ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

Jul 16, 2026 - 07:31
ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ(ସିଏକ୍ୟୁଏମ୍‌)ର ଅଧ୍ୟକ୍ଷ ଥିବା ରାଜେଶ ବର୍ମାଙ୍କୁ କମିଶନରେଟ୍‌ ପୋଲିସ ପକ୍ଷରୁ ବୁଧବାର ସମନ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମ୍‌ ହସ୍ପିଟାଲରେ ନିଆଁ ଲାଗିଯିବା ଏବଂ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଯିବା ଘଟଣାକୁ ନେଇ ମନୋଜ ମିଶ୍ର ଏବଂ ରାଜେଶ ବର୍ମାଙ୍କୁ ସମନ କରାଯାଇଥିବା ଜଣାପଡିଛି। ମନୋଜ ପୂର୍ୱ ବିଜେଡି ସରକାର ସମୟରେ କ୍ଷମତାଶାଳୀ ଅଫିସରମାନଙ୍କ ମଧ୍ୟରୁ ଜଣେ ଥିଲେ। ସେହିପରି ରାଜେଶ ୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ସେହି ସମୟରେ ମନୋଜ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବହୁମାତ୍ରାରେ ଜଡ଼ିତ ଥିଲେ। କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି, କ୍ୟାପିଟାଲ ଥାନା ପକ୍ଷରୁ ଫାଇଲ୍‌ ହଜିବା ଘଟଣାରେ ଚାଲିଥିବା ତଦନ୍ତ ଅନୁଯାୟୀ, ଆପଣ ଉକ୍ତ ଘଟଣା ବାବଦରେ ଅବଗତ ଥିବା ଜଣାପଡ଼ିଛି। ତେଣୁ ଆସନ୍ତା ୨୨ ତାରିଖ ୧୧ଟା ସୁଦ୍ଧା ତଦନ୍ତରେ ସହଯୋଗ ଲାଗି ଆସି ପହଞ୍ଚିବା ପାଇଁ କୁହାଯାଇଛି। ଯଦି ଆପଣଙ୍କ ପାଖରେ ଏ ସମ୍ପର୍କିତ କୌଣସି କାଗଜପତ୍ର, ରେକର୍ଡ କିମ୍ୱା ଇଲେକ୍ଟ୍ରୋନିକ ଡିଭାଇସ୍‌ ରହିଛି ତାକୁ ଆଣି ଦାଖଲ କରିବାକୁ କୁହାଯାଇଛି। ଏହି ନୋଟିସ ତଦନ୍ତ ପାଇଁ ଦିଆଯାଇଛି, ଆଇନ ଅନୁଯାୟୀ ଆପଣ ତଦନ୍ତରେ ସହଯୋଗକରି ସବୁ ଜଣାଇବେ ବୋଲି ଆଶା କରାଯାଉଥିବା କମିଶନରେଟ୍‌ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ସିଏମ୍‌ଓରୁ ଫାଇଲ ହଜିବା ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦାୟର କରାଯାଇଛି। ସେହି ଏତଲାକୁ ଆଧାରକରି ବିଭିନ୍ନ ଦଫା ଲଗାଇ ପୋଲିସ ତଦନ୍ତ ଜାରି ରଖିଛି। ଏହା ଭିତରେ କ୍ୟାପିଟାଲ ଥାନାର ପୋଲିସ କର୍ମଚାରୀମାନେ ଏକାଧିକ ଥର ଲୋକସେବା ଭବନର ଗୃହ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ସବୁ ତଥ୍ୟ ଟିକିନଖି କରି ସଂଗ୍ରହ କରିବାରେ ଲାଗିଛନ୍ତି। ମନୋଜ ମିଶ୍ର ଏବଂ ରାଜେଶ ବର୍ମାଙ୍କୁ ନୋଟିସ ହେବା ଘଟଣାକୁ ନେଇ କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ଯେଉଁମାନେ ହଜିଥିବା ଫାଇଲ ବିଷୟରେ ଅବଗତ ଅଛନ୍ତି ବା ସେନେଇ କିଛି ସମ୍ପୃକ୍ତି ରଖିଛନ୍ତି, ସେ ସମସ୍ତଙ୍କୁ ନେଇ ତଦନ୍ତ କରାଯିବ। ଯେଉଁମାନଙ୍କୁ ନୋଟିସ କରାଯାଇଛି, ସେମାନେ ଏହି ଘଟଣା ବିଷୟରେ କିଛି ଜାଣିଛନ୍ତି ବା ଅବଗତ ଥିବେ ବୋଲି ନୋଟିସ କରାଯାଇଥିବା ଜଣାପଡ଼ିଛି।
ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ଖବର ମୁତାବକ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାରେ ନାଇଡୁ କମିଶନ ଗୃହ ବିଭାଗରେ ତାଙ୍କର ରିପୋର୍ଟ ଦାଖଲ କରିଥିଲେ। ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ପରବର୍ତ୍ତୀ ସମୟରେ ସମ୍‌ ହସ୍ପିଟାଲରେ ନିଆଁ ଲାଗିବା ନେଇ ତଦନ୍ତ କରାଯାଇଥିବା ରିପୋର୍ଟ ଗୃହ ବିଭାଗରୁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା ତାକୁ ପ୍ରମୁଖ ସଚିବ ଭାବେ ରାଜେଶ ବର୍ମା ଗ୍ରହଣ କରିଥିଲେ ବୋଲି ତାଙ୍କୁ ଏହି ନୋଟିସ କରାଯାଇଥିବା ଜଣାପଡିଛି। ସେହିପରି ୨୦୧୬ରୁ ମନୋଜ ମିଶ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସ୍‌ଡି(ଅଫିସର ଇନ୍‌ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତି ପାଇଥିଲେ। ତେଣୁ ଏହି ୨ ଅଫିସରଙ୍କୁ ପ୍ରଥମେ ନୋଟିସ ଯାଇଥିବା ଜଣାପଡ଼ିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।