ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

Jul 05, 2026 - 12:26
ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଜୁଲାଇ ୪ ଶୁକ୍ରବାର ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍‌ ନଂ ୨୦୯/୨୦୨୬ରେ ଏକ ମାମଲା ପଞ୍ଜୀକରଣ କରିଛି। ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ଏବଂ ଆନନ୍ଦପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି। ଏସ୍‌ଡିପିଓ ପଣ୍ଡା କହିଛନ୍ତି ଯେ, ଶୁକ ହୋଙ୍କ ପୁଅ ବିଭୀଷଣ (୫୫) ନିଜ ପୁତୁରା ଘନ ହୋ’ଙ୍କର ଘର ବାରଣ୍ଡାରେ ୩ ତାରିଖ ରାତିରେ ଶୋଇଥିଲେ। ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବିଭୀଷଣଙ୍କ ମୁଣ୍ଡ, ଛାତି ଏବଂ ଶରୀରକୁ ଆକ୍ରମଣ କରିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଉକ୍ତ ଗାଁକୁ ଗାଡ଼ି ଯିବା ପରି ଭଲ ରାସ୍ତା ନ ଥିବାରୁ ଏବଂ ରାତି ହୋଇଯାଇଥିବାରୁ ପ୍ରଥମେ ଘଟଣାସ୍ଥଳରୁ ମୃତଦେହକୁ ଖଟିଆରେ ବୁହା ହୋଇ ଅଣାଯାଇଥିଲା। ପରେ ଆମ୍ବୁଲାନ୍ସ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି।

ସୂଚନାଯୋଗ୍ୟ, ପଇତାପାଣି ଗ୍ରାମ ମୟୂରଭଞ୍ଜ ଜିଲା ସାତକୋଶିଆ ନିକଟରେ ହୋଇଥିବାବେଳେ ଏହି ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଫଳରେ ଗାଁକୁ ଯିବାକୁ ହେଲେ ପ୍ରାୟ ୨କି.ମି ଚାଲିବାକୁ ପଡ଼େ। ମୃତ ବିଭୀଷଣ ୨୦୨୦ରେ ଜଣକୁ ତୀର ମାରି ହତ୍ୟା କରିଥିଲେ। ଏହି ମାମଲାରେ ସେ ଗତ ୨୦୨୩ ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ। ପରେ ଜାମିନରେ ଘରକୁ ଆସିଥିଲେ।

Dharitri – Odisha’s No.1 Odia Daily