ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…
ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁଜଣକ ସ୍ଥାନୀୟ ଅଞ୍ଚଳର ରାଜେନ୍ କୁଲୁଙ୍କ ପୁଅ ରିୟାନ କୁଲୁ ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଶିଶୁଟି ହାତରେ ଏକ ଛତା ଧରି ଘର ବାହାରକୁ ଆସୁଥିବା ବେଳେ ହଠାତ୍ ଅସୁରକ୍ଷିତ ମାଟି କାନ୍ଥଟି ତାଙ୍କୁ ମାଡ଼ି ବସିଥିଲା। ପରିବାର ଲୋକେ ତତକ୍ଷଣାତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କଂସର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ କଂସର ଫାଣ୍ଡି ପୋଲିସ ପହଞ୍ଚି ଏକ ମାମଲା (କେସ୍ ନଂ ୧୮/୨୦୨୬) ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।