତିରେ କହିଛନ୍ତି ଯେ, ବିଶ୍ୱକପ ଟ୍ରଫିକୁ ହାତେଇବା ଯେକୌଣସି ଦଳ ପାଇଁ ଅମୂଲ୍ୟ ହୋଇଥାଏ, ମାତ୍ର ଏହାର ସୁନା ପରିମାଣକୁ ଆକଳନ କଲେ ଜଣାପଡ଼େ ଯେ ବିଗତ ବର୍ଷଗୁଡ଼ିକରେ ଏହି ମୂଲ୍ୟବାନ ଧାତୁର ଆଦର ଓ ଦର କେତେ ଦ୍ରୁତଗତିରେ ବଢ଼ିଛି।
କାତାର ବିଶ୍ୱକପ୍ରେ ଆର୍ଜେଣ୍ଟିନା ବିଜେତା ହୋଇଥିଲା, ସେତେବେଳେ ଏହି ଟ୍ରଫିର ସୁନା ମୂଲ୍ୟ ପ୍ରାୟ ୨ ଲକ୍ଷ ୭୭ ହଜାର ଡଲାର ଥିଲା। ୧୯୭୪ ମସିହାରେ ଯେତେବେଳେ ଚଳିତ ଡିଜାଇନ୍ର ଟ୍ରଫି ପ୍ରଥମେ ପ୍ରଚଳନ କରାଯାଇଥିଲା, ସେତେବେଳେ ଏହାର ମୂଲ୍ୟ ମାତ୍ର ୨୫ ହଜାର ଡଲାର ରହିଥିଲା।
ବିଶ୍ୱର ଅନ୍ୟ କୌଣସି ପ୍ରମୁଖ ଖେଳର ମୁଖ୍ୟ ଟ୍ରଫି ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇ ନ ଥାଏ। ୟୁଫା ଚାମ୍ପିୟନ୍ସ ଲିଗ୍ ଏବଂ ୟୁରୋପା ଲିଗ୍ ଫୁଟ୍ବଲ ଟ୍ରଫିଗୁଡ଼ିକ ରୁପା (ଷ୍ଟର୍ଲିଂ ସିଲଭର)ରେ ତିଆରି, ଯାହାର ମୂଲ୍ୟ ଯଥାକ୍ରମେ ୧୬,୯୫୦ ଡଲାର ଏବଂ ୨୨,୬୦୦ ଡଲାର। ଆମେରିକୀୟ କ୍ରୀଡ଼ା ଜଗତର ମୋଟର ରେସିଂ କ୍ଷେତ୍ରରେ ଦିଆଯାଉଥିବା ‘ବର୍ଗ-ୱାର୍ନର’ ଟ୍ରଫି ସବୁଠାରୁ ଭାରି (୬୯ କିଲୋଗ୍ରାମ ରୁପା), ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୬ ହଜାର ଡଲାର ଏବଂ ଫୁଟ୍ବଲ ‘ସୁପର ବୋଲ୍’ ପ୍ରତିଯୋଗିତାର ଚାମ୍ପିୟନ୍କୁ ଦିଆଯାଉଥିବା ‘ଭିନ୍ସ ଲୋମ୍ବାର୍ଡି’ ଟ୍ରଫିର ରୁପା ମୂଲ୍ୟ ପ୍ରାୟ ୭,୨୩୦ ଡଲାର। ସେହିପରି ଆମେରିକାର ଲୋକପ୍ରିୟ କ୍ରୀଡ଼ା ତଥା ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଓ କ୍ଲାସିକ ଘୋଡ଼ା ଦୌଡ଼ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ ‘ପ୍ରେକ୍ନେସ ଷ୍ଟେକ୍ସ’ର ବିଜେତାଙ୍କୁ ପ୍ରଦାନ କରାଯାଉଥିବା ‘ଉଡ୍ଲନ ଭେସ୍’ ପୁରସ୍କାରର ମୂଲ୍ୟ ପ୍ରାୟ ୨୪,୮୬୦ ଡଲାର। ଏହି ସମସ୍ତ ପୁରସ୍କାର ତୁଳନାରେ ଫିଫା ବିଶ୍ୱକପ୍ ଟ୍ରଫିର ସୁନା ମୂଲ୍ୟ ବହୁ ଗୁଣ ଅଧିକ। ସୂଚନାଯୋଗ୍ୟ, ଜୁନ ୧୧ ତାରିଖରୁ ଆମେରିକା, ମେକ୍ସିକୋ ଓ କାନାଡ଼ାରେ ୨୦୨୬ ଫିଫା ବିଶ୍ୱକପ୍ ଆରମ୍ଭ ହୋଇସାରିଛି ଏବଂ ଏଥିରେ ୩୨ ବଦଳରେ ପ୍ରଥମ ଥର ପାଇଁ ୪୮ଟି ଦେଶ ଭାଗ ନେଉଛନ୍ତି।