ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା
ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ ଅନ୍ୟ କେତେକ ସ୍ଥଳରେ ସ୍ତନ୍ୟପାନ ପାଇଁ ଅନିଚ୍ଛାଜନିତ କାରଣକୁ ନେଇ ସ୍ତନ୍ୟପାନ ହାର ହ୍ରାସ ପାଉଛି। ମା’ମାନେ ଶିଶୁଙ୍କୁ ସ୍ତନ୍ୟପାନ ନ କରାଇ ବିକଳ୍ପ ଖାଦ୍ୟ ଦେଇ ପୋଷଣ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ସ୍ତନ୍ୟପାନ ନବଜାତକ ଶିଶୁ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ତାହା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇଲେ ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ‘ଏଡିଏଚ୍ଡି’ (ଆଟେନଶନ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସ୍ଅର୍ଡର) ବା ଚଞ୍ଚଳତା ଏବଂ ଅନ୍ୟମନସ୍କତାଜନିତ ମାନସିକ ସମସ୍ୟାର ଆଶଙ୍କା ହ୍ରାସ ପାଇଥାଏ। ନରୱେର ପ୍ରାୟ ୩୭,୬୦୦ ପରିବାରକୁ ନେଇ କରାଯାଇଥିବା ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ‘ବାୟୋଲୋଜିକାଲ ସାଇକ୍ରାଟ୍ରି’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଯେଉଁ ଶିଶୁମାନେ ଅଧିକ ସମୟ ଧରି ମା’ କ୍ଷୀର ପିଇଥାନ୍ତି, ସେମାନଙ୍କଠାରେ ୩, ୫ ଏବଂ ୮ ବର୍ଷ ବୟସ ମଧ୍ୟରେ ଏଡିଏଚ୍ଡି ଲକ୍ଷଣ କମ୍ ଦେଖାଯାଇଥାଏ। ଗବେଷକଙ୍କ କହିବାନୁଯାୟୀ, ମା’ କ୍ଷୀରରେ ଫ୍ୟାଟି ଏସିଡ୍, ଆମିନୋ ଏସିଡ୍, ଆଣ୍ଟିବଡି ଏବଂ ଉପକାରୀ ବ୍ୟାକ୍ଟେରିଆ ଥାଏ, ଯାହା ଶିଶୁର ମସ୍ତିଷ୍କର ବିକାଶ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହି ଗବେଷଣା ପାଇଁ ପରିବାରଗୁଡ଼ିକର ଜେନେଟିକ (ବଂଶଗତ) ଏବଂ ସାମାଜିକ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଶେଷଜ୍ଞଙ୍କ ମତରେ ବଂଶଗତ କାରଣ ଯୋଗୁ ମଧ୍ୟ ପିଲାଙ୍କଠାରେ ଏହି ସମସ୍ୟା ଦେଖାଦେଇପାରେ। କିନ୍ତୁ ଏସବୁ ସତ୍ତ୍ୱେ, ନିୟମିତ ଭାବେ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ଦ୍ୱାରା ଏହି ମାନସିକ ଅସୁସ୍ଥତା ବିରୋଧରେ ଏକ ସୁରକ୍ଷା କବଚ ମିଳିଥାଏ। ଏହି ସୁରକ୍ଷା ପ୍ରଭାବ ଝିଅ ଏବଂ ପୁଅ ଉଭୟଙ୍କ କ୍ଷେତ୍ରରେ ସମାନ ଭାବେ ଦେଖିବାକୁ ମିଳିଛି। ତେବେ ଏହା ଏକ ପର୍ଯ୍ୟବେକ୍ଷଣ ଭିତ୍ତିକ ଅଧ୍ୟୟନ ହୋଇଥିବାରୁ, ଏହାର ଠିକ୍ କାରଣ ବୁଝିବା ପାଇଁ ଆଗକୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଗବେଷକ ଡକ୍ଟର ବେରିଟ ସ୍କ୍ରେଟିଙ୍ଗ ସୋଲବର୍ଗ ପ୍ରକାଶ କରିଛନ୍ତି।