ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

Jul 25, 2026 - 12:55
ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର ୱିକେଟକିପର-ବ୍ୟାଟସମ୍ୟାନ ଜୋସ ବଟଲର୍‌ ଏକ ସ୍ବତନ୍ତ୍ର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତି ତାଙ୍କର ପ୍ରଶଂସା ପ୍ରକାଶ କରିଥିଲେ। ବଟଲର୍‌ ରୋହିତ ଶର୍ମାଙ୍କ ଦ୍ୱାରା ସ୍ବାକ୍ଷରିତ ଏକ ଟିମ ଇଣ୍ଡିଆ ଜର୍ସି ପାଇଥିଲେ; ଇନଷ୍ଟାଗ୍ରାମରେ ତାଙ୍କର ଖୁସି ବାଣ୍ଟି ସେ ରୋହିତଙ୍କୁ ତାଙ୍କର ‘ସବୁଠୁ ପ୍ରିୟ ଖେଳାଳି’ ଭାବରେ ବର୍ଣ୍ଣନା କରିଥିଲେ।

ଜସ ବଟଲର୍‌ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରୋହିତ ଶର୍ମାଙ୍କ ହସ୍ତାକ୍ଷରିତ ଜର୍ସିର ଏକ ଫଟୋ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ ରୋହିତ ତାଙ୍କର ପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ବଟଲରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, କ୍ରିକେଟ ପ୍ରଶଂସକମାନେ ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ମାନର ପ୍ରଶଂସା କରୁଛନ୍ତି।
ଇଂଲଣ୍ଡ ଗସ୍ତ ଆରମ୍ଭରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଆଶା ପୂରଣ କରିପାରି ନଥିଲା। ସେ ପ୍ରଥମ ଦୁଇଟି ଦିନିକିଆରେ ବଡ଼ ଇନିଂସ ଖେଳିପାରି ନଥିଲେ, ଯାହା ତାଙ୍କ ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ତଥାପି, ସେ ସିରିଜ ର୍ନିଣ୍ଣାୟକରେ ତାଙ୍କ ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ।
ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ 388 ରନର ଏକ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି, ରୋହିତ ଶର୍ମା 110 ବଲରୁ 138 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ 17 ଚୌକା ଏବଂ 5 ଛକା ଅନ୍ତର୍ଭୁକ୍ତ ଥିଲା। ଏହା ଲର୍ଡସରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ ମଧ୍ୟ ଥିଲା। ଯଦିଓ ଭାରତ 27 ରନରେ ମ୍ୟାଚ ହାରି ସିରିଜ 2-1 ରେ ହରାଇଥିଲା, ରୋହିତଙ୍କ ବ୍ୟାଟିଂ ସମସ୍ତଙ୍କ ହୃଦୟ ଜିତିଥିଲା।

ନିର୍ଣ୍ଣାୟକ ମ୍ୟାଚରେ, ରୋହିତ ଶର୍ମା ଏବଂ ବିରାଟ କୋହଲି ତୃତୀୟ ୱିକେଟ ପାଇଁ ଏକ ଉତ୍କୃଷ୍ଟ ଭାଗୀଦାରି କରିଥିଲେ। ବିରାଟ 60 ବଲରୁ 74 ରନ କରିଥିଲେ, ଯେତେବେଳେ ରୋହିତ ଏକ ଆକ୍ରମଣାତ୍ମକ ଶତକ ମାରି ଭାରତୀୟ ଦଳକୁ ବିଜୟର ନିକଟତର କରିଥିଲେ। ସେମାନଙ୍କ ବ୍ୟାଟିଂ ମ୍ୟାଚକୁ ରୋମାଞ୍ଚକର କରିଥିଲା।
ରୋହିତ ଶର୍ମାଙ୍କୁ ODI କ୍ରିକେଟରେ ସବୁଠାରୁ ସଫଳ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ସେ ଏପର୍ଯ୍ୟନ୍ତ 288 ODI ମ୍ୟାଚରେ 11,895 ରନ କରିଛନ୍ତି। ଏହି ସମୟ ମଧ୍ୟରେ, ସେ 34 ଶତକ ଏବଂ 62 ଅର୍ଦ୍ଧଶତକ ମାରିଛନ୍ତି, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର 264 ରନ। ODI କ୍ରିକେଟରେ ସର୍ବାଧିକ ରନ ସ୍କୋରର ତାଲିକାରେ ସେ ସପ୍ତମ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।