ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ
ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ଏମ୍ପିଙ୍କ ପ୍ରତିନିଧି ସୁରେଶ୍ୱର ଶତପଥୀ, ବରଗଡ଼ ବିଧାୟକଙ୍କ ପ୍ରତିନିଧି ଅବନୀକାନ୍ତ ପଣ୍ଡା, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଜିଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷା, ଅଧ୍ୟକ୍ଷ, ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୁହା ସମସ୍ତଙ୍କୁ ସ୍ବାଗତ କରିବା ସହିତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଭୋଇ ସମସ୍ତ ଜନ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟ କଲେ ବରଗଡ଼ ଜିଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ବୈଠକ ପ୍ରାରମ୍ଭରେ ଜିଲା ମଙ୍ଗଳ ଅଧିକାରୀ ସମସ୍ତ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀଙ୍କ ସୁରକ୍ଷା ନିମିତ୍ତ ଅନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ଉପସ୍ଥାପନା କରିଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସାର କଳାବଜାରୀ ରୋକିବା ସହ ସମସ୍ତ ଚାଷୀଙ୍କୁ ସୁବିଧାରେ ସାର ଯୋଗାଇବା ପାଇଁ ବିଭାଗୀୟ ପ୍ରସ୍ତୁତି ବିଷୟରେ ସମସ୍ତେ ପଚାରି ବୁଝିଥିଲେ। ଜିଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର କାର୍ଯ୍ୟକାରୀତା ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ପିଏମ୍ଶ୍ରୀ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଛାତ୍ରବାସ କାର୍ଯ୍ୟକ୍ଷମ, ପ୍ରସ୍ତୁତି, ମଧ୍ୟାହ୍ନ ଭୋଜନ, ପାଠ୍ୟ ସାମଗ୍ରୀ, ସ୍କୁଲ ୟୁନିଫର୍ମ, କ୍ରୀଡ଼ା ସାମଗ୍ରୀ ଆଦି ବିତରଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ପାଇଁ ବିଭାଗୀୟ ପ୍ରସ୍ତୁତି, ତ୍ରୁଟିଶୁନ୍ୟ ପାଠ୍ୟ ପୁସ୍ତକ ବଣ୍ଟନ, ଜ୍ଞାନୋଦୟ ଯୋଜନାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାରେ ପିଲାଙ୍କ ନାମଲେଖା ପ୍ରକ୍ରିୟା ଓ ଶିକ୍ଷକ ଓ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଆଦି ବିଷୟରେ ନିଜ ମତ ଉପସ୍ଥାପନ କରିଥିଲେ। ଏହାପରେ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ମଦ ଦୋକାନ ଶୀଘ୍ର ବନ୍ଦ କରିବା ପାଇଁ ଉପସ୍ଥିତ ଜନ ପ୍ରତିନିଧିମାନେ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସମସ୍ତ ଡାକ୍ତରଖାନାରେ ଉପଲବ୍ଧ ସୁବିଧା, ଡାକ୍ତରଙ୍କ ସଂଖ୍ୟା ପଦୀ, ପୋଲିଓ ରୋଗର ନିରାକରଣ, ମାତୃ, ପ୍ରସୂତୀ ବ୍ୟବସ୍ଥା, ଆର୍ବିଏସ୍କେ ଚିକିତ୍ସା ବ୍ୟବସ୍ଥା, ଡାଇଲିସିସ ଏଂ ଆଇସିୟୁ ବ୍ୟବସ୍ଥା, ନିରାମୟ ଯୋଜନାର ସମସ୍ତ ଔଷଧ ଉପଲବ୍ଧତା ଏବଂ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଆଦି ବିଭିନ୍ନ ବିଷୟରେ ଉପସ୍ଥାପନ କରିଥିଲେ। ଗ୍ରାମାଞ୍ଚରେ ଏମପିଭି ଟୀକାକାରଣ ପାଇଁ ଲୋକଙ୍କ ସଚେତନ କରିବାରେ ସହଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଟାଟା ପାୱାର ଦ୍ୱାରା ବିଦ୍ୟୁତ୍ ଯୋଗାଣ ପ୍ରସ୍ତୁତି ଉପସ୍ଥାପନା ପରେ ଗ୍ରାମାଞ୍ଚଳରେ ଲୋଭାଲଟେଜ ଏବଂ ବହୁଦିନ ଧରି ପାୱାର କଟ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷାଋତୁରେ ଜିଲାର ସମସ୍ତ ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ବିଷୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ବେହେରା ଉପସ୍ଥାପନ କରିଥିଲେ। ବିଦ୍ୟୁତ୍ ଯୋଗାଣ, ପିଏମ୍ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ବିଷୟରେ ଟିପିଡବ୍ଲୁଓଡିଏଲ ମୁଖ୍ୟ ଯନ୍ତ୍ରୀ ଉପସ୍ଥାପନ କରିବା ସହ ଉଠା ଜଳସେଚନ ବିଭାଗ ସହ ସମନ୍ବୟ ରଖି ବୋର ୱେଲ ଜଳ ଯୋଗାଣର ତ୍ୱରାନିତ ପ୍ରକ୍ରିୟା ବିଷୟରେ ଉପସ୍ଥାପନ କରିଥିଲେ। ପରେ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା କରିଥିଲେ । ଜଙ୍ଗଲ ଜମିରେ ହେବାକୁ ଥିବା ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକୁ ଉଭୟ ଜଙ୍ଗଲ ବିଭାଗ ଏବଂ ପୂର୍ତ୍ତ ବିଭାଗ ମିଳିତ ଭାବେ ଶୀଘ୍ର ସମାପ୍ତ କରିବା ସହିତ ଖରାପ ଥିବା ରାସ୍ତା ଗୁଡିକୁ ଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପୋଖରୀ ଖନନ, ମାଛ ଓ ଚିଙ୍ଗୁଡ଼ି ଚାଷ, ମତ୍ସ୍ୟ ଚାଷୀ ପଞ୍ଜୀକରଣ, ୱାଟରସେଡ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଚାୟୀ ଯୋଜନା, ଜଳଧାରା ଯୋଜନା, ଆଦି ବିଷୟରେ ଆଲୋଚନା କରାଯାଇଥିଲା।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।